୩୦୦ ବ୍ଲକ ଟପିଲା ଆମ ଗାଁ ଆମ ବିକାଶ

୧୭୭ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୪୦.୮୬ କୋଟି

ଭୁବନେଶ୍ବର: ରାଜ୍ୟର ବିକାଶ ପ୍ରକ୍ରିୟାରେ ସରକାର ଓ ଜନସାଧାରଣଙ୍କ ଭିତରେ ପ୍ରତ୍ୟକ୍ଷ ଯୋଗାଯୋଗ ସୃଷ୍ଟି କରିଛି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ। ଶନିବାର ଭିଡିଓ କନଫରେନସିଂ ଜରିଆରେ ୧୦ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୪୦ କୋଟି ୮୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ବଲାଙ୍ଗୀର ଜିଲ୍ଲାର ଦେଓଗାଁ, ବାଲେଶ୍ବରର ସୋର, ନୟାଗଡ଼ ଜିଲ୍ଲାର ଭାପୁର, ଦେବଗଡ଼ର ବରକୋଟ, ମୟୁରଭଞ୍ଜ ଜିଲ୍ଲାର କୁସୁମି, କୋରାପୁଟର ବନ୍ଧୁଗାଁ, ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ସଦର ବ୍ଲକ, କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ମାଲକାନଗିରି ଜିଲ୍ଲାର ପଡ଼ିଆ ବ୍ଲକର ୧୭୭ଟି ପଞ୍ଚାୟତ ପାଇଁ ଅର୍ଥ ମଞ୍ଜୁର କରାଯାଇଛି।

ଆଜି ମୁଖ୍ୟମନ୍ତ୍ରୀ ଦେଓଗାଁ ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୫ କୋଟି ୯୪ ଲକ୍ଷ ଟଙ୍କାରେ ୨୮୪ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ସେହିପରି, ସୋର ବଲ୍କର ୨୪ଟି ପଞ୍ଚାୟତ ପାଇଁ ୬କୋଟି ଟଙ୍କା ବ୍ୟୟରେ ୩୬୨ଟି ପ୍ରକଳ୍ପ, ଭାପୁର ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୫ କୋଟି ୩ ଲକ୍ଷ ଟଙ୍କାରେ ୩୩୭ଟି ପ୍ରକଳ୍ପ, ବରକୋଟ ବ୍ଲକର ୨୩ଟି ପଞ୍ଚାୟତ ପାଇଁ ୪ କୋଟି ୩୫ ଲକ୍ଷ ଟଙ୍କାରେ ୧୫୮ଟି ପ୍ରକଳ୍ପ ମଞ୍ଜୁର ହୋଇଛି। କୁସୁମି ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କାରେ ୧୪୪ଟି ପ୍ରକଳ୍ପ ମଞ୍ଜୁର ହେବା ସହ ବନ୍ଧୁଗାଁ ବ୍ଲକର ୧୩ଟି ପଞ୍ଚାୟତ ପାଇଁ ୩ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚରେ ୧୭୮ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। କଲ୍ୟାଣସିଂହପୁର ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୧ କୋଟି ୮୧ ଲକ୍ଷ ଟଙ୍କାରେ ୧୧୦ଟି ପ୍ରକଳ୍ପ, ଝାରସୁଗୁଡ଼ା ସଦର ବ୍ଲକର ୧୬ଟି ପଞ୍ଚାୟତ ପାଇଁ ୪ କୋଟି ଟଙ୍କାରେ ୧୦୧ଟି ପ୍ରକଳ୍ପ , ଯୋଡ଼ା ବ୍ଲକର ୧୯ଟି ପଞ୍ଚାୟତ ପାଇଁ ୪ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚରେ ୧୦୭ଟି ପ୍ରକଳ୍ପ ଏବଂ ପଡ଼ିଆ ବ୍ଲକର ୮ଟି ପଞ୍ଚାୟତ ପାଇଁ ୨ କୋଟି ୨ ଲକ୍ଷ ଟଙ୍କା ବ୍ୟୟରେ ୧୦୯ଟି ପ୍ରକଳ୍ପ ପାଇଁ ମୋଟ ୪୦ କୋଟି ୮୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୋଟ ୧୮୯୦ଟି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରାଯାଇଛି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ମୋଟ ୩୧୪ ବ୍ଲକରୁ ଆଜିସୁଦ୍ଧା ୩୦୬ଟି ବ୍ଲକର ୬ ହଜାର ୬୨୩ଟି ଗ୍ରାମ ପଞ୍ଚାୟତ ପାଇଁ ଆଲୋଚନା ମାଧ୍ୟମରେ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏ ପର୍ଯ୍ୟନ୍ତ ମୋଟ ୬୧ ହଜାର ୧୭୦ଟି ପ୍ରକଳ୍ପ ପାଇଁ ମୋଟ ୧ ହଜାର ୫୧୪ କୋଟି ୮୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

ଲୋକଙ୍କ ବିକାଶ ଲାଗି ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ବୟନ ଓ ସ୍ବଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇଥିବା ସରକାର କହିଛନ୍ତି। ସମୁଦାୟ ୩୧୪ ବ୍ଲକରୁ ଆଉ ମାତ୍ର ୮ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ବାକି ଅଛି।

ଶନିବାର ଅନୁଷ୍ଠିତ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ବିରୋଧୀ ଦଳ ନେତା, ସାଂସଦ, ବିଧାୟକ, ଉନ୍ନୟନ କମିସନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବଙ୍କ ସମେତ ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର