ଅମାନିଆ ସୁର! କରୋନା ସଂକ୍ରମିତ ଥାଇ ବାହାରେ ବୁଲିଲେ

ଓଲଟା ଯୁକ୍ତି ଲକ୍ଷେ ୨୨ହଜାର ଟଙ୍କାର ଇଞ୍ଜେକସନ୍ ନେଇଛି, କିଛି ହେବନି

ଭୁବନେଶ୍ୱର : କରୋନା ବାଣ୍ଟିଦେବେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ। କରେନାରେ ସଂକ୍ରମିତ ଥାଇ ସୁର ଗୁରୁବାର ଦିନ ବାହାରେ ବୁଲିବା ଓ ଗଣମାଧ୍ୟମ ଆଗରେ ସଫେଇ ଦେବାକୁ ନେଇ ସୁର ସୁପର ସ୍ପ୍ରେଡର ପାଲଟିବେ ବୋଲି ସବୁ ମହଲରେ ଚର୍ଚା ହେଲାଣି। ସବୁବେଳେ ନିଜ ମନ୍ତବ୍ୟ ପାଇଁ ଚର୍ଚାରେ ରହୁଥିବା ସୁରଙ୍କ କିନ୍ତୁ ଏଭଳି ଖାମଖିଆଲ ମନୋଭାବକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଘରେ ସଙ୍ଗରୋଧ ରହି ଚିକିତ୍ସିତ ହେବାକୁ ଲୋକମାନେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ପରାମର୍ଶ ଦେଇଛନ୍ତି।

ସୁର ରାଉତରାୟ କରୋନା ସଂକ୍ରମିତ ଥିବା ଗତକାଲି ଜଣାପଡ଼ିଥିଲା। ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମାତ୍ର ହଠାତ୍ ଆଜି ସକାଳେ ସୁର ମୁହଁରେ ଗାମୁଛା ବାନ୍ଧି ଜୟଦେବ ଭବନ ନିକଟରେ ପହଞ୍ଚିଥିଲେ। ଯଦିଓ ତାଙ୍କ ନିକଟକୁ କୌଣସି ଗଣମାଧ୍ୟମ ପ୍ରତିନିଧି ଯାଇ ନ ଥିଲେ ବି ସେ ନିଜର ଚିରାଚରିତ ଢଙ୍ଗରେ ନିଜର ମତ ରଖିବାକୁ ପଛାଇ ନ ଥିଲେ। ପଥର ଉପରେ ବସି ସୁର ଓଲଟି ସଫେଇ ଦେଇଥିଲେ ଯେ ତାଙ୍କୁ ଲକ୍ଷେ ୨୨ହଜାର ଟଙ୍କାର ଇଞ୍ଜେକସନ୍ ଦିଆଯାଇଛି। ରୋଗ ବଢ଼ିବନି କି ଡେଇଁବନି, କମିଯିବ। ରାଜ୍ୟସ୍ତରୀୟ ହରେକୃଷ୍ଣ ମହତାବ ଜୟନ୍ତୀ ବନ୍ଦ ହେବ ବୋଲି ଚର୍ଚା ହେବାରୁ ମୁଁ ଏଠାକୁ ଆସିଛି। ମହତାବ ଜୟନ୍ତୀ ଗତ ୫୨ବର୍ଷ ଧରି ଚାଲିଛି। ଚନ୍ଦ୍ର, ସୂର୍ଯ୍ୟ ଥିଲା ପର୍ଯ୍ୟନ୍ତ ମହତାବ ଜୟନ୍ତୀ ଜାରି ରହିବ।

ସୁର କହିଛନ୍ତି ଯେ ମତେ କରୋନା ହେଲା ଭଳିଆ ଲାଗୁନି। ଘରେ ରହିଲେ ମଣିଷ ପାଗଳ ହୋଇଯାଉଛି। ବାହାରକୁ ଯିବା ପାଇଁ ମୁଁ ରେଡି। ହେଲେ ଚାରିଆଡ଼େ ଖାଲି କଟକଣା।

ତେବେ ସାଧାରଣ ଭାବେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେଲେ ତାଙ୍କୁ ଘରେ ସଙ୍ଗରୋଧ କିମ୍ବା ହସ୍ପିଟାଲରେ ଭର୍ତି କରାଯାଉଛି। ବାହାରେ ନ ବୁଲିବା ଲାଗି ପରାମର୍ଶ ଦିଆଯାଉଛି। କିନ୍ତୁ ସୁର ଏହି ପରାମର୍ଶକୁ ଫୁ’ କରି ଦେଇଛନ୍ତି। ପୂର୍ବରୁ ମାସ୍କ ପିନ୍ଧିବାକୁ ମନା କରୁଥିବା ସୁର ଏବେ କରୋନା ସଂକ୍ରମିତ ହୋଇ ମଧ୍ୟ ବାହାରେ ବୁଲିବାକୁ ସମସ୍ତେ ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର