ଯାଜପୁର: ବିଜେଡିର ବରିଷ୍ଠ ନେତା ତଥା ବଡ଼ଚଣାର ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଆଜି ବିଜେଡି ଅସନ୍ତୋଷ ନିଆଁରେ ଘିଅ ଢାଳିଛନ୍ତି। କନକ ନ୍ୟୁଜ୍ରେ ଆସନ୍ତା ରବିବାର ଦିନ ପ୍ରସାରିତ ହେବାକୁ ଥିବା ‘ନ୍ୟୁଜ୍ ରୁମ୍ ସାକ୍ଷାତକାର’ରେ ଯୋଗ ଦେଇ ଶ୍ରୀ ଶତପଥୀ ସିଧାସଳଖ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଷ ଉଦ୍ଗାର କରିଛନ୍ତି। ଦଳର ବିପର୍ଯ୍ୟୟ, ଗୋଳିଆ ପରିସ୍ଥିତି ପାଇଁ ନବୀନ ହିଁ ଦାୟୀ ବୋଲି କହିଛନ୍ତି। ସାକ୍ଷାତକାରରେ ଶ୍ରୀ ଶତପଥୀ ଦେଇଥିବା ଏଭଳି ବିସ୍ଫୋରକ ବୟାନ ଆଜି ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି। ଦଳରେ କୋଣଠେସା ହୋଇଥିବା ଓ ମୁହଁ ଖୋଲିବାକୁ ସାହସ କରୁନଥିବା ନେତାଙ୍କୁ ଏହା ସତ କହିବାକୁ ସାହସ ଦେବ ବୋଲି ଚର୍ଚ୍ଚା ହେଉଛି।
ପାଣ୍ଡିଆନ ନେତା ଣ୍ରେଣୀଭୁକ୍ତ ନୁହନ୍ତି, ତାଙ୍କୁ ଦୋଷ ଦେଇ ଲାଭ ନାହିଁ
ସାକ୍ଷାତକାରରେ ଶ୍ରୀ ଶତପଥୀ କହିଛନ୍ତି, ଦଳର ଏଭଳି ସ୍ଥିତି ପାଇଁ ପାଣ୍ଡିଆନଙ୍କୁ କାହିଁକି ଦାୟୀ କରାଯିବ? ଦଳ ନବୀନ ବାବୁଙ୍କୁ ନେତା ବାଛିଥିଲା, ତାଙ୍କ ନାମରେ ହିଁ ଦଳ ଚାଲିଥିଲା। ସମସ୍ତେ ତାଙ୍କୁ ଭରସା କରିଥିଲେ। ଦୀର୍ଘ ଦିନର ନେତୃତ୍ବ ରହିବା ପରେ ସେ ବହୁତ କଥା ଜାଣିବାର ଥିଲା, ମାତ୍ର ସେ ଜାଣିବାକୁ ଚାହିଁଲେ ନାହିଁ। ସେ ଯଦି ଆଖିରେ ଅନ୍ଧପୁଟୁଳି ବାନ୍ଧିବେ ତେବେ ତାଙ୍କୁ କିଏ ବୁଝାଇବ ବୋଲି କହି ବିଜେଡି ବିପର୍ଯ୍ୟୟ ପାଇଁ ଏକମାତ୍ର ନବୀନ ଦାୟୀ ବୋଲି ସ୍ପଷ୍ଟ କରିଛନ୍ତି। ପାଣ୍ଡିଆନ ପ୍ରଚ୍ଛଦପଟ୍ଟରେ ରହି ସବୁ କିଛି ପରିଚାଳନା କରୁଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ଶତପଥୀ କହିଥିଲେ କି, ନେତାଙ୍କ ପଛରେ ରହି କିଏ ପରିଚାଳନା କରିବ ସେଥିରେ କିଛି ଯା’ଆସନାହିଁ। ପାଣ୍ଡିଆନ୍ କେବେ ବି ନେତା ଶ୍ରେଣୀଭୁକ୍ତ ନୁହନ୍ତି। ସେ କେବଳ ମିଡିଆରେ ନେତା ଥିଲେ। ମିଡିଆ ହିଁ ତାଙ୍କୁ ଶିଖରରେ ପହଞ୍ଚାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ସଦସ୍ୟତା ଗ୍ରହଣ କରିନେଲେ କିଏ କ’ଣ ନେତା ହୋଇଯିବ କି ବୋଲି ଶ୍ରୀ ଶତପଥୀ ପ୍ରଶ୍ନ କରିଛନ୍ତି। ଶ୍ରୀ ଶତପଥୀଙ୍କର ଏଭଳି ବୟାନ ରାଜ୍ୟ ରାଜନୀତିଠାରୁ ଆରମ୍ଭ କରି ଯାଜପୁର ରାଜନୀତିକୁ ସରଗରମ କରିଛି। ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନରେ ବବି ଯାଜପୁରର ବିଜେଡି କେବଳ ବବି-ଜିତୁ- ଡାନି ବୋଲି କହି ଦଳ ଭିତରେ ବିଭେଦ ସୃଷ୍ଟି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/naveen.jpg)