‘ଆମ ଘରେ ଏଲ୍‌ଇଡି ଯୋଜନା’ : ଯୋଜନା ନେଇ ଅନ୍ଧାରରେ ଅଧିକାରୀ

ହିତାଧିକାରୀଙ୍କ ଏଲ୍‌ଇଡି ବଲ୍‌ବ ହଡ଼ପ କରୁଛନ୍ତି ଡିଲର

ଡେରାବିଶ : ରାଜ୍ୟ ସରକାରଙ୍କ ‘ଆମ ଘରେ ଏଲ୍‌ଇଡି’ ଯୋଜନା ବାସ୍ତବ ଚିତ୍ର ଏବେ ସାମ୍‌ନାକୁ ଆସିଛି। ସମସ୍ତ ରାସନକାର୍ଡଧାରୀମାନଙ୍କ ଘରକୁ ଏଲ୍‌ଇଡି ବଲ୍‌ବ ଯୋଗାଇ ଦେବାର ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଏହା କିଭଳି କାର୍ଯ୍ୟକାରୀ ହେବ ତାହାକୁ ନେଇ ସରକାରୀ ଅଧିକାରୀମାନେ ସ୍ଥିରନିଶ୍ଚିତ ନୁହନ୍ତି। ଫଳରେ, ରାସନକାର୍ଡଧାରୀଙ୍କୁ ଏଲଇଡି ବଲ୍‌ବ ନ ଦେଇ ଡିଲର ଏହାକୁ ହଡ଼ପ କରୁଛି। କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ୍‌ରେ ଏହିଭଳି ଚିତ୍ର ଏବେ ସାମ୍‌ନାକୁ ଆସିଛି।

ଡେରାବିଶ ବ୍ଲକ ଅଧୀନ କେତେକ ଡିଲର ପଏଣ୍ଟକୁ ରାସନ ସାମଗ୍ରୀ ଆଣିବା ପାଇଁ ଯିବା ବେଳେ ହିତାଧିକାରୀମାନେ ଏଭଳି ଦୁର୍ନୀତି ସମ୍ପର୍କରେ ଅବଗତ ହୋଇଛନ୍ତି। ନିୟମ ଅନୁଯାୟୀ, ହିତାଧିକାରୀମାନେ ଇପିଓଏସ୍‌ (ଇଲେକଟ୍ରୋନିକ୍ସ ପଏଣ୍ଟ ଅଫ୍ ସେଲ୍‌) ମେସିନରେ ଆଙ୍ଗୁଠି ଟିପ ଚିହ୍ନ ଦେବା ପରେ ଏକ କାଗଜ ଟୋକନ ବାହାରିଥାଏ। ଯେଉଁଥିରେ ସେମାନଙ୍କ ରାସନ ସାମଗ୍ରୀର ପରିମାଣ ସହିତ ଓ ଏହାର ମୂଲ୍ୟ ସହିତ କେଉଁ ମାସର ସାମଗ୍ରୀ ତାହା ଉଲ୍ଲେଖ ରହିଥାଏ। ହେଲେ ଏ ମାସ‌େର ଉକ୍ତ ଟୋକନରେ ନୂତନ ସାମଗ୍ରୀ ଭାବେ ଗୋଟିଏ ଏଲ୍‌ଇଡି ବଲ୍‌ବ ଲେଖାଥିବା ଦେଖିବାକୁ ମିଳିଥିଲା। ରସିଦ ଟୋକନର ତଳେ ଏହା ବିନା ମୂଲ୍ୟରେ ଓଡିଶା ସରକାରଙ୍କ ଦ୍ବାରା ବଣ୍ଟନ କରାଯାଇଥିବା ଲେଖାଅଛି। ତେବେ କୌଣସି ଡିଲର ରାସନକାର୍ଡଧାରୀଙ୍କୁ ଏହି ଏଲ୍‌ଇଡି ବଲ୍‌ବ ଦେଉ ନ ଥିବା ହିତାଧିକାରୀ କହିଛନ୍ତି। ଅନ୍ୟପଟେ ମେସିନରୁ ଏଲ୍‌ଇଡି ବଲ୍‌ବ ଲେଖାଥିବା ଟୋକନ ଆସିବା ବାବଦରେ କୌଣସି ଡିଲର କିଛି ଜାଣି ନ ଥିବା ମତ ଦେଇଛନ୍ତି। ଫଳରେ, ଏହି ଯୋଜନାର ବାସ୍ତବ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି।

ଏହାକୁ ଆହୁରି ସନ୍ଦେହ ଘେରକୁ ଟାଣି ଆଣିଛି ସରକାରୀ ଅଧିକାରୀଙ୍କ ମନ୍ତବ୍ୟ। ଡେରାବିଶ ବ୍ଲକ ଛତା ବିଦ୍ୟୁତ୍‌ ସେକସନର ବିଭାଗୀୟ ଯନ୍ତ୍ରୀ ସୀତା˚ଶୁ ଶେଖର ମହାପାତ୍ର କହିବା ଅନୁଯାୟୀ ‘ଆମ ଘରେ ଏଲ୍‌ଇଡି ଯୋଜନା’‌େର ଏହି ବଲ୍‌ବ ବଣ୍ଟନ ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ ବିଭାଗ ଓ ଯୋଗାଣ ବିଭାଗ ସହଯାଗରେ ପ୍ରତି ହିତାଧିକାରୀଙ୍କୁ ୨ଟି ବଲ୍‌ବ ପ୍ରଦାନର ବ୍ୟବସ୍ଥା କରାଯାଇଛି। ତେବେ ଏ ସମ୍ପର୍କରେ କାର୍ଯ୍ୟାଳୟକୁ କୌଣସି ନିର୍ଦ୍ଦେଶ କିମ୍ବା ଏଲ୍‌ଇଡି ବଲ୍‌ ଆସିନାହିଁ।

ବ୍ଲକ ଯୋଗାଣ ବିଭାଗ ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ଭଟ୍ଟ କହିଛନ୍ତି ଯେ, ବ୍ଲକ୍‌ର ୨ଟି ଜାଗାରେ ରାସନକାର୍ଡଧାରୀଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ବଲ୍‌ବ ବଣ୍ଟନ କରାଯାଇଥିଲା। ଏହାପରେ ବିଭାଗ ତରଫରୁ ଆଉ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। ତେବେ ଚଳିତମାସ ମେସିନ୍‌ରୁ କିପରି ବଲ୍‌ବ ବଣ୍ଟନ ପାଇଁ ଲେଖାଥିବା ଟୋକନ ବାହାରୁଛି, ତାହା ବି ଜଣାପଡ଼ୁନାହିଁ। ବିଡିଓ ଗୋପବନ୍ଧୁ ଭୋସାଗର କହିଛନ୍ତି ଯେ ଦୁଇ ମାସ ଆଗରୁ ଏହି ଯୋଜନାରେ ବ୍ଲକ ଅଧୀନ ଦୁଇଟି ପଞ୍ଚାୟତର ଡିଲର ପଏଣ୍ଟରେ ଏଲ୍‌ଇଡି ବଲ୍‌ବ ବଣ୍ଟନ ହୋଇଥିବା ସମ୍ପର୍କରେ ସେ ଅବଗତ ଅଛନ୍ତି। ଏ‌େବକାର ଘଟଣା ବାବଦରେ ସେ କିଛି ଜାଣି ନ ଥିବା କିମ୍ବା ଜିଲ୍ଲା ପ୍ରଶାସନଠାରୁ କୈାଣସି ନିର୍ଦ୍ଦେଶ ପାଇ ନ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର