ଅମର,ଅଶ୍ବିନୀ ଓ ସସ୍ମିତ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ବର : ରାଜ୍ୟସଭାକୁ ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ୍ ପାତ୍ରଙ୍କ ସମେତ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ। ନିର୍ବାଚିତ ହେବା ପରେ ରାଜ୍ୟକୁ ଫୋକସ ରାଜ୍ୟର ମାନ୍ୟତା ଦେବା ପାଇଁ ସଂସଦରେ ସ୍ବର ଉଠାଇବେ ବୋଲି ବିଜେଡି ପ୍ରାର୍ଥୀମାନେ କହିଥିବାବେଳେ ରାଜ୍ୟ ସ୍ବାର୍ଥ ପାଇଁ ଦଳର ନିଷ୍ପତ୍ତି ଅନୁଯାୟୀ ସଂସଦରେ ସ୍ବର ଉଠାଇବେ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ।

ଶୁକ୍ରବାର ରାଜ୍ୟସଭା ପ୍ରାର୍ଥୀ ପ୍ରତ୍ୟାହାର କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିବାରୁ ଅପରାହ୍ନ ୩ଟା ଭିତରେ କୌଣସି ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନଥିଲେ। ପରେ ତିନିଜଣ ରାଜ୍ୟସଭା ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହେବା ନେଇ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ର ଘୋଷଣା କରିବା ସହ ସେମାନଙ୍କୁ ଭାରତ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରଦତ୍ତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।

ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ନବନିର୍ବାଚିତ ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ କହିଥିଲେ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଦଳର ଆଭିମୁଖ୍ୟକୁ ସଂସଦରେ ଅଧିକ ଦୃଢ଼ ସ୍ବରରେ ଉଠାଇବା ସହିତ ସାଂଗଠନିକ କାର୍ଯ୍ୟରେ ଅଧିକରୁ ଅଧିକ ନିଜକୁ ସକ୍ରିୟ କରିବେ। ସେହିପରି ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ମାନ୍ୟତା ଦେବା ସହିତ ବ୍ୟାଙ୍କିଂ ଓ ଟେଲି ଯୋଗାଯୋଗ କ୍ଷେତ୍ରରେ କିପରି ଅଧିକ ବିକାଶ ହେବ ସେଥିପାଇଁ ସେ ଉଦ୍ୟମ କରିବେ। ଏହାସହିତ ରାଜ୍ୟ ସ୍ବାର୍ଥ ପାଇଁ ଦଳ ଯେଭଳି ନିର୍ଦ୍ଦେଶ ଦେବ ତାକୁ ସେ ପାଳନ କରିବେ।

ନବନିର୍ବାଚିତ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ କହିଥିଲେ, ପ୍ରାଶାସନିକ ଅଧିକାରୀ ଭାବେ ସେ ଓଡ଼ିଶାରେ ନିଃସ୍ବାର୍ଥପର ଭାବେ ଲୋକଙ୍କ ସେବା କରିଥିଲେ। ଏବେ ସାଂସଦ ଭାବେ ନିର୍ବାଚିତ ହେବାପରେ ସେପରି କାର୍ଯ୍ୟ ଜାରି ରଖିବେ। ସେ ଜଣେ ପ୍ରାଶାସକ ଓ ଉଦ୍ୟୋଗୀ ଭାବେ ସବୁଠି ସ୍ବଚ୍ଛତା ପ୍ରତିପାଦନ କରିଛନ୍ତି। ଖଣି ମାଫିଆ ନେଇ କଂଗ୍ରେସ ଯେପରି ଅଭିଯୋଗ କରୁଛି ତାର ପ୍ରମାଣ କଂଗ୍ରେସର ନେତା ଦେବା ଦରକାର ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ସମ୍ବନ୍ଧିତ ଖବର