ସୁନ୍ଦରଗଡ଼: ଆସନ୍ତା ୮ ତାରିଖରେ ଜିଲ୍ଲା ବ୍ୟାପି ହେବାକୁ ଥିବା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’କୁ ବର୍ଜନ କରିବ ସରପଞ୍ଚ ସଂଘ। ଯୋଜନାୟରେ ସରପଞ୍ଚମାନଙ୍କ କୌଣସି ଭୂମିକା ନଥିବାରୁ ଏଥିରେ ସାମିଲ ନହେବା ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଳାପଟି ବାନ୍ଧି ବିକ୍ଷୋଭ କରିବାକୁ ନିଷ୍ପତ୍ତି ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଂଘ ସଭାପତି ଉଗ୍ରସେନ କିସାନ ଓ ସାଧାରଣସମ୍ପାଦକ ତ୍ରିଲୋଚନ କିସାନ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି। ପୂର୍ବରୁ ପଞ୍ଚାୟତ ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଗ୍ରାମସଭାକୁ ସର୍ବୋଚ୍ଚ ମାନ୍ୟତା, ପ୍ରତି ଆର୍ଥିକ ବର୍ଷରେ ପଞ୍ଚାୟତର ବିକାଶ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୨୦ ଲକ୍ଷ ଟଙ୍କା ପ୍ରଦାନ, ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଆବେଦନକାରୀଙ୍କୁ ଭତ୍ତା ନପାଇବା ଯାଏଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ପ୍ରଦାନ, ସରପଞ୍ଚଙ୍କ ମାସିକ ଭତ୍ତା ୨୩୫୦ ଟଙ୍କାରୁ ୧୫ ହଜାରକୁ ବୃଦ୍ଧି, ପେନସନ, କାର୍ଯ୍ୟକାଳ ସମୟରେ ପ୍ରାଣ ହରାଇଥିବା ସରପଞ୍ଚଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଆଦି ୧୦ ଦଫା ଦାବିରେ ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଂଘ ଅଗଷ୍ଟ ୧ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲମ ଛାଡ୍ ଆନ୍ଦୋଳନ କରିଥିଲା। ଏହି ସମୟରେ ସରପଞ୍ଚମାନେ ଡିଜିଟାଲ ଦସ୍ତଖତ (ଡିଏସସି) ଜରିଆରେ ଦେୟ ପ୍ରଦାନ ମଧ୍ୟ ବନ୍ଦ କରିଥିଲେ। ଏହା ପରେ ଅଗଷ୍ଟ ୧୪ରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜିଲ୍ଲାପାଳଙ୍କୁ ଚିଠି ଲେଖି ସରପଞ୍ଚ ସଂଘ ସହ ଆଲୋଚନା କରି ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲା। କିନ୍ତୁ ଜିଲ୍ଲାପାଳ କୌଣସି ଆଲୋଚନା କରି ନଥିବା ବେଳେ ଜିଲ୍ଲା ପ୍ରଶାସନ ସରପଞ୍ଚମାନଙ୍କ ଡିଜିଟାଲ ଦସ୍ତଖତ କ୍ଷମତାକୁ ହଟାଇବାକୁ ସରକାରଙ୍କୁ ଚିଠି ଲେଖିଥିଲା। ଏହା ପରେ ରାଜ୍ୟ ସରପଞ୍ଚ ମହାସଂଘ ନିର୍ଦେଶକ୍ରମେ ୩୬ ଦିନ ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଥିଲା ସଂଘ।
‘ଆମ ଓଡ଼ିଶା, ନବୀନ ଓଡ଼ିଶା’କୁ ବର୍ଜନ କରିବ ସରପଞ୍ଚ ସଂଘ
/sambad/media/post_attachments/wp-content/uploads/2023/11/f46072ae-94d7-4c7f-beaf-1c6a328bb817.jpeg)