‘ଆମ ପାଞ୍ଜି’ ଶ୍ରୀଜଗନ୍ନାଥ, ଶ୍ରୀଲିଙ୍ଗରାଜଙ୍କ ନିକଟରେ ସମର୍ପିତ

ଭୁବନେଶ୍ୱର/ପୁରୀ : ପବିତ୍ର ହୋଲି ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ‘ଆମ ପାଞ୍ଜି’ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜଙ୍କ ନିକଟରେ ସମର୍ପିତ ହୋଇଛି।

‘ସମ୍ବାଦ’ର ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର, ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି, ଶ୍ରୀଲିଙ୍ଗରାଜ ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର ପ୍ରମୁଖ ଆଶୀର୍ବାଦ ଭିକ୍ଷା କରିବା ସହ ‘ଆମ ପାଞ୍ଜି’ ସମର୍ପଣ କରିଥିଲେ।

ସେହିଭଳି, ପବିତ୍ର ଦୋଳପୂର୍ଣ୍ଣମୀ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ‘ଆମ ପାଞ୍ଜି’ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପିତ ହୋଇ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି। ସିଂହଦ୍ବାର ସମ୍ମୁଖରେ ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସ ମହାପାତ୍ର, ‘ଅଭିନନ୍ଦନିକା’ ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, ଶ୍ରୀମନ୍ଦିର ସୁବେଦାର ଯୋଗେଶ ସ୍ବାଇଁ, ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ସୁମନ୍ତ ପରିଡ଼ା, ସାମ୍ବାଦିକ ଶ୍ୟାମକାହ୍ନା ପଟ୍ଟନାୟକ, ସତ୍ୟନାରାୟଣ ରାଉତରାୟ, ସନ୍ତୋଷ ବରାଳ, ‘କନକ ନ୍ୟୁଜ’ର ଜିଲ୍ଲା ପ୍ରତିନିଧି ସୀମାଞ୍ଚଳ ପାଢ଼ୀ, ସୁକାନ୍ତ ସ୍ବାଇଁ, ପବିତ୍ର କୁମାର ପୃଷ୍ଟି, ବରିଷ୍ଠ ସାମ୍ବାଦିକ ମଧୁସୂଦନ ମିଶ୍ର, ଅକ୍ଷୟ ମିଶ୍ର, ସଂଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖ‌‌ଯୋଗ୍ୟ ଯେ ଗତ ୧୧ ବର୍ଷ ଧରି ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ପ୍ରକାଶିତ ହେଉଥିବା ଏହି ପାଞ୍ଜି ଓଡ଼ିଶାବାସୀଙ୍କ ମଧ୍ୟରେ ଆଦର ଲାଭ କରି ଆସିଛି। ୨୦୨୨-୨୩ ବର୍ଷ ପାଇଁ ଏହି ପାଞ୍ଜି ପ୍ରକାଶ ପାଇଛି। ବିଶିଷ୍ଟ ଗଣକବୃନ୍ଦଙ୍କ ଦ୍ବାରା ପ୍ରସ୍ତୁତ ଏହି ପାଞ୍ଜି ବହୁଦୃଷ୍ଟିରୁ ସ୍ବତନ୍ତ୍ର। ସରଳ ଭାଷାରେ ଏହା ପ୍ରସ୍ତୁତ ହୋଇଛି ଏବଂ ତିଥି, ବାର, ନକ୍ଷତ୍ର, ଶ୍ରାଦ୍ଧ, ପୁଷ୍କର ଦୋଷ, ଯୋଗିନୀ ସ୍ଥିତି, ଦୂରଯାତ୍ରାର ଶୁଭାଶୁଭ, ବିବାହ, ବ୍ରତ ଆଦିର ଦିନ ସଂପର୍କରେ ସମସ୍ତ ତଥ୍ୟ ସରଳ ଭାଷାରେ ଦିଆଯାଇ ଏହାକୁ ଅତ୍ୟନ୍ତ ବ୍ୟବହାର ଉପଯୋଗୀ କରାଯାଇଛି।

ସମ୍ବନ୍ଧିତ ଖବର