ଅମଲା ଧର୍ମଘଟ ପ୍ରଭାବ: ରାସ୍ତାରେ ଅଟକିଛି ୧ ହଜାର ବସ୍‌-ଟ୍ରକ

ପରିସ୍ଥିତି ମୁକାବିଲା ପାଇଁ ଆରଟିଓଙ୍କୁ ଅତିରିକ୍ତ କ୍ଷମତା

କଟକ : ଅମଲା ଧର୍ମଘଟର ଗୁରୁତର ପ୍ରଭାବ ପଡ଼ିଛି ଉଭୟ ଯାତ୍ରୀ ଓ ମାଲ ପରିବହନ ବ୍ୟବସ୍ଥା ଉପରେ। ବସ୍‌ ଏବଂ ଟ୍ରକ୍‌ର ପରମିଟ ନବୀକରଣ ହୋଇ ପାରୁନାହିଁ। ନୂଆ ପରମିଟ ନ ମିଳିବା ଯୋଗୁ ଗାଡ଼ି ରାସ୍ତାରେ ଚଳାଚଳ କରିପାରୁ ନାହିଁ। ରାସ୍ତାରେ ଗାଡ଼ି ଫସି ରହିବା ଯୋଗୁ ଇ-େଓ୍ଵ ବିଲ୍‌ର ଅବଧି ବି ଶେଷ ହୋଇଯାଇଛି। ଏଭଳି ସ୍ଥିତିରେ ଇ-େଓ୍ଵ ବିଲ୍‌ର ଅବଧି ଶେଷ ହୋଇଯିବା ପରେ ଏବେ ଜିଏସ୍‌ଟି ଜରିମାନା ବାବଦକୁ ଗାଡ଼ି ମାଲିକ ଅର୍ଥତଣ୍ଡ ଗଣିବାକୁ ବାଧ୍ୟ ହେବେ। ଏବେ ୧ ହଜାରରୁ ଅଧିକ ଗାଡ଼ି ଏଭଳି ଅଟକି ରହିଥିବା ବେଳେ ଗାଡ଼ି ମାଲିକ ମୁଣ୍ଡରେ ହାତ ଦେଇ ବସିଛନ୍ତି। ନୂଆ ପରମିଟ ନ ମିଳିବା ଏବଂ ଜାତୀୟ ପରିମିଟର ନବୀକରଣ ନ ହେବା ଫଳରେ ବସ ଓ ଟ୍ରକ ମାଲିକ ଲକ୍ଷାଧିକ ଟଙ୍କା କ୍ଷତି ସହିବା ମାଲ ଲୋଡ କରିଥିବା ଶତାଧିକ ଟ୍ରକ ଏବେ ରାସ୍ତାରେ ଫସି ରହିଛନ୍ତି।

