ସୀମା ବିବାଦ ସମାଧାନ ପାଇଁ ସବୁବେଳେ ଆଲୋଚନା ଚାଲିଛି: ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାର ୧୪ଟି ଜିଲ୍ଲାର ସୀମାକୁ ପଡ଼ୋଶୀ ରାଜ୍ୟଗୁଡ଼ିକର ସୀମା ଲାଗିଛି। ପଡ଼ୋଶୀ ରାଜ୍ୟଗୁଡ଼ିକ ହେଉଛନ୍ତି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ। ପଡ଼ୋଶୀ ରାଜ୍ୟ ସହ ଲାଗିଥିବା ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ। ଏହା ମଧ୍ୟରେ ୭ଟି ଜିଲ୍ଲାରେ ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ରହିଛି। ‌ତେବେ ବିବାଦର ସମାଧାନ ପାଇଁ ବିଭିନ୍ନ ସମୟରେ ଆଲୋଚନା ଜାରି ରହିଛି ବୋଲି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଧାନସଭାରେ ସୂଚନା ଦେଇଛନ୍ତି। ଓଡ଼ିଶାର ସୀମାନ୍ତ ଗ୍ରାମଗୁଡ଼ିକର ଉନ୍ନତି ପାଇଁ ସରକାର ସବୁବେଳେ ଚେଷ୍ଟା କରି ଆସୁଛନ୍ତି। ରାଜ୍ୟର ସୀମା ଅତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ଚେତାଇ ଦେଇଛନ୍ତି।

ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତରରେ ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଆନ୍ଧ୍ରପ୍ରଦେଶ ସରକାର ବିଧିବଦ୍ଧ ଭାବେ କୋଟିଆର ତିନିଟି ଗ୍ରାମରେ ନିର୍ବାଚନ ନ କରି ମନୋନୟନ ମାଧ୍ୟମରେ ପଞ୍ଚାୟତର ପ୍ରେସିଡେଣ୍ଟ୍‌ ଚୟନ କରୁଥିଲେ। ଏଥର ଫେବ୍ରୁଆରି ୧୩ ତାରିଖରେ ପଞ୍ଚାୟତ ନିର୍ବାଚନ କରାଇଥିଲେ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଗଞ୍ଜେଇପଦର ଓ ଫଗୁଣସିନେରିରେ ବିନା ପ୍ରତିଦ୍ବନ୍ଦ୍ବିତାରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାରୁ ୧୩.୨.୨୦୨୧ରେ ଫଟୁସିନେରିରେ ସରପଞ୍ଚ ପଦବି ପାଇଁ ନିର୍ବାଚନ କରାଯାଇଥିଲା। ଏଥିରେ ୧୦୨୫ ଭୋଟର୍‌ଙ୍କ ମଧ୍ୟରୁ ୬୧୫ ଜଣ ମତଦାନ କରିଥିଲେ। କୋଟିଆରେ ଉଭୟ ରାଜ୍ୟ ସ୍ଥିତାବସ୍ଥା କାଏମ ରଖିବାକୁ ସୁପ୍ରିମକୋର୍ଟ ପୂର୍ବରୁ ରାୟ ଦେଇଥିଲେ। ତେଣୁ ଗତ ୧୦ ତାରିଖରେ କୋରାପୁଟ ଜିଲ୍ଲାପାଳ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି। ଏହା ଏବେ ବିଚାରାଧୀନ ଅଛି। ଓଡ଼ିଶା ସରକାର ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି ଏବଂ କୋଟିଆ ଗ୍ରାମପୁଞ୍ଜ ସବୁବେଳେ ଓଡ଼ିଶା ଅଧୀନରେ ରହିଛି ବୋଲି ସୁପ୍ରିମକୋର୍ଟଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି। କୋଟିଆରେ ରାଜ୍ୟ ସରକାର ବହୁ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି।

