‘ଆମ କୃଷି’ ବ୍ରାଣ୍ଡ୍‌କୁ ଲୋକାର୍ପଣ କଲେ କୃଷିମନ୍ତ୍ରୀ

ଭୁବନେଶ୍ବର : ଆଜି କୃଷିମନ୍ତ୍ରୀ ଶଶିଭୂ‌ଷଣ ବେହେରା ମୋବାଇଲ୍‌ ଭିତ୍ତିକ କୃଷି ସୂଚନା ଓ ପରାମର୍ଶ ସେବା ‘ଆମ କୃଷି’ ବ୍ରାଣ୍ଡକୁ ଲୋକାର୍ପଣ କରିଛନ୍ତିି। ଏହା ମାଧ୍ୟମରେ ଚାଷୀମାନଙ୍କୁ ତୁରନ୍ତ କୃଷି ପରାମର୍ଶ ଓ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଦ୍ବାରା କୃଷି କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିହେବ ବୋଲି ସେ କହିଛନ୍ତି।

ଆଜି ସଚିବାଳୟରେ ଏହି ବ୍ରାଣ୍ଡର ଲୋକାର୍ପଣ ଅବସରରେ କୃଷିମନ୍ତ୍ରୀ ଶ୍ରୀ ବେହେରା ‘ଆମ କୃଷି’ର ସଫଳତା ସଂପର୍କରେ ଆଲୋକପାତ କରିଥିଲେ। ଏହା ମାଧ୍ୟମରେ ଚାଷୀଙ୍କୁ ମିଳୁଥିବା ତଥ୍ୟକୁ ବିଶେଷ୍ଳଣ କରି ସମସ୍ୟାଗୁଡ଼ିକର ସଠିକ୍‌ ସମାଧାନ ସହିତ ଆଗୁଆ ପରାମର୍ଶ ଦିଆଯାଇପାରୁଛି। ସୂଚନାଯୋଗ୍ୟ, ଚାଷୀଙ୍କୁ ମୋବାଇଲ୍‌ ଭିତ୍ତିକ କୃଷି ସୂଚନା ଓ ପରାମର୍ଶ ସୂଚନା ସେବା ଯୋଗାଇଦେବା ପାଇଁ କୃଷି ବିଭାଗ ଓ ପ୍ରିସିସନ୍‌ ଏଗ୍ରିକଲ୍‌ଚର ଫର ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ (ପିଏଡିଆଇଏଫ୍‌) ସଂସ୍ଥା ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଛି। ଗତ ଏକବର୍ଷ ମଧ୍ୟରେ ୩୦ଟି ଜିଲ୍ଲାର ପ୍ରାୟ ୨ ଲକ୍ଷ ଚାଷୀଙ୍କୁ ଏହି ସେବା ଉପଲବ୍ଧ ହୋଇଛି।

ଚାଷୀଙ୍କ ବ୍ୟତୀତ ଏହା ମାଧ୍ୟ‌ମରେ ହ୍ବାଟ୍‌ସଆପ୍‌ ଓ ମୋବାଇଲ୍‌ ସଂଯୁକ୍ତ ହୋଇଛନ୍ତିି କୃଷି ବିଭାଗର ସମସ୍ତ କ୍ଷେତ୍ରୀୟ କର୍ମଚାରୀ। ଏହି ଅବସରରେ ବିଭାଗୀୟ ପ୍ରମୁଖ ସଚିବ ଡ. ସୌରଭ ଗର୍ଗ, ନିର୍ଦେଶକ ଡ. ଏମ୍‌. ମୁଥୁକୁମାର, ଇମେଜ୍‌ ନିର୍ଦେଶକ ସତ୍ୟନାରାୟଣ ମିଶ୍ର, ବିଭାଗୀୟ ବରିଷ୍ଠ ଅଧିକାରୀ, ପିଏଡିଆଇଏଫ୍‌ କର୍ମକର୍ତମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର