ଭୁବନେଶ୍ବର: ସବୁ ପଞ୍ଚାୟତରେ ପହଞ୍ଚିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା। ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି କାର୍ଯ୍ୟକ୍ରମ। ରେକର୍ଡ ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। କେନ୍ଦୁଝରରୁ ଆରମ୍ଭ ହୋଇ ଉତ୍ସାହ ଆନନ୍ଦର ସହ ବାଣର ଶବ୍ଦ ଓ ଆଲୋକର ଫୁଆର ମଧ୍ୟରେ ଯାଜପୁରରେ ଉଦ୍‌ଯାପନ ହୋଇଛି ଏହି କାର୍ଯ୍ୟକ୍ରମ। ଏକ ମାସ ମଧ୍ୟରେ ସମାପନ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୬.୫୦ ଲକ୍ଷ ଲୋକ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ଜନସାଧାରଣ, ଲୋକ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଲେ ୫ଟି ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ।
Advertisment
ଏହା ସହିତ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମି ସୁଦୃଢ ହେବାର ଅଭିଯାନ ଆଜି ରାଜ୍ୟର ସବୁ ଜିଲ୍ଲା, ସବୁ ବ୍ଲକ, ସବୁ ପଞ୍ଚାୟତ ଓ ସବୁ ଗାଁରେ ପହଞ୍ଜି ପାରିଛି। ସାରା ରାଜ୍ୟରେ ୩,୩୯୭ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି କାର୍ଯ୍ୟକ୍ରମର ଫୋକସ୍‌ ହୋଇଛି ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଅନ୍ତିମ ଦିନରେ କୋରାପୁଟ, ନୂଆପଡା ଓ ଯାଜପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।
publive-image
କୋରାପୁଟ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୨୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା–ଲକ୍ଷ୍ମୀପୁର, କୋଟପାଡ, ଜୟପୁର, କୋରାପୁଟ ଓ ପଟାଙ୍ଗୀ।  ଏହିସବୁ ନିର୍ବାଚନ ମଣ୍ଡଳୀର ୧୪ଟି ବ୍ଲକ୍‌‌ର ୨୪୦ଟି ଗ୍ରାମ ପଞ୍ଚାୟତରେ ୩୦୮୭ଟି ପ୍ରକଳ୍ପ ହେବ। ସେହିପରି ନୂଆପଡା ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ  ୬୫.୫୦ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା– ନୂଆପଡା ଓ ଖରିଆର। ଏଥିରେ ୫ଟି ବ୍ଲକ୍‌ର ୧୩୧ଟି ଗ୍ରାମପଞ୍ଚାୟତରେ ୧୭୬୫ଟି ପ୍ରକଳ୍ପ କରାଯିବ। ସେହିପରି ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୧୫୫.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା– ଯାଜପୁର, ବିଞ୍ଝାରପୁର, ବଡଚଣା, ବରି, ସୁକିନ୍ଦା, ଧର୍ମଶାଳା ଓ କୋରେଇ। ଏହିସବୁ ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍‌‌ର ୩୧୧ଟି  ଗ୍ରାମ ପଞ୍ଚାୟତରେ ୪୧୦୯ଟି ପ୍ରକଳ୍ପ ହେବ।
ଆଜିର କାର୍ଯ୍ୟକ୍ରମ ପାଇଁ କୋରାପୁଟ ଜିଲ୍ଲାର ୫ଟି, ନୂଆପଡା ଜିଲ୍ଲାର ୨ଟି ଓ ଯାଜପୁର ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। କୋରାପୁଟରେ ୭୦ ହଜାରରୁ ଅଧିକ ଓ ଯାଜପୁରରେ ୮୦ ହଜାରରୁ ଅଧିକ ଲୋକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ୮୦ ପ୍ରତିଶତ ହେଉଛନ୍ତି ମା’ମାନେ। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ଅଭିନବ କାର୍ଯ୍ୟକ୍ରମ। ଗାଁରେ ଆଧୁନିକ ବିକାଶର ଭିତ୍ତି ପକେଇବା ପାଇଁ ଏହା ପରିକଳ୍ପନା କରାଯାଇଛି। ଜଗନ୍ନାଥ ସଂସ୍କୃତିକୁ ସାଥିରେ ଧରି, ଡିଜିଟାଲ ଯୁଗ ସହିତ ତାଳ ଦେଇ ଆମ ଓଡିଶାର ଗାଁଗୁଡିକ ଆଗକୁ ବଢୁଛନ୍ତି। ସେ କହିଥିଲେ ଯେ ବିକାଶର ନୂଆ ଇତିହାସ ଲେଖୁଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’। ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ  ସଂସ୍କୃତିର ସମନ୍ୱୟ ଏକ ସଶକ୍ତ ଓଡିଶା ଗଠନର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ। ସେ ପୁଣି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଗାଁ ଗାଁରେ ଆଧୁନିକ ଓଡିଶାର ଭିତ୍ତି ସ୍ଥାପନ କରିବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।
ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ। ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ସମସ୍ତଙ୍କ ପାଖରେ ପହଞ୍ଚି ପାରିଛୁ । ଲୋକ ଯାହା ଚାହିଁଛନ୍ତି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସେହି ଅନୁଯାୟୀ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ବିକାଶର ଯାତ୍ରାରେ କେହି ବି ବାଦ ପଡି ନାହାନ୍ତି। ସେ ପୁଣି କହିଥିଲେ ଯେ ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଓ ସ୍ୱଚ୍ଛତାର ସହ କରିବୁ। ସେ କହିଥିଲେ ଯେ ମା ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ ଆଜି ସଫଳ ହୋଇଛି। ମା’ ମାନେ ଏହି କାର୍ଯ୍ୟକ୍ରମରେ ବିପୁଳ ଭାବରେ ଅଂଶଗ୍ରହଣ କରି ନବୀନ ଓଡିଶାର ଯାତ୍ରାରେ ଭାଗିଦାର ହୋଇଛନ୍ତି।
ସେ ପୁଣି କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର,  ୫ ଟଙ୍କାରେ ଲକ୍ଷ୍ମୀ ବସ,  ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା’ ମାନଙ୍କ ପାଇଁ ଆଉ ୫ ଲକ୍ଷ  ଟଙ୍କା ଦିଆଯାଉଛି ବୋଲି ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।
୩ଟି ଜିଲ୍ଲାରେ ସମୁଦାୟ ୧୨୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭୯.୯୮  କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାଚସ୍ପତି ପ୍ରମିଳା ମଲ୍ଲିକ, ମନ୍ତ୍ରୀ ରାଜେନ୍ଦ୍ର କୁମାର ଢୋଲକିଆ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ  ଅମର ପ୍ରସାଦ ଶତପଥୀ, ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଧାୟିକା ସୁନନ୍ଦା ଦାସ, ବିଧାୟକ ଅଶୋକ କୁମାର ବଳ, ବିଧାୟକ ପ୍ରଭୁ ଜାନି, ବିଧାୟିକା ପଦ୍ମିନୀ ଦିଆନ, ବିଧାୟକ ପିତମ ପାଢି, ବିଧାୟକ ରଘୁରାମ ପଡାଲ ଓ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।
ବିଞ୍ଝାରପୁରଠାରେ ଉପସ୍ଥିତ ବାଚସ୍ପତି ଶ୍ରୀମତୀ ମଲ୍ଲିକ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯେଉଁ ଭଳି ସବୁ ପଦକ୍ଷେପ ନିଆଯାଉଛି ତାହା ପ୍ରଶଂସନୀୟ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ବଳରେ ଓଡିଶା ଆଗକୁ ଯିବ ଓ ନୂତନ ରୂପ ପାଇବ। କୋମନାଠାରେ ଉପସ୍ଥିତ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଥିଲେ ଯେ ଗ୍ରାମାଞ୍ଚଳରେ ବିକାଶ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ସାରା ଭାରତ ବର୍ଷରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଜୁ ଏକ୍ସପ୍ରେସ୍ ୱେ ଆଜି ନୂଆପଡାବାସୀଙ୍କ ଲାଇଫଲାଇନ୍ ପାଲଟିଛି। ସୁକିନ୍ଦାଠାରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ଘଡାଇ କହିଲେ ଯେ ୭ ଦିନ ମଧ୍ୟରେ ପ୍ରକଳ୍ପ ମଞ୍ଜୁରି କରିବା ଏକ ଐତିହାସିକ ଘଟଣା । ପ୍ରଶାସନରେ ୫ଟି ପ୍ରୟୋଗ ଆଜି ରାଜ୍ୟରେ ଭରଷାର ପ୍ରତୀକ ହୋଇଛି।
ଯାଜପୁରଠାରେ ଉପସ୍ଥିତ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଲେ ଯେ ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବାରେ ୫ଟି ଅଧ୍ୟକ୍ଷଙ୍କ ପ୍ରତିବଦ୍ଧତାର ତୁଳନା ନାହିଁ। ପଟାଙ୍ଗୀଠାରେ ଉପସ୍ଥିତ ବିଧାୟକ ପ୍ରୀତମ ପାଢ଼ୀ କହିଥିଲେ ଯେ ଆମ ଓଡ଼ିଶା ନବୀନ ଓଡ଼ିଶା ଭଳି ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମ ସାରା ଭାରତବର୍ଷରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ କରି ନାହାନ୍ତି। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏହା କରି ଦେଖାଇ ଦେଇଛନ୍ତି। ସେଥିପାଇଁ ସାଢେ ଚାରି କୋଟି ଓଡିଶାବାସୀ ଗୌରବାନ୍ୱିତ। କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦ କହିଲେ ଯେ ଆଜି ବିକାଶ ଜନସାଧାରଣଙ୍କ ପାଖରେ ପହଞ୍ଚୁଛି। ସମଗ୍ର ଭାରତବର୍ଷରେ ଓଡିଶାର ବିକାଶ ଆଜି ଚର୍ଚ୍ଚାର ବିଷୟ । ୭ ଦିନ ମଧ୍ୟରେ  ସମସ୍ୟା ସମାଧାନ ବାସ୍ତବରେ ଅଭୂତପୂର୍ବ ଓ ଆଶ୍ଚର୍ଯ୍ୟଜନକ। ଆମ ସମସ୍ତଙ୍କ ପାଇଁ ଆଣିଛି ଅପାର ଆନନ୍ଦ। କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।