ମନ୍ତ୍ରୀ ଆହୁରି ଜଣାଇଥିଲେ ଯେ ବାଲେଶ୍ବର ଜିଲ୍ଲାର କିଛି ଗ୍ରାମରେ ପଶ୍ଚିମବଙ୍ଗ ସହ ସୀମା ବିବାଦ ରହିଛି। ସୁବର୍ଣ୍ଣରେଖା କୂଳରେ ବେଆଇନ ବାଲି ଉଠାଣ ଓ ଆନୁଷଙ୍ଗିକ ସୀମା ବିବାଦର ଆପୋସ ସମାଧାନ ପାଇଁ ୨୦୧୯ ଜୁଲାଇ ୨୪ ତାରିଖରେ ଭୁବନେଶ୍ବରରେ ଉଭୟ ରାଜ୍ୟ ସରକାରଙ୍କ ଉଚ୍ଚ ଅଧିକାରୀ ସ୍ତରୀୟ ବୈଠକ ହୋଇଥିଲା। ଆସନ୍ତା ୨୫ ତାରିଖରେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନେ ପଶ୍ଚିମ ମେଦିନୀପୁରରେ ଏକ ବୈଠକ କରି ସୀମା ଚିହ୍ନଟ ତାରିଖ ନିର୍ଦ୍ଧାରଣ କରିବେ। ମୟୂରଭଞ୍ଜ ଜିଲ୍ଲାରେ ପଶ୍ଚିମବଙ୍ଗ ସହ ୪ଟି ଗାଁକୁ ନେଇ ଥିବା ବିବାଦର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ଗଞ୍ଜାମ ଜିଲ୍ଲାରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ୫୩ଟି ଗ୍ରାମକୁ ନେଇ ସୀମା ବିବାଦ ରହିଥିଲା ବେଳେ କେବଳ ମଦନପୁର(ଚିକିଟି ତହସିଲ୍‌)କୁ ବାଦ୍ ଦେଲେ ଅବଶିଷ୍ଟ ଗ୍ରାମରେ ଆଉ ସୀମା ବିବାଦ ନାହିଁ। ମଦନପୁରରେ ମଧ୍ୟ ବିବାଦ ସମାଧାନ ପାଇଁ ପ୍ରଶାସନ ଚେଷ୍ଟା କରୁଛି। ଗଜପତି ଜିଲ୍ଲାରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ୧୬ଟି ଗ୍ରାମକୁ ନେଇ ଥିବା ବିବାଦ ଉଭୟ ପକ୍ଷଙ୍କ ସୀମା ଚିହ୍ନଟ ପରେ ଶେଷ ହୋଇଛି। ତେବେ ନଳବଣ୍ଟୁ ଓ ଭେଙ୍କଟପୁରରେ ଜଙ୍ଗଲ ଜମିକୁ ନେଇ ଥିବା ବିବାଦର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଛି। ଝାଡ଼ଖଣ୍ଡ ରାଜ୍ୟର ସିଂହଭୂମ ଜିଲ୍ଲାର କିଛି ଗ୍ରାମ ସହିତ କେନ୍ଦୁଝର ଜିଲ୍ଲାର ବଡ଼ବିଲ୍‌ ଓ ଚମ୍ପୁଆ ତହସିଲ୍‌ର କିଛି ଗ୍ରାମର ବୈତରଣୀ ନଦୀର ସୀମାକୁ ନେଇ ବିବାଦ ରହିଛି। ସହମତି ଭିତ୍ତିରେ ଏହାର ସମାଧାନ ପାଇଁ ଜିଲ୍ଲା କର୍ତ୍ତୃପକ୍ଷ ଚେଷ୍ଟା କରୁଛନ୍ତି। ନୂଆପଡ଼ା ଜିଲ୍ଲାରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ବୁର୍ଜାବାହାଲ ଗ୍ରାମ ସହିତ ଓଡ଼ିଶାର ନୂଆମାଲପଡ଼ାର ସୀମା ବିବାଦ ରହିଛି। ଏ ବାବଦରେ ଏକ ଅବରୋଧ ମକଦ୍ଦମା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର