ଅମଲା ସଂଘର ତ୍ରୈବାର୍ଷିକ ରାଜ୍ୟ ସମ୍ମିଳନୀ

ଭୁବନେଶ୍ବର : ଓଡ଼ିଶା ଅମଲା ସଂଘର ଜିଲ୍ଲାସ୍ତରୀୟ ୧୫ତମ ଦୁଇଦିନିଆ ତ୍ରୈବାର୍ଷିକ ରାଜ୍ୟ ସମ୍ମିଳନୀ ଏବଂ ପ୍ଲାଟିନମ୍‌ ଜୁବୁଲି ଉତ୍ସବ ଅନୁ‌ଷ୍ଠିତ ହୋଇଯାଇଛି। କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ରାଜ୍ୟର ବିକାଶରେ ଅମଲାମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ ଆଦୌ ଗ୍ରହଣୀୟ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ବେ ଅମଲାଙ୍କ କ୍ୟାଡର୍‌ର ପୁନର୍ଗଠନ ଭିତ୍ତିରେ ପଦୋନ୍ନତିରେ ହେଉଥିବା ବିଳମ୍ବ ପ୍ରତି ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ।

ଶତ୍ରୁଘ୍ନ ପାଣିଗ୍ରାହୀଙ୍କ ସଭାପତିତ୍ବ‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଓ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ତଥା ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ଜିଲ୍ଲାସ୍ତରରେ ଅମଲାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ଅମଲା ସଂଘର ପୂର୍ବତନ ସାଧାରଣ ସଂପାଦକ ନରସିଂହ ଆଚାରୀ, ଅନ୍ତର୍ଯ୍ୟାମୀ ପ୍ରଧାନ, ରାଜ୍ୟ ଅଣଗେ‌ଜେଟେଡ୍‌ କର୍ମଚାରୀ ସମନ୍ବୟ ସମିତିର ସଭାପତି ଜ୍ୟୋତିରଂଜନ ପଟ୍ଟନାୟକ, ବ୍ରଜ କିଶୋର ନନ୍ଦ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ ସାଧାରଣ ସଂପାଦକ ପ୍ରସନ୍ନ ତ୍ରିପାଠୀ, ସର୍ବଶ୍ରୀ ନାରାୟଣ ଦ‌ାଶ, ଚିତ୍ତରଂଜନ ତରାସିଆ, ଶ୍ରୀକାନ୍ତ ମହାପାତ୍ର, ଶୁଳପାଣି ଶତପଥୀ, ରୂପକେଶରୀ ଦଳେଇ, ପ୍ରଦୀପ ସାହୁ, କିରଣ ପାଢ଼ୀ, ଲଳିତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍‌ଯାପନୀ ଉତ୍ସବରେ ଆସନ୍ତା ୩ବର୍ଷ ନିମନ୍ତେ ଓଡ଼ିଶା ଅମଲା ସଂଘର ରାଜ୍ୟ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ଅସିତ ବରଣ ସ୍ବାଇଁ ଅଧ୍ୟକ୍ଷ, ନାରାୟଣ ଦାଶ ସଭାପତି, ପ୍ରସନ୍ନ ତ୍ରିପାଠୀ ସମ୍ପାଦକ, କିରଣ ପାଢ଼ୀ କୋଷାଧ୍ୟକ୍ଷ ଓ ଦିଗାମ୍ବର ପାତ୍ର ସମୀକ୍ଷକ ଭାବେ ନିର୍ବାଚିତ ହୋଇଛନ୍ତି। ସାଧାରଣ ସଂପାଦକ ପ୍ରସନ୍ନ ତ୍ରିପାଠୀ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପାଧ୍ୟକ୍ଷ ବ୍ରଜକିଶୋର ନନ୍ଦ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର