ଓଡ଼ିଶାରେ ୪ ପର୍ଯ୍ୟାୟ ନିର୍ବାଚନକୁ ନେଇ ବିଜେଡିର ଆପତ୍ତି : ‘ବିଜେପି ଦ୍ବାରା ପ୍ରଭାବିତ ହୋଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ’

ଭୁବନେଶ୍ବର : ଓଡ଼ିଶାରେ ଚାରି ପର୍ଯ୍ୟାୟରେ ନିର୍ବାଚନ ହେବା ନେଇ ଆପତ୍ତି ଉଠାଇଛି ବିଜେଡି। ଏଥି ପାଇଁ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ଉପରକୁ ଅଙ୍ଗୁଳି ଉଠାଇଛି। ସିଇଓ ବିଜେପି ଦ୍ବାରା ପ୍ରଭାବିତ ହୋଇ ଏପରି ସୁପାରିସ୍ କରିଥିବା ମନେ ହେଉଛି ବୋଲି ବିଜେଡି ଆଇଟି ୱିଙ୍ଗ୍ ମୁଖ୍ୟ ଅମର ପଟ୍ଟନାୟକ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ଚାରିଟି ପର୍ଯ୍ୟାୟର ନିର୍ବାଚନ ଧାର୍ଯ୍ୟ ପଛରେ କୌଣସି ଯୁକ୍ତି କିମ୍ବା ଆଧାର ନାହିଁ। ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ପରି ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ଓଡ଼ିଶା ଠାରୁ ଅଧିକ ହୋଇଥିଲେ ମଧ୍ୟ ସେଠାରେ ଗୋଟିଏ ପର୍ଯ୍ୟାୟ ନିର୍ବ‌ାଚନ ଧାର୍ଯ୍ୟ କରାଯାଇଛି। କର୍ଣ୍ଣାଟକ ଓ ରାଜସ୍ଥାନ ପରି ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଧାର୍ଯ୍ୟ ହୋଇଛି। ୨୦୦୯ ଓ ୨୦୧୪ ମସିହାରେ ଓଡ଼ିଶାରେ ମାଓ ସମସ୍ୟା ଅଧିକ ଥିଲା ବେଳେ ଏବେ ତାହା ଆଶାତୀତ ଭାବେ ହ୍ରାସ ପାଇଛି। ଏପରି ସ୍ଥଳେ ଓଡ଼ିଶାରେ ଚାରିିଟି ପର୍ଯ୍ୟାୟରେ ନିର୍ବାଚନର ଆବଶ୍ୟକତା କ’ଣ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ଏଠାରେ ସବୁ ରାଜନୈତିକ ଦଳ ସହ ବିଚାରବିମର୍ଷ କରିବା ସମୟରେ ଏହା ତାଙ୍କୁ ଅବଗତ କରାଯାଇଥିଲା। ସେ ନିଜେ ଓଡ଼ିଶାର ସ୍ଥିତିକୁ ଭଲ ଭାବେ ହୃଦୟଙ୍ଗମ କରିଥିଲେ। ମାତ୍ର ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ କିପରି ଅନୁମୋଦନ କଲେ ତାହା ସନ୍ଦେହ ସୃଷ୍ଟି କରୁଛି। ଓଡ଼ିଶା ଓ ପଶ୍ଚିମବଙ୍ଗ ପରି ରାଜ୍ୟ ଯେଉଁଠି ବିଜେପିର ସ୍ଥିତି ଭଲ ନାହିଁ, ସେଠାରେ ଚାରି ଓ ତତୋଧିକ ପର୍ଯ୍ୟାୟର ନିର୍ବାଚନ ଧାର୍ଯ୍ୟ ହୋଇଥିବାରୁ ମନ୍ଦ ଉଦ୍ଦେଶ୍ୟ ରଖାଯାଇଥିବାର ସ୍ପଷ୍ଟ ବାରି ହେଉଛି। ଓଡ଼ିଶାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିରପେକ୍ଷତା ରକ୍ଷା ନ କରି ବିଜେପି ଦ୍ବାରା ପ୍ରଭାବିତ ହୋଇଥିବା ଜଣାପଡ଼ୁଛି। ଚାରି ପର୍ଯ୍ୟାୟ ନିର୍ବ‌ାଚନ ଓଡ଼ିଶା ରାଜକୋଷ ପାଇଁ ବୋଝ ହେବ। ଦୁଇଟି ପର୍ଯ୍ୟାୟ ନିର୍ବାଚନ କରି ରାଜ୍ୟ ରାଜକୋଷର ଏହି ବୋଝକୁ କମାଯାଇ ପାରିଥା’ନ୍ତା। ତେବେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା ଓ ବିଜେପିର ଯୋଜନା ସଫଳ ହେବ ନାହିଁ। ଓଡ଼ିଶାରେ ବିଜେଡି ବହୁତ ଭଲ କରିବ ଓ ବିଜେପି ତା’ର ପୂର୍ବ ସ୍ଥିତି‌େର ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର