ବଲାଙ୍ଗୀର: ରାଜ ରାସ୍ତାକୁ ଓହ୍ଲାଇଲେ ଅମଲା

ନୂଆପଡ଼ା: ସମୂହ ଛୁଟିରେ ଅମଲା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ସମଗ୍ର ୩୨ଟି ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ତାଙ୍କର ନ୍ୟାଯ୍ୟ ଦାବି ହାସଲ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ସରକାର ୨୦୧୭ ମସିହାରୁ ଜିଲ୍ଲା ସ୍ତରରେ କାର୍ଯ୍ୟରତ ଅମଲାମାନଙ୍କ ପ୍ରବେଶିକା ଯୋଗ୍ୟତା ସ୍ନାତକ ସହ କମ୍ପ୍ୟୁଟର ଜ୍ଞାନ ଅନିବାର୍ଯ୍ୟ କରିଛନ୍ତି। କିନ୍ତୁ ଅଦ୍ୟାବଧି ଯୋଗ୍ୟତା ଅନୁସାରେ ଦରମା ପ୍ରଦାନ କରି ନାହାନ୍ତି। ତେଣୁ ଓଆର୍‌ଏସ୍‌ପି ରୁଲ୍‌-୨୦୧୭ ଅନୁଯାୟୀ ଲେଭେଲ -୪ରୁ ଲେଭେଲ-୯ (ଗ୍ରେଡ ପେ- ୪୨୦୦/-) ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜ୍ୟ ବ୍ୟାପୀ ସମସ୍ତ ଅମଲାଙ୍କର ଦୀର୍ଘ ଦିନର ଦାବି ରହିଅଛି।
ଅମଲାମାନଙ୍କ ଦାବି ଉପରେ ସରକାରଙ୍କ ସହିତ ଅନେକ ଥର ଆଲୋଚନା କରାଯାଇଛି। ମାତ୍ର ରାଜ୍ୟ ସରକାର ଅନେକ ଥର ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଦାବି ପୂରଣ କରି ନାହାନ୍ତି। ଏଣୁ ସମସ୍ତ ଅମଲା ଗତ ୨୨ ତାରିଖରୁ କଳାବ୍ୟାଜ୍‌ ପରିଧାନ କରିଥିଲେ। ତଥାପି ସରକାର ଦାବି ଉପରେ କୌଣସି ପଦକ୍ଷେପ ନନେବାରୁ ଗୁରୁବାରଠାରୁ   ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ରହି ଆନ୍ଦୋଳନ ଜାରି ରଖିଥିବା ଅମଲାମାନେ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ସଂଘର ଅଧ୍ୟକ୍ଷ ବୀରେନ୍ଦ୍ର ବନଛୋର, ଆବାହକ ସୁଧାକର ମହାପାତ୍ର, ଓଡ଼ିଶା ରାଜସ୍ୱ ଅମଲା ସଂଘ ସଭାପତି ପ୍ରଦ୍ୟୁମ୍ନ ମିଶ୍ର, ସମ୍ପାଦକ ଚୈତନ୍ୟ ବାଗ, ସୁରେନ୍ଦ୍ର ବାବୁ, ଶ୍ରୀନିବାସ ମିଶ୍ର, ଟ୍ରେଜେରି ସଂଘର ସଚ୍ଚିନ୍ଦ୍ର ଯୋଷୀ, ସରୋଜ ବାବୁ, ବ୍ରଜବନ୍ଧୁ ପାଣି, ବ୍ରଜବନ୍ଧୁ ଠାକୁର, ସୁନୀଲ ମିଶ୍ର, ରାଜେନ୍ଦ୍ର ପ୍ରତାପ ସିଂହଦେଓ, ଦୁର୍ଗାଶକ୍ତି କୁମ୍ଭାର, ରଶ୍ମିତା ନାଗ ପ୍ରମୁଖ ଉପସ୍ଥିତଥିଲେ।

ନୂଆପଡ଼ା: ସମୂହ ଛୁଟିରେ ଅମଲା

ନୂଆପଡ଼ା : ରାଜ୍ୟ ଅମଲା ସଂଘର ଆହ୍ବାନକ୍ରମେ ନୂଆପଡ଼ା ମିଳିତ ଅମଲା ମଞ୍ଚ ନୂଆପଡ଼ା ଶାଖାର ୨୯୨ ଜଣ କର୍ମଚାରୀ ସମୂହ ଛୁଟିରେ ଯାଇଛନ୍ତି। ବିଭିନ୍ନ ଦାବି ନେଇ ପୂର୍ବରୁ କଳାବ୍ୟାଜ୍‌ ପରିଧାନ କରି ପ୍ରତିବାଦ କରୁଥିଲେ। ହେଲେ ସରକାର ତାଙ୍କ ଦାବିକୁ କୌଣସି ଗୁରୁତ୍ବ ନଦେବାରୁ ଆଜିଠାରୁ ଜିଲ୍ଲାର ୧୭ଟି ବିଭାଗର ୧୧୪ ଅନୁଷ୍ଠାନର ୨୯୨ ଅମଲା ସଂଘର କର୍ମଚାରୀ ସମୂହ ଛୁଟିରେ ଯାଇଥିବା ଅମଲା ସଂଘ ନୂଆପଡ଼ା ଶାଖା ସଭାପତି ଧର୍ମରାଜ ନାଏକ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର