ରାଇରଙ୍ଗପୁର: ପଞ୍ଚାୟତ ବ୍ୟବସ୍ଥାର ପଲ୍ଲୀସଭା ହେଉଛି ମୂଳ ଉଦ୍ଦେଶ୍ୟ। ଗ୍ରାମବାସୀମାନେ ପଲ୍ଲୀ ସଭା ମାଧ୍ୟମରେ ନିଜ ଅଂଚଳର ବିକାଶ କରିଥାନ୍ତି। କିନ୍ତୁ ଆଜି ସରପଞ୍ଚମାନେ ସରକାରଙ୍କ ସାବତ ପୁଅ ପାଲଟିଛନ୍ତି। ସେମାନଙ୍କୁ ଅଣଦେଖା କରୁଛନ୍ତି। ଏହାକୁ ନେଇ ରାଜ୍ୟ ସରପଞ୍ଚ ସଂଘ ତରଫରୁ ସେମାନଙ୍କ ୧୫ ଦଫା ଦାବି ନେଇ ରାଜଧାନୀରେ ଦୀର୍ଘ ୨୨ ଦିନଧରି ଧାରଣା ଦେଇଥିଲେ। ସେମାନଙ୍କୁ ଦାବି ପ୍ରତି ସ୍ଥାୟୀ ସମାଧାନ କରା ନ ଯାଇ ୧ ମାସ ପାଇଁ ସମୟ ନେଇଥିଲେ କିନ୍ତୁ ପ୍ରତିଶ୍ରୁତି ପାଣିରେ ଗାର ହୋଇ ରହିଛି। ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁ ନାହାନ୍ତି। ପ୍ରତିଶ୍ରୁତି ପ୍ରତିବଦଳରେ ସରକାର 'ମୋ ଓଡ଼ିଶା, ନବୀନ ଓଡିଶା' କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ।
ଚଳିତ ମାସ ୪ ତାରିଖ ଦିନ ଏହି କାର୍ଯ୍ୟକ୍ରମ ରାଇରଙ୍ଗପୁର କଲେଜ ପଡ଼ିଆରେ ଶୁଭାରମ୍ଭ ହେଉଥିବାରୁ ତାହାକୁ ବର୍ଜନ କରିବେ ବୋଲି ରାଇରଙ୍ଗପୁର ସରପଞ୍ଚ ସଂଘର ୯ଟି ପଞ୍ଚାୟତର ସରପଞ୍ଚଙ୍କ ତରଫରୁ ରାଇରଙ୍ଗପୁର ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କର ଦାବି ଥିଲା ବିନା ପଲ୍ଲୀ ସଭାରେ ଏବଂ ବିନା ସରପଞ୍ଚଙ୍କ ଅଜାଣତରେ କେମିତି ୫୦ ଲକ୍ଷ ଟଙ୍କାର କାମ ମଂଜୁର କରାଯାଇଛି । ଜନପ୍ରତିନିଧି ମାନଙ୍କୁ କ୍ଷମତା ଦୂରେଇ ରଖିବା ପାଇଁ ଏହା ସରକାରଙ୍କ ଷଡ଼ଯନ୍ତ୍ର ନୁହେଁ ତ! ସରପଞ୍ଚଙ୍କ କ୍ଷମତାକୁ ଯୋଜନାବଦ୍ଧ ଭାବେ ସଂଙ୍କୁଚିତ କରିବା ସରକାର ଯେପରି ପଦକ୍ଷେପ ନେଇଛନ୍ତି ତାହା ସରକାରଙ୍କ ଉଚିତ ପଦକ୍ଷେପ ନୁହେଁ। ଏହି ଉତ୍ସବରେ କୌଣସି ସରପଞ୍ଚ ଯୋଗ ଦେବେ ନାହିଁ । ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ ସମୟରେ ହଳଦା ସରପଞ୍ଚ ପ୍ରଭାସ ରଂଜନ ହାଁସଦା, ହାତିଆ ସରପଞ୍ଚ ଲାଲ ବାହାଦୁର ସୋରେନ, କୁଲେଇଶିଳା ସରପଞ୍ଚ ମିଲିରାଣୀ ସିଂ, ବଡମୌଦା ସରପଞ୍ଚ ସୁକାନ୍ତି ହେମ୍ବ୍ରମ, ପୁରୁଣାପାଣି ସରପଞ୍ଚ ବାହ୍ଲିମଣି ଟୁଡୁ, ଭାଲୁବସା ସରପଞ୍ଚ ଯମୁନା ମଣି ସିଂ, ସୁଦର୍ଶନପୁର ସରପଞ୍ଚ କରବି ମୁଣ୍ଡାରୀ, ସାନପାଖଣା ସରପଞ୍ଚ ସାଓ୍ବାନା ମାଝୀ ଏବଂ ଗୁହାଳଡାଙ୍ଗିରୀ ସରପଞ୍ଚ ବିଶୁ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।