ଭୁବନେଶ୍ବର : ମୋଟା ଅଙ୍କର ଲାଭର ଲୋଭ ଦେଖାଇ ୪ କୋଟି ୮୦ ଲକ୍ଷ ଠକି ନେଇଥିବା ଜଣେ ଗ୍ରାନାଇଟ୍ ବ୍ୟବସାୟୀକୁ ଜୟପୁରରୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚର ଇଓଡବ୍ଲୁ। ଅଭିଯୁକ୍ତ ହେଉଛି କେରଳର ଆଲାଗା ମୁଥୁ ଶଙ୍କର। ତାକୁ ଆଜି ଭୁବନେଶ୍ବର ଏସ୍ଡିଜେଏମ୍ଙ୍କ କୋର୍ଟରେ ଉପସ୍ଥାପନ କରାଯିବା ପରେ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି।
ଅଭିଯୋଗକାରୀ ହେଉଛନ୍ତି ଦକ୍ଷିଣ କୋରିଆରେ ସାମ୍ସଙ୍ଗ୍ ଇଲେକ୍ଟ୍ରୋନିକ୍ସରେ ସିନିୟର ରିସର୍ଚ୍ଚ ଷ୍ଟାଫ୍ ଭାବେ ଚାକିରି କରୁଥିବା କର୍ଣ୍ଣାଟକର ଜଗନ୍ନାଥ ରାଓ ଦୋଡ୍ଡାମଣି। ତାଙ୍କ ଅଭିଯୋଗ ମୁତାବକ, ୨୦୧୭ ମସିହାରେ ଏକ୍ସପଟ୍ରିଏଟ୍ସ୍ ଡଟ୍ କମ୍ରେ ସେ ଏକ ବିଜ୍ଞାପନ ଦେଖିଥିଲେ। ‘ଶଙ୍କର ପୁରମ୍’ ଶୀର୍ଷକ ଏକ ଫିଲ୍ମରେ ପୁଞ୍ଜିନିବେଶ କଲେ ମୋଟା ଅଙ୍କର ରିଟର୍ଣ୍ଣ ମିଳିବ। ଏଣୁ ଏଥିରେ କିଛି ପଇସା ଲଗାଇବା ପାଇଁ ଇଚ୍ଛା ପ୍ରକାଶ କରି ଜଗନ୍ନାଥ ରଘୁନାଥଙ୍କ ସହ ଯୋଗାଯୋଗ କରିଥିଲେ। ଏହି ଫିଲ୍ମରେ ପୁଞ୍ଜିନିବେଶ ନେଇ କଥା ହେବା ବେଳେ ରଘୁନାଥ ତାଙ୍କୁ ଓଡ଼ିଶାରେ ଚାଲିଥିବା ଗ୍ରାନାଇଟ୍ ବେପାରରେ ଟଙ୍କା ଲଗାଇବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବରେ ଜଗନ୍ନାଥ ରାଜି ହେବା ପରେ ରଘୁନାଥ ତାଙ୍କ ନିଜ ଭାଇ ତଥା ଅଭିଯୁକ୍ତ ଆଲାଗା ମୁଥୁ ଶଙ୍କର ସହ ଭେଟ କରାଇ ଦେଇଥିଲେ। ବୋରିଗୁମ୍ମାରେ ଚାଲିଥିବା ‘ଏଏମ୍ ଶଙ୍କର ଗ୍ରାନାଇଟ୍ ଇଣ୍ଡଷ୍ଟ୍ରି’ରେ ଟଙ୍କା ଲଗାଇବାକୁ ଶଙ୍କର ପ୍ରସ୍ତାବ ଦେଇଥିଲେ। କୋଟିଏ ଟଙ୍କା ଲଗାଇଲେ ୩ ବର୍ଷରେ ଦୁଇ କୋଟି ରିଟର୍ଣ୍ଣ ମିଳିବ ବୋଲି ଲୋଭ ଦେଖାଇଥିଲେ। ଲୋଭର ବଶବର୍ତ୍ତୀ ହୋଇ ଜଗନ୍ନାଥ ପ୍ରଥମ ଦଫାରେ ୨୦୨୦ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ୪ କୋଟି ୮୦ ଲକ୍ଷ ଟଙ୍କା ପୁଞ୍ଜିନିବେଶ କରିଥିଲେ।
ବିଶ୍ବାସ ଜନ୍ମାଇବା ପାଇଁ ଅଭିଯୁକ୍ତ ଜଗନ୍ନାଥଙ୍କୁ ବିଭିନ୍ନ ସମୟରେ ଗ୍ରାନାଇଟ୍ ଖଣି ନିଲାମ୍ ନେବା, ଡେକୋରେଟିଭ୍ ପଥର କିଣିବା ଆଦିର ନକଲି ସରକାରୀ କାଗଜ ପଠାଇଥିଲେ। ଏହି ସବୁ ଲାଇସେନ୍ସ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା ଅଭିଯୋଗକାରୀ ଓ ତାଙ୍କ ପତ୍ନୀଙ୍କ ନାମରେ ପ୍ରସ୍ତୁତ କରାଯାଇଥିଲା। ତେବେ ଏ ନେଇ ଜଗନ୍ନାଥ ଖଣି ବିଭାଗ ସହ ଯୋଗାଯୋଗ କରିବା ପରେ ତାଙ୍କ ନାମରେ କିମ୍ବା ତାଙ୍କ ପତ୍ନୀଙ୍କ ନାମରେ ଏଭଳି କୌଣସି ଅନୁମତି ସରକାର ଦେଇନଥିବା ଜାଣିବା ପରେ ସେ ଗତ ଫେବ୍ରୁଆରି ୨୨ ତାରିଖରେ ଇଓଡବ୍ଲୁରେ ଅଭିଯୋଗ କରିଥିଲେ ଜଗନ୍ନାଥ। ଅଭିଯୋଗର ତଦନ୍ତ ବେଳେ ଏହି ସବୁ କାଗଜପତ୍ର ନକଲି ବୋଲି ଇଓଡବ୍ଲୁ ଜାଣିବାକୁ ପାଇଥିଲା। ଗତକାଲି ଇଓଡବ୍ଲୁର ଏକ ସ୍ବତନ୍ତ୍ର ଟିମ୍ ଜୟପୁର ଯାଇ ଅଭିଯୁକ୍ତକୁ ଗିରଫ କରିଥିଲା। ଏଥିରେ ତାଙ୍କ ଭାଇ ଆଲାଗା ମୁଥୁ ରଘୁନାଥଙ୍କ ସମ୍ପୃକ୍ତି ନେଇ ଇଓଡବ୍ଲୁ ଖୋଳତାଡ଼ କରୁଛି। ଆବଶ୍ୟକ ପଡ଼ିଲେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।