ଖୋର୍ଦ୍ଧା: ଖୋର୍ଦ୍ଧାରେ ଗୁରୁବାର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏନେଇ ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ, ବେଗୁନିଆ, ଟାଙ୍ଗୀ ବ୍ଲକରେ ଅନୁଷ୍ଠିତ ସଭାକୁ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ  ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ସମ୍ବୋଧିତ କରିବା ସହ ଖୋର୍ଦ୍ଧା ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀ ପାଇଁ ମୋଟ ୯୫ କୋଟି ଟଙ୍କାର ୨୭୬୩ଟି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି।

Advertisment

ଆଜି ଖୋର୍ଦ୍ଧା ପୌରାଞ୍ଚଳର ଭାଲିଆବାଡ଼ି ଖେଳପଡ଼ିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ ପାଇଁ ସଭା ହୋଇଥିଲା। ଏଥିରେ ଖୋର୍ଦ୍ଧା ବ୍ଲକ, ପୌରାଞ୍ଚଳର ବିଭିନ୍ନ ପଞ୍ଚାୟତର ୩ହଜାରରୁ ଉର୍ଧ୍ବ ପୁରୁଷ ଓ ମହିଳା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପୌର ପରିଷଦ ଅଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି, ଖୋର୍ଦ୍ଧା ବ୍ଲକ ଅଧ୍ୟକ୍ଷଶ୍ରୀମୟୀ ପ୍ରିୟଦର୍ଶିନୀ , ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ବିଡିଓ କ୍ଷୀରାବ୍ଧୀ ତନୟା ସାହୁ, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ।

୫ଟି ଓ ଆମଓଡ଼ିଶା-ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍‌ ସଭାକୁ ସମ୍ବୋଧିତ କରିଥିଲେ। ଅଭିଭାଷଣରୁ ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧା ଉପଖଣ୍ଡର ବେଗୁନିଆ ନିର୍ବାଚନମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୩୪.୩୯ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ସହ ବେଗୁନିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ କରାଯାଇଛି। ବୋଲଗଡ଼ର ପରମାନନ୍ଦ ମହାବିଦ୍ୟାଳୟ ପାଇଁ ୨.୨୫ କୋଟି, ବେଗୁନି୍ଆ ମହାବିଦ୍ୟାଳୟ ପାଇଁ ୧.୭୫ କୋଟି ଟଙ୍କା, ଖୋର୍ଦ୍ଧା ବ୍ଲକ ଓ ପୌରାଞ୍ଚଳରେ ୮ଟି ପ୍ରକଳ୍ପ ପାଇଁ ୪୦.୬୭ କୋଟି ଟଙ୍କା ମଞ୍ଜୁର ହୋଇଛି। ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨ କୋଟି ଟଙ୍କା, ପ୍ରାଣନାଥ ମହାବିଦ୍ୟାଳୟ, ନିରାକାରପୁର କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ, କାଇପଦର ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଅର୍ଥ ମଞ୍ଜୁର ହୋଇଛି। ଚିଲିକା ନିର୍ବାଚନମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୬୨.୪୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ମଧ୍ୟରେ ଚଣ୍ଡେଶ୍ବର ଦେବ ମନ୍ଦିର, ଗୋଦାବରୀଶ ମହାବିଦ୍ୟାଳୟ, ବାଲୁଗାଁ ମହାବିଦ୍ୟାଳୟର ବିକାଶ ଆଦି ପ୍ରକଳ୍ପ ରହିଛି।

ଏହି ଅବସରରେ ଖୋର୍ଦ୍ଧା ବିଧାୟକ ଶ୍ରୀ ମିତ୍ର ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଚାଲିଥିବା ବିକାଶର ଧାରା ୫-ଟି କାର୍ଯ୍ୟକ୍ରମରେ ଅଧିକ ତ୍ବରାନ୍ବିତ ହୋଇଛି ବୋଲି କହିଥିଲେ। ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଜିଲ୍ଲାର ବିକାଶ, ପାନୀୟ ଜଳ ସମସ୍ୟାର ସମାଧାନ, ଚିକିତ୍ସାଳୟ ଓ ଶିକ୍ଷାନୁଷ୍ଠାନ, ଦେବାଳୟ ଆଦିର ବିକାଶ ହୋଇଛି ବୋଲି ମତ ଦେଇଥିଲେ।  ତେବେ ଖୋର୍ଦ୍ଧା ସହରରେ ଏକ ମାର୍କେଟ୍‌ କଂପ୍ଲେକ୍ସ ନିର୍ମାଣର ଆବଶ୍ୟକତା ରହିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର କିଛି ସମୟ ପରେ ୫-ଟି ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏନେଇ ତୁରନ୍ତ ପଦକ୍ଷେପ ନିଆଯିବାକୁ ପ୍ରତିଶ୍ରୁତି ଦେଇଥିଲେ।