ସବୁ ବ୍ଲକ୍‌ରେ ପହଞ୍ଚିଲା ‘ଆମ ଗାଁ ଆମ ବିକାଶ’

ଗାଁ ପାଇଁ କାମ କରି ମୁଁ ବହୁତ ଖୁସି: ମୁଖ୍ୟମନ୍ତ୍ରୀ, ୬୨୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଆମ ଗାଁ ଆମ ବିକାଶ’ ଆଜି ରାଜ୍ୟର ସବୁ ପଞ୍ଚାୟତ, ସବୁ ବ୍ଲକରେ ପହଞ୍ଚିଛି। ୨୦୧୮ ମାର୍ଚ ୫ ତାରିଖରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୧୪ ଦିନରେ ସମସ୍ତ ୩୧୪ ବ୍ଲକର ୬୭୯୮ ପଞ୍ଚାୟତରେ ୬୨୮୫୭ ପ୍ରକଳ୍ପ ପାଇଁ ୧୫୫୪.୪୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଲୋକମାନଙ୍କର ଅଂଶଗ୍ରହଣ ଓ ଉତ୍ସାହରେ ସେ ବହୁତ ଖୁସି। ସଂପୂର୍ଣ୍ଣ ସ୍ବଚ୍ଛତାର ସହିତ ଲୋକଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗ ଓ ସୂଚନା ଓ ପ୍ରଯୁକ୍ତି ପ୍ରୟୋଗରେ ଏହି ବିକାଶ କାର୍ଯ୍ୟକ୍ରମ ଶ୍ରେଷ୍ଠ ଉଦାହରଣ। ‘ଏହି କାର୍ଯ୍ୟକ୍ରମରେ ଲୋକଙ୍କ ସହିତ କଥା ହୋଇ, ଗାଁ ଲୋକଙ୍କ ପାଇଁ କାମ କରି ମୁଁ ବହୁତ ଖୁସି’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଆଜି ୬ଟି ଜିଲ୍ଲାର ୮ଟି ବ୍ଲକ ପାଇଁ ୩୯.୫୩ କୋଟିର ୧୭୧୫ଟି ପ୍ରକଳ୍ପ ମଞ୍ଜୁର କରିଥିଲେ। ଏହି ବ୍ଲକଗୁଡ଼ିକ ହେଉଛି ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଜଗତ୍‌ସିଂହପୁର ଜିଲ୍ଲାର ଜଗତ୍‌ସିଂହପୁର ସଦର ଓ ନୂଆଗାଁ, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର, ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ୍‌ ଓ ବେଲ୍‌ପଡ଼ା, ଖୋର୍ଧା ଜିଲ୍ଲାର ବାଲିପାଟଣା ଓ ରାୟଗଡ଼ା ଜିଲ୍ଲାର ଗୁଣୁପୁର ବ୍ଲକ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ବିକାଶ ପ୍ରକ୍ରିୟାକୁ ନୂଆ ଦିଗଦର୍ଶନ ଦେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର