ବ୍ଲକ୍‌ ସ୍ତରରେ ଆୟୋଜନ ହେବ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆଜି ୫୦ତମ ପଞ୍ଚାୟତରେ ପହଞ୍ଚିଛି। ଆଜି କେନ୍ଦୁଝରର ମଇଦାନକେଲା ପଞ୍ଚାୟତରେ ୫୦ତମ ପଞ୍ଚାୟତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ‘ଆମ ଗାଁ ଆମ ବିକାଶ’ ଜରିଆରେ ରାଜ୍ୟର ୫୦ଟି ପଞ୍ଚାୟତର ଲୋକମାନଙ୍କ ପାଖରେ ପହଞ୍ଚିପାରିଥିବାରୁ ଏବଂ ସେମାନଙ୍କ ସହ ଗାଁ ବିକାଶ ସମ୍ପର୍କରେ ଆଲୋଚନା କରିପାରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଥିଲେ। ସେ କହିଥିଲେ, ବିକାଶ ପାଇଁ ଗାଁ ଲୋକଙ୍କ ଆଗ୍ରହ ଓ ଉଦ୍ୟମ ପ୍ରଶଂସନୀୟ। ବିକାଶର ଏହିପରି ଧାରା ଜାରି ରହିଲେ ଖୁବ୍‌ଶୀଘ୍ର ଗାଁଗୁଡ଼ିକର ଚିତ୍ର ବଦଳିଯିବ। ବର୍ତ୍ତମାନ ସୁଦ୍ଧା ୫୦ଟି ପଞ୍ଚାୟତ ପାଇଁ ୨୧ କୋଟି ୩୭ ଲକ୍ଷ ଟଙ୍କାର ୪୬୦ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଖୁବ୍‌ ଶୀଘ୍ର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମକୁ ବ୍ଲକ୍‌ ସ୍ତରରେ ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଆଜି କେନ୍ଦୁଝର ଜିଲ୍ଲାର ମଇଦାନକେଲା ଗ୍ରାମ ପଞ୍ଚାୟତ, ଗଞ୍ଜାମ ଜିଲ୍ଲାର ଅଳସୁଗୁମା, ବଲାଙ୍ଗୀର ଜିଲ୍ଲାର ବର୍ଥଲା ଓ ସୁନ୍ଦରଗଡ଼ ଜିଲ୍ଲାର ଭେଡ଼ାବାହାଲ ପଞ୍ଚାୟତ ପାଇଁ ୧ କୋଟି ୪୧ ଲକ୍ଷ ଟଙ୍କାର ୩୨ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରି ଦେଇଛନ୍ତି। ଏହା ମଧ୍ୟରେ ଅଛି ମଇଦାନକେଲା ପଞ୍ଚାୟତର ୩୭ ଲକ୍ଷ ଟଙ୍କାର ୧୦ଟି, ଗଞ୍ଜାମ ଜିଲ୍ଲାର ଅଳସୁଗୁମା ପଞ୍ଚାୟତର ୩୪ ଲକ୍ଷ ଟଙ୍କାରେ ୬ଟି, ବର୍ଥଲା ପଞ୍ଚାୟତର ୩୫ ଲକ୍ଷ ଟଙ୍କାରେ ୯ଟି ଏବଂ ଭେଡ଼ାବହାଲ ପଞ୍ଚାୟତର ୩୫ ଲକ୍ଷ ଟଙ୍କାରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି।

ଭିଡିଓ କନ୍‌ଫରେନ୍ସିଂ ଦ୍ୱାରା ପ୍ରଥମେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଗ୍ରାମପଞ୍ଚାୟତଗୁଡ଼ିକର ସରପଞ୍ଚମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସମ୍ପର୍କରେ ଉପସ୍ଥାପନ କରିବା ପାଇଁ କହିଥିଲେ। ସେମାନଙ୍କଠାରୁ ପଞ୍ଚାୟତ ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ତୁରନ୍ତ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ସଂପୃକ୍ତ ଅଞ୍ଚଳର ନିର୍ବାଚିତ ପ୍ରତିନିଧି, ଉନ୍ନୟନ କମିସନର୍‌, ବିଭିନ୍ନ ବିଭାଗର ସଚିବ ଏବଂ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର