ସଂସ୍କୃତିର ସଂଗମ ହେଲେ ଏହା ଅଧିକ ଋଦ୍ଧିମନ୍ତ ହୋଇଥାଏ : ପ୍ରସନ୍ନ ଦାଶ

ଆମ ଓଡ଼ିଶା ବକ୍ତୃତାମାଳା

ଭୁବନେଶ୍ୱର : ସଂସ୍କୃତି ଏକ ପ୍ରବହମାନ ନଦୀ। କିନ୍ତୁ ଏହାର ସଂଗମ ହେଲେ ଏହା ଅଧିକ ଋଦ୍ଧିମନ୍ତ ଓ ବ୍ୟାପୃତ ହୋଇଥାଏ ବୋଲି ବିଶିଷ୍ଟ ସଂସ୍କୃତି ସଂଗଠକ ତଥା ବରିଷ୍ଠ ଆୟକର ଆୟୁକ୍ତ ପ୍ରସନ୍ନ କୁମାର ଦାଶ କହିଛନ୍ତି।

‘ଆମ ଓଡ଼ିଶା’ କାର୍ଯ୍ୟାଳୟରେ ସ୍ୱାଭିମାନ ଦିବସ ଉପଲକ୍ଷେ ଆୟୋଜିତ ‘ଆମ ଓଡ଼ିଶା ବକ୍ତୃତାମାଳା’ ପ୍ରଦାନ କରି ଶ୍ରୀ ଦାଶ କହିଲେ ଯେ, ଓଡ଼ିଶାର ସଂସ୍କୃତିର ବୈଶିଷ୍ଟ୍ୟକୁ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରଶଂସା କରିଛନ୍ତି। ଜଣେ ଓଡ଼ିଆ ଲୋକର ପରିଚୟ ହେଉଛି ଶାନ୍ତ, ସରଳ ଓ ସ୍ୱାଭିମାନୀ ବ୍ୟକ୍ତି ବିଶେଷ ହିସାବରେ।

ସଭାରେ ସଭାପତିତ୍ୱ କରି ‘ଆମ ଓଡ଼ିଶା’ ଅଧ୍ୟକ୍ଷ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ଓଡ଼ିଶାକୁ ଯିଏ ଯେତେ ପଛରେ ପକାଇବାକୁ ଚାହିଁଲେ ମଧ୍ୟ ଏହାକୁ କେହି ପଛରେ ପକାଇ ପାରିବେ ନାହିଁ। ଓଡ଼ିଶାର ସଂସ୍କୃତି ଓ ସଭ୍ୟତା ଏତେ ସମୃଦ୍ଧ ଯେ ଓଡ଼ିଶା ସବୁବେଳେ ଆଗରେ ରହିବ।

ଜଣେ ପାଶ୍ଚାତ୍ୟ ପଣ୍ଡିତ କହିଥିଲେ ଯେ ସୁନ୍ଦର ସୁନ୍ଦର ଜିନିଷ ତିଆରି କରିବା ହେଲା ସଂସ୍କୃତି ଏବଂ ଏହି ସୁନ୍ଦର ସୁନ୍ଦର ଜିନିଷର ସମାହାର ହେଲା ସଭ୍ୟତା। ତେଣୁ ଓଡ଼ିଶା ବହୁତ ସୁନ୍ଦର କଳା ଓ ଭାସ୍କର୍ଯ୍ୟ ତିଆରି କରି ସଂସ୍କୃତି ଓ ସଭ୍ୟତା କ୍ଷେତ୍ରରେ ବେଶ୍‌ ଆଗୁଆ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ‘ପୌରୁଷ’ ସଂପାଦକ ଅସିତ୍‌ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର