୫୩ ବ୍ଲକ୍‌ର ୧୩୦୦ ପଞ୍ଚାୟତରେ ପହଞ୍ଚିଲା ‘ଆମ ଗାଁ ଆମ ବିକାଶ’ : ୩୧୯ କୋଟି ଟଙ୍କାରେ ୧୨ ହଜାର ପ୍ରକଳ୍ପ

ଭୁବନେଶ୍ୱର : ମାସକ ଭିତରେ ୫୩ ବ୍ଲକ୍‌ର ୧୩୦୦ ପଞ୍ଚାୟତରେ ପହଞ୍ଚିଛି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ। ଏଥିରେ ୩୧୯.୦୨ କୋଟି ଟଙ୍କାରେ ୧୨,୨୨୫ ପ୍ରକଳ୍ପ ମଞ୍ଜୁର କରାଯାଇଛି। କମ୍‌ ଦିନ ଭିତରେ ଗାଁର ବିକାଶ ପାଇଁ ଏତେ ସଂଖ୍ୟାରେ ପ୍ରକଳ୍ପ ମଞ୍ଜୁର କରାଯିବା ଏକ ମାଇଲିଖୁଣ୍ଟ ଭାବେ ବିବେଚନା କରାଯାଉଛି। ଗତ ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହୋଇଥିଲା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସଚିବାଳୟରୁ ମୁଖ୍ୟମନ୍ତ୍ରୀ ସିଧାସଳଖ ଜନସାଧାରଣଙ୍କ ସହ ଆଲୋଚନା କରି ପ୍ରକଳ୍ପ ମଞ୍ଜୁର କରୁଛନ୍ତି। ପ୍ରଥମେ ଏହା ପଞ୍ଚାୟତ ସ୍ତରରେ ଚାଲିଥିଲା। ଅଧିକରୁ ଅଧିକ ପଞ୍ଚାୟତରେ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିବା ପାଇଁ ମେ’ ୨୩ ତାରିଖରୁ ଏହି କାର୍ଯ୍ୟକ୍ରମ ବ୍ଲକ୍‌ ସ୍ତରରୁ ଆରମ୍ଭ ହୋଇଥିଲା। ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୋଟ୍‌ ୧୨,୨୨୫ ପ୍ରକଳ୍ପ ମଞ୍ଜୁର ହୋଇଛି। ସ୍ୱଚ୍ଛତା, ପ୍ରଯୁକ୍ତି ବିଦ୍ୟା ଓ ସମ୍ମିଳିତ ଉଦ୍ୟମର ଏହା ଏକ ନୂଆ ଉଦାହରଣ ସୃଷ୍ଟି କରିଛି। ଆଜି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଓ ରାଜଗାଙ୍ଗପୁର ବ୍ଲକ୍‌, ଗଞ୍ଜାମ ଜିଲ୍ଲାର ପୋଲସରା ଓ ଢେଙ୍କାନାଳ ଜିଲ୍ଲାର ଓଡ଼ପଡ଼ା ବ୍ଲକ୍‌ର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରିଛନ୍ତି। ବିଶ୍ରା ବ୍ଲକ୍‌ର ୧୪ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ, ରାଜଗାଙ୍ଗପୁର ବ୍ଲକ୍‌ର ୨୦ଟି ପଞ୍ଚାୟତ ପାଇଁ ୫ କୋଟି ଟଙ୍କାରେ ୧୪୯ଟି ପ୍ରକଳ୍ପ, ପୋଲସର୍‌ ବ୍ଲକ୍‌ର ୨୬ଟି ପଞ୍ଚାୟତ ପାଇଁ ୬.୫୦ କୋଟି ଟଙ୍କାରେ ୨୪୬ଟି ପ୍ରକଳ୍ପ, ଓଡ଼ପଡ଼ା ବ୍ଲକ୍‌ର ୨୮ଟି ପଞ୍ଚାୟତ ପାଇଁ ୪.୯୩ କୋଟି ଟଙ୍କାରେ ୧୯୧ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଆଜିର କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଟଙ୍କା ଓଡ଼ିଶାବାସୀଙ୍କର। ଯେଉଁସବୁ ପ୍ରକଳ୍ପ ମଞ୍ଜୁର କରାଯାଉଛି, ସେଗୁଡ଼ିକୁ ଭଲ ଭାବରେ ଓ ଶୀଘ୍ର କରିବା ପାଇଁ ମୁଖ୍ୟମନ୍ତ୍ରୀ ଗ୍ରାମବାସୀ ଓ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ, ସଂପୃକ୍ତ ଅଞ୍ଚଳର ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର