‘ଆମ ଗାଁ ମହୋତ୍ସବ’ର ଦ୍ବିତୀୟ ସଂଧ୍ୟା : ଯୁବପିଢ଼ି ଧରନ୍ତୁ ପରିବର୍ତ୍ତନର ମଙ୍ଗ- ପିସିସି ସଭାପତି

ଖୋର୍ଦ୍ଧା : ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳରେ ‘ଆମ ଗାଁ ମହୋତ୍ସବ’ ଭଳି ମହୋତ୍ସବ ଆୟୋଜନ କରିବାର ଆବଶ୍ୟକତା ରହିଛି। ଏହାଦ୍ବାରା ଲୋକକଳା ବଞ୍ଚିରହିବା ସହ ଅନେକ ଲୁକ୍‌କାୟିତ ପ୍ରତିଭା ଆଗକୁ ଆସିବାର ସୁଯୋଗ ପାଇବେ ବୋଲି ବେଗୁନିଆ ମଲ୍ଲୀପଦରଠାରେ ଅନୁଷ୍ଠିତ ‘ଆମ ଗାଁ ମହୋତ୍ସବ’ର ଦ୍ବିତୀୟ ସଂଧ୍ୟାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟ କଂଗ୍ରେସର ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜିର ଦୁନିଆରେ ସେ କୃଷକ ହୁଅନ୍ତୁ କି ସାଧାରଣ ଲୋକ, କେହି ଖୁସିରେ ନାହାନ୍ତି। ଏଣୁ ସମାଜରେ ପରିବର୍ତ୍ତନର ଆବଶ୍ୟକ । ଏହି ପରିବର୍ତ୍ତନର ମଙ୍ଗ ଆଜିର ଯୁବପିଢ଼ି ଧରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେହିଭଳି ସମାଜସେବୀ ପ୍ରଦୀପ ସାହୁ କହିଥିଲେ ଯେ ରାଜନୀତି, ଦଳ ନୀତିରୁ ଊର୍ଦ୍ଧ୍ବରେ ରହି ଏଭଳି ମହୋତ୍ସବ ଆୟୋଜନ କରିବା ଉଚିତ। ଏହାଦ୍ବାରା ଓଡ଼ିଶାର ପାରମ୍ପରିକ କଳା, ନୃତ୍ୟ ଆଦି ବଞ୍ଚିରହିବ। କଂଗ୍ରେସ ସମୟର ପ୍ରଗତି ସମ୍ପର୍କରେ ଆଲୋଚନା କରି ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। ସେ କହିଥିଲେ ଯେ କଂଗ୍ରେସ ସମୟରେ ବେଗୁନିଆରେ ଅନେକ ଉନ୍ନତି ହୋଇଛି। ସାରୁଅ ଶିଳ୍ପାଞ୍ଚଳ ଏହାର ଏକ ପ୍ରମୁଖ ଉଦାହରଣ। ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ପୃଥ୍ବୀବଲ୍ଲଭ ପଟ୍ଟନାୟକ, ବେଗୁନିଆ ବ୍ଲକ୍‌ କଂଗ୍ରେସ ସଭାପତି ହାଡ଼ିବନ୍ଧୁ ମହାପାତ୍ର, ବୋଲଗଡ଼ ମହୋତ୍ସବର ସମ୍ପାଦକ ମନୋଜ କୁମାର ପଣ୍ତା, କଣ୍ଟାବାଡ଼ ସମିତି ସଭ୍ୟ ସୁବାସ ଚନ୍ଦ୍ର ମହାନ୍ତି, ସମାଜସେବୀ ମହମ୍ମଦ ମଇଉଦ୍ଦିନ୍ ଅହମ୍ମଦ, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଜାନକୀବଲ୍ଲଭ ପଟ୍ଟନାୟକ (କନିଷ୍ଠ)ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ‘ଆମ ଗାଁ’ ମହୋତ୍ସବ’ ସଭାପତି ବିଦ୍ୟାଧର ମହରଣା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ମହୋତ୍ସବ କମିଟିର ସମ୍ପାଦକ ଶିଶିର କୁମାର ଆଚାର୍ଯ୍ୟ ଧନ୍ୟବାଦ ଦେଇଥିବା ବେଳେ ଅଖିଳେଖ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଅବସରରେ ବେଗୁନିଆ ଅଞ୍ଚଳର ସାମ୍ବାଦିକ, ଲେଖକ, କବି, କଳାକାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର