କଟକ : ‘ଆମ ଗାଁ-ଆମ ବିକାଶ’ ଯୋଜନାରେ ସରକାର ଦେଲେ ୬୫କୋଟି ଟଙ୍କା। କିନ୍ତୁ କଟକ ଜିଲ୍ଲାରେ ସରିଛି ମାତ୍ର ୬କୋଟି ଟଙ୍କାର କାମ। ଅର୍ଥାତ୍ ଖର୍ଚ୍ଚ ପରିମାଣ ୧୦ପ୍ରତିଶତରୁ ବି କମ୍। କେଉଁ ବ୍ଲକ୍ରେ କାମ ଅଦୌ ଆରମ୍ଭ ହୋଇନି ତ କେଉଁ ବ୍ଲକ୍ରେ ପ୍ରକଳ୍ପର ଗତି ଅତ୍ୟନ୍ତ ନୈରାଶ୍ୟଜନକ। ୩୦ପ୍ରତିଶତ ବି ସରିନାହିଁ। ଯୋଜନା କାର୍ଯକାରିତାରେ ଏପ୍ରକାର ଅବହେଳା ତଥା ଦୟନୀୟ ପ୍ରଦର୍ଶନ ପ୍ରଶାସନିକ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସେମାନଙ୍କ ବିରୋଧରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜିଲ୍ଲାର ୮ଟି ବ୍ଲକ୍ର ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ଦରମା ବନ୍ଦ କରିଛନ୍ତି। ବାରଙ୍ଗ ବ୍ଲକ୍ ବିଡିଓଙ୍କୁ ଗୋଟିଏ ଦିନ ମହଲତ ଦେଇଛନ୍ତି। ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟାନୁଷ୍ଠାନ ବ୍ଲକ୍ ଅଧିକାରୀଙ୍କ ମଧ୍ୟରେ ଭାଳେଣି ପକାଇ ଦେଇଥିବା ବେଳେ ଅନ୍ୟପଟେ ଯୋଜନା କାର୍ଯ୍ୟାନ୍ବୟନରେ କର୍ତୃପକ୍ଷଙ୍କ ନିଷ୍ଠା ତଥା ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବାରଙ୍ଗରେ ଆଜି ଅନୁଷ୍ଠିତ ଜନଶୁଣାଣି ଶିବିରରେ ଜିଲ୍ଲାପାଳ ଏହି ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିବା ପରେ ଏଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି। ଜିଲ୍ଲାପାଳ ଏଥିପାଇଁ ବିଭାଗୀୟ କର୍ତୃପକ୍ଷଙ୍କୁ ଦାୟୀ କରି ଯେଉଁ ବ୍ଲକ୍ରେ ୭୦ ପ୍ରତିଶତ କାମ ସରିନାହିଁ, ସେମାନଙ୍କ ବିରୋଧରେ ଦରମା ବନ୍ଦ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଟାଙ୍ଗୀ-ଚୌଦ୍ବାର, ସାଲେପୁର, ନିଶ୍ଚିନ୍ତକୋଇଲି, ନିଆଳି, ମାହାଙ୍ଗା, ଆଠଗଡ଼, ବାଙ୍କୀ, କଣ୍ଟାପଡା ବ୍ଲକ୍ର ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ଦରମା ବନ୍ଦ କରାଯାଇଥିବା ବେଳେ ବାରଙ୍ଗ ବିଡିଓଙ୍କୁ ଗୋଟିଏ ଦିନ ମହଲତ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସୂଚନା ଦେଇଛଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/a-1.jpg)