ଶ୍ରୀଲିଙ୍ଗରାଜଙ୍କ ପାଖରେ ସମର୍ପିତ ହେଲା ‘ଆମ ପାଞ୍ଜି’

ଭୁବନେଶ୍ୱର : ଆଜି ପବିତ୍ର ଫଗୁ ଦଶମୀ ଓ ଶ୍ରୀଲିଙ୍ଗରାଜଙ୍କ ଚନ୍ଦ୍ରଶେଖର ବେଶ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ର ‘ଆମ ପାଞ୍ଜି’ ଠାକୁରଙ୍କ ନିକଟରେ ସମର୍ପିତ ହୋଇଛି। ୨୦୨୧-୨୨ ବର୍ଷ ପାଇଁ ଆଜି ଏହି ପାଞ୍ଜି ପ୍ରକାଶ ପାଇଛି। ଏହି ପବିତ୍ର ସମର୍ପଣ ଅବସରରେ ‘ସମ୍ବାଦ’ ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସଂପାଦକ ସ୍ବରାଜ ମିଶ୍ର ଓ ପ୍ରକାଶନ ସମ୍ପାଦକ ଅସିତ୍‌ ମହାନ୍ତି, ସମ୍ବାଦ ପୋର୍ଟାଲ ମୁଖ୍ୟ ଧୃତିକାମ ମହାନ୍ତି, ଲିଙ୍ଗରାଜ ମନ୍ଦିର ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ, ମନ୍ଦିର ସୁପରଭାଇଜର ରାଜ କିଶୋର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଦଶ ବର୍ଷ ହେଲା ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଏହି ପାଞ୍ଜି ପ୍ରସ୍ତୁତ କରାଯାଉଛି ଓ ସମଗ୍ର ରାଜ୍ୟରେ ‌ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ବିଶିଷ୍ଟ ଗଣକବୃନ୍ଦଙ୍କ ଦ୍ବାରା ପ୍ରସ୍ତୁତ ଏହି ପାଞ୍ଜି ବହୁ ଦୃଷ୍ଟିରୁ ସ୍ବତନ୍ତ୍ର। ମୁଖ୍ୟତଃ ସରଳ ଭାଷା ହେଉଛି ଏହାର ସ୍ବାତନ୍ତ୍ରୢ। ତିଥି, ବାର, ନକ୍ଷତ୍ର, ଶ୍ରାଦ୍ଧ, ପୁଷ୍କର ଦୋଷ, ଯୋଗିନୀ ସ୍ଥିତି, ଦୂରଯାତ୍ରାର ଶୁଭାଶୁଭ, ବିବାହ, ବ୍ରତ ଆଦିର ଦିନ ସଂପର୍କରେ ସମସ୍ତ ତଥ୍ୟ ସରଳ ଭାଷାରେ ଉଲ୍ଲେଖ କରାଯାଇଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ହୋଇପାରୁଛି। ଏହାର ଅନ୍ୟ ଆକର୍ଷଣ ହେଉଛି ମାସ ଅନୁସାରେ ବିଭିନ୍ନ ବାର ଓ ରାଶିର ଫଳାଫଳ। ସେହିଭଳି ଏହାର ସୁଲଭ ମୂଲ୍ୟ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଗ୍ରହଣୀୟ ହୋଇପାରୁଛି। ପୂର୍ବ ଭଳି ଏଥର ମଧ୍ୟ ୨୬୦ ପୃଷ୍ଠା ବିଶିଷ୍ଟ ଏହି ପାଞ୍ଜିର ମୂଲ୍ୟ ମାତ୍ର ୨୦ ଟଙ୍କା ରଖାଯାଇଥିବାରୁ ଏହାକୁ ସମସ୍ତେ କିଣି ପାରିବେ। ଏହାର ସୁଯୋଗ ନେବାକୁ ‘ଆମ ଓଡ଼ିଶା’ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

ପୁରୀଠାରେ ମଧ୍ୟ ‘ଆମ ପାଞ୍ଜି’ ମହାପ୍ରଭୁଙ୍କୁ ଲାଗି ସହ ସମର୍ପଣ କରାଯାଇଛି। ଏଥିସହିତ, ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧିତ ଖବର