ପୁରୀ/ପୁରୁଣା ଭୁବନେଶ୍ୱର : ‘ସମ୍ବାଦ- ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ‘ଆମ ପାଞ୍ଜି’ ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କୁ ସମର୍ପଣ କରାଯାଇଛି। ଅଭିଜ୍ଞ ଜ୍ୟୋତିଷଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ‘ଆମ ପାଞ୍ଜି’ରୁ ସାଧାରଣ ଲୋକଟିଏ ଗ୍ରହ ଚଳନ, ତିଥି, ନକ୍ଷତ୍ର ଆଦି ସୁବିଧାରେ ଜାଣିପାରିବ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତିର ବରିଷ୍ଠ ଗବେଷକମାନେ ମତ ଦେଇଛନ୍ତି। ‘ଆମ ପାଞ୍ଜି’ ଲୋକାର୍ପଣ ଉତ୍ସବରେ ଶ୍ରୀଜଗନ୍ନାଥ ସଂସ୍କୃତିର ବରିଷ୍ଠ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ, ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା, ବରିଷ୍ଠ ସେବାୟତ ମଦନ ମୋହନ ପ୍ରତିହାରୀ, କନକ ଟିଭିର ପୁରୀ ପ୍ରତିନିଧି ସୀମାଞ୍ଜଳ ପାଢ଼ୀ, ‘ସମ୍ବାଦ’ ପ୍ରତିନିଧି ଶ୍ୟାମାକାହ୍ନା ପଟ୍ଟନାୟକ, ଜୟଦେବ ପାତ୍ର, ସୁକାନ୍ତ କୁମାର ସ୍ବାଇଁ, ଅମରେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ପବିତ୍ର ଫଗୁ ଦଶମୀ ଏବଂ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦ୍ରଶେଖର ବେଶ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ପ୍ରସ୍ତୁତ ‘ଆମ ପାଞ୍ଜି’ ଶ୍ରୀଲିଙ୍ଗରାଜଙ୍କ ନିକଟରେ ସମର୍ପିତ ହୋଇଛି। ଶ୍ରୀଲିଙ୍ଗରାଜଙ୍କ ସେବାୟତ ଦୀପକ ବଡ଼ୁ ଠାକୁରଙ୍କୁ ଏହି ପାଞ୍ଜି ସମର୍ପଣ କରିଥିବା ବେଳେ ‘ସମ୍ବାଦ’ ସଂପାଦକ ତଥା ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର, ‘ପୌରୁଷ’ ସଂପାଦକ ଅସିତ ମହାନ୍ତି, ଶ୍ରୀଲିଙ୍ଗରାଜଙ୍କ ବରିଷ୍ଠ ସେବକ ଭାଗୀରଥି ମହାସୁଆର, ମନ୍ଦିର ସେବାୟତ ରାଜକିଶୋର ମହାପାତ୍ର, ମଣ୍ଟୁ ପୂଜାପଣ୍ଡା ଓ ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧି ଲିଙ୍ଗରାଜ ସାହୁ ଉପସ୍ଥିତ ଥିଲେ।
ଉଲ୍ଲେଖନୀୟ ଯେ ବିଗତ ଆଠବର୍ଷ ଧରି ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଏହି ପାଞ୍ଜି ପ୍ରସ୍ତୁତ ହୋଇ ସମଗ୍ର ଓଡ଼ିଶାରେ ଆଦର ପାଇ ଆସିଛି। ୨୦୧୯-୨୦ ବର୍ଷ ପାଇଁ ଆଜି ନବମ ପାଞ୍ଜି ପ୍ରକାଶ ପାଇଛି। ବିଶିଷ୍ଟ ଗଣକବୃନ୍ଦଙ୍କ ଦ୍ବାରା ପ୍ରସ୍ତୁତ ଏହି ପାଞ୍ଜି ବହୁ ଦୃଷ୍ଟିରୁ ସ୍ବତନ୍ତ୍ର। ସରଳ ଭାଷାରେ ଏହା ପ୍ରସ୍ତୁତ ହୋଇଛି ଏବଂ ତିଥି, ବାର, ନକ୍ଷତ୍ର, ଶ୍ରାଦ୍ଧ, ପୁଷ୍କର ଦୋଷ, ଯୋଗିନୀ ସ୍ଥିତି, ଦୂରଯାତ୍ରାର ଶୁଭାଶୁଭ, ବିବାହ, ବ୍ରତ ଆଦିର ଦିନ ସଂପର୍କରେ ସମସ୍ତ ତଥ୍ୟ ସରଳ ଭାଷାରେ ଦିଆଯାଇ ଏହାକୁ ଅତ୍ୟନ୍ତ ବ୍ୟବହାର ଉପଯୋଗୀ କରାଯାଇଛି। ଅନ୍ୟ ଆକର୍ଷଣ ହେଉଛି ମାସ ଅନୁସାରେ ବାର ରାଶିର ଫଳାଫଳ ଓ ଏହାର ସୁଲଭ ମୂଲ୍ୟ। ପୂର୍ବ ବର୍ଷ ପରି ଏଥର ମଧ୍ୟ ୨୬୦ ପୃଷ୍ଠା ବିଶିଷ୍ଟ ଏହି ପାଞ୍ଜିର ମୂଲ୍ୟ ମାତ୍ର ୨୦ ଟଙ୍କା ରଖାଯାଇଥିବାରୁ ଏହାକୁ ସମସ୍ତେ କିଣି ବ୍ୟବହାର କରିପାରିବେ।ଏହାର ସୁଯୋଗ ନେବାକୁ ‘ଆମ ଓଡ଼ିଶା’ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।