ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୧୫୪ ପଞ୍ଚାୟତ ପାଇଁ ୩୪.୫୨କୋଟି ମଞ୍ଜୁର

ଭୁବନେଶ୍ବର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୧୫୪ଟି ପଞ୍ଚାୟତ ପାଇଁ ୩୪.୫୨କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏଥିରେ ସମୁଦାୟ ୧୨୯୭ଟି ପ୍ରକଳ୍ପ ସାମିଲ ଅଛି।

ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ଆଜି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୪.୮୦ କୋଟି ଟଙ୍କାରେ ୨୨୪ଟି ପ୍ରକଳ୍ପ, ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ ଅନ୍ତର୍ଗତ ୩୦ଟି ପଞ୍ଚାୟତ ପାଇଁ ୭.୫୦ କୋଟି ଟଙ୍କାରେ ୩୧୧ଟି ପ୍ରକଳ୍ପ ଏବଂ କରଞ୍ଜିଆ ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୩.୭୫ କୋଟି ଟଙ୍କାରେ ୧୮୨ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୫.୪୦କୋଟି ଟଙ୍କାରେ ୧୬୮ଟି ପ୍ରକଳ୍ପ ଏବଂ ହରିଚନ୍ଦନପୁର ବ୍ଲକର ୨୫ଟି ପଞ୍ଚାୟତରେ ୫.୫୨କୋଟି ଟଙ୍କାରେ ୧୬୬ଟି ପ୍ରକଳ୍ପ, ବରଗଡ଼ ଜିଲ୍ଲା ପାଇମାଳ ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୩.୩୫କୋଟି ଟଙ୍କାରେ ୧୫୨ଟି ପ୍ରକଳ୍ପ ଏବଂ ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକର ୧୬ଟି ପଞ୍ଚାୟତ ପାଇଁ ୩.୨୦ କୋଟି ଟଙ୍କାରେ ୯୨ଟି ପ୍ରକଳ୍ପ ପାଇଁ ଅନୁମୋଦନ କରିଛନ୍ତି।

ଆଜିର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ। ସେହିପରି ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ଉନ୍ନୟନ କମିସନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଉଲ୍ଲେଖଥାଉ କି, ଆଜିର କାର୍ଯ୍ୟକ୍ରମକୁ ମିଶାଇ ରାଜ୍ୟର ୨୩୬ଟି ବ୍ଲକର ୫୧୩୮ଟି ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ଦ୍ବାରା ପ୍ରସ୍ତାବିତ ୪୭,୦୧୧ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଯାଏ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ପାଇଁ ସମୁଦାୟ ୧୧୬୫.୧୧ କୋଟି ଟଙ୍କା ମଞ୍ଜୁର ହୋଇଛି।

ସମ୍ବନ୍ଧିତ ଖବର