ସୂଚନା ଅନୁଯାୟୀ, କଟକସ୍ଥିତ ରାଜ୍ୟ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାଜ୍ୟର ବସ୍‌, ଟ୍ରକ ଗୁଡିକୁ ପରମିଟ୍‌ ପ୍ରଦାନ କରାଯାଇଥାଏ। ରାଜ୍ୟ ଭିତରେ ଚାଲୁଥିବା ବସ ଏବଂ ଆନ୍ତଃରାଜ୍ୟ ବସ୍‌ଗୁଡିକୁ ପାଞ୍ଚବର୍ଷିଆ ନୂଆ ପରମିଟ ପ୍ରଦାନ କରାଯିବା ସହ ଏହାର ନବୀକରଣ କରାଯାଇଥାଏ। ସେହିପରି ରାଜ୍ୟ ବାହାରକୁ ଯାଉଥିବା ଟ୍ରକ୍‌ ଗୁଡ଼ିିକୁ ଜାତୀୟ ତଥା କାଉଣ୍ଟର ଷ୍ଟେଟ ପରମିଟ ପ୍ରଦାନ କରାଯାଇଥାଏ। ଜାତୀୟ ପରିମିଟ ବଳରେ ଟ୍ରକଗୁଡିକ ଏକାଧିକ ରାଜ୍ୟକୁ ଯାଇପାରୁଥିବାବେଳେ କାଉଣ୍ଟର ଷ୍ଟେଟ ପରମିଟ ଦ୍ୱାରା ଟ୍ରକ୍‌ ପଡୋଶୀ ରାଜ୍ୟକୁ ଯାଇପାରିଥାଏ। ଏଥିପାଇଁ ଉଭୟ ରାଜ୍ୟର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହମତି ଆବଶ୍ୟକ। ଏସବୁ ପ୍ରକ୍ରିୟା ଅନଲାଇନ ପଦ୍ଧତିରେ ହୋଇଥାଏ। ତେବେ ରାଜ୍ୟରେ ଅମଲାମାନଙ୍କ ଧର୍ମଘଟ ଯୋଗୁ ଗତ ୨୦/୨୫ ଦିନ ହେବ ଏହିସବୁ ପରିମିଟ ଇସ୍ୟୁ ହୋଇପାରୁନାହିଁ। ଫଳରେ ହଜାରରୁ ଅଧିକ ବସ, ଟ୍ରକ ଏବେ ଗ୍ୟାରେଜ ତଥା ରାସ୍ତାରେ ଅଟକି ରହିଛି। ନୂଆ ପରମିଟ ପାଇଁ ୨୭୦ଟି ବସ ଏବେ ଲାଇନରେ ଅଛନ୍ତି। ଏଥିମଧ୍ୟରୁ ୩୦ଟି ଆନ୍ତଃରାଜ୍ୟ ବସ ରହିଥିବା ସୂଚନା ମିଳିଛି। ସେହିପରି ନ୍ୟାସନାଲ ପରମିଟ ଏବଂ କାଉଣ୍ଟର ଷ୍ଟେଟ ପରମିଟ ନ ମିଳିବା ଯୋଗୁ ପାଞ୍ଚ ଶହରୁ ଅଧିକ ଟ୍ରକ ଏବେ ରାସ୍ତାରେ ଅଟକି ରହିଛନ୍ତି। ଏଥିମଧ୍ୟରୁ ଅଧିକାଂଶ ଟ୍ରକ ମାଲବୋଝେଇ ଥିବା ଜଣାପଡିଛି। ଟ୍ରକଗୁଡିକ ଅଟକି ରହିବା ଫଳରେ ସେମାନଙ୍କର ଇ-େଓ୍ଵ ବିଲ ଅବଧି ଶେଷ ହୋଇଛି। ଇ-େଓ୍ଵ ବିଲ ଅବଧି ଶେଷ ହୋଇଗଲେ ଟ୍ରକଗୁଡିକ ମାଲବୋଝେଇ ବିଳମ୍ବ ବାବଦକୁ ଜିଏସଟି ଜରିମାନା ତଣ୍ଡ ଗଣିବେ। ସେହିପରି ଋଣ କିସ୍ତି ବାବଦ ଅର୍ଥ ମଧ୍ୟ ମାଲିକମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ସେହିଭଳି ବସ୍‌ଗୁଡିକର ଟାଇମିଂ, ରୁଟ ପାଇବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପଟେ କେନ୍ଦ୍ର ସରକାର ଟ୍ରକଗୁଡକିର ମାଲ ଲୋଡିଂ କ୍ଷମତା ବୃଦ୍ଧି କରିଥିଲେ ମଧ୍ୟ ଧର୍ମଘଟ ଯୋଗୁ ଏହି ଯୋଜନା ମଧ୍ୟ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ଏ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟରେ ଥିବା ୩୫ଟି ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଅତିରିକ୍ତ କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ପରିବହନ କମିଶନର। ଏହିସବୁ ଆରଟିଓ ବସଗୁଡିକୁ ଟୁରିଷ୍ଟ ପରମିଟ ପ୍ରଦାନ ସହ ଟ୍ରକ୍‌ ଗୁଡିକୁ ନ୍ୟାସନାଲ ପରିମିଟ ଏବଂ କାଉଣ୍ଟର ଷ୍ଟେଟ ପରିମିଟ ପ୍ରଦାନ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର