‘ସାମାଜିକ ଦୂରତ୍ୱ’ ନୁହେଁ; ‘ଶାରୀରିକ ଦୂରତ୍ୱ’, କୋଭିଡ୍ ମାର୍ଗଦର୍ଶିକାରେ ପରିବର୍ତ୍ତନ ପାଇଁ ବିଧାୟକ ଅମର ଶତପଥୀଙ୍କ ଆହ୍ୱାନ
ଭୁବନେଶ୍ୱର : ବର୍ତମାନ କୋଭିଡ୍ ସଂକ୍ରମଣ ସମୟରେ ‘ସାମାଜିକ ଦୂରତ୍ୱ’ ଶବ୍ଦଟି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆମ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ବହୁଳ ଭାବେ ବ୍ୟବହୃତ ହୋଉଛି। ସାଧାରଣ ଭାବରେ ବିବେଚନା କଲେ ସାମାଜିକ ଦୂରତ୍ବର ଭାବାର୍ଥ ସମାଜଠାରୁ ଦୂରେଇ ରହିବା; ଏପରିକି ନିଜ ପରିବାରର ଅନ୍ତରଙ୍ଗଙ୍କଠାରୁ ମଧ୍ୟ ଦୂରତ୍ବ ରକ୍ଷା କରିବା। ମାତ୍ର ମଣିଷ ସାମାଜିକ ପ୍ରାଣୀ ହୋଇଥିବାରୁ ସମାଜଠାରୁ ଦୂରେଇ ରହିବା କ’ଣ ସମ୍ଭବ? ତେଣୁ କୋଭିଡ୍ ମାର୍ଗିଦର୍ଶିକାରେ ‘ସାମାଜିକ ଦୂରତ୍ବ’ ବଦଳରେ ‘ଶାରୀରିକ ଦ୍ବରତ୍ବ’ ଶବ୍ଦ ବ୍ୟବହାର ହେଉ ଏବଂ ପାଳନ ହେଉ ବୋଲି ବଡ଼ଚଣା ବିଧାୟକ ଅମର ଶତପଥୀ ମତ ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଶେଷ ହୋଇଥିବା ବିଧାନସଭା ଅଧିେବଶନରେ ବିଧାୟକ ଶ୍ରୀ ଶତପଥୀ ଏହି ପ୍ରସଙ୍ଗକୁ ଯୁକ୍ତି ସହିତ ଉତ୍ଥାପନ କରିଥିଲେ। ସେ କହିଥିଲେ ଯେ ବିଶ୍ବ ପାଇଁ ମହାମାରୀ ନୂଆ ନୁହେଁ। ହଇଜା, ବସନ୍ତ, ଜାପାନୀ ଜ୍ବର, ସ୍ବାଇନ୍ ଫ୍ଲୁ, ପ୍ଲେଗ୍ ଓ ଡେଙ୍ଗୁ ଆଦି ବିଭିନ୍ନ ରୋଗ ବିଭିନ୍ନ ସମୟରେ ମହାମାରୀ ଭାବେ ଉଭା ହୋଇଛି। ଚିକିତ୍ସାବିଜ୍ଞାନୀମାନଙ୍କ ଗବେଷଣାଲବ୍ଧ ଜ୍ଞାନକୁ ଉପଯୋଗ କରି ଏହାକୁ ନିୟନ୍ତ୍ରଣ ମଧ୍ୟ କରାଯାଇଛି। କିନ୍ତୁ ଏହା ସମୟସାପେକ୍ଷ।ଏହି ଅବଧି ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇ ବହୁ ବ୍ୟକ୍ତି ମୃତ୍ୟୁ ମୁହଁରେ ପଡ଼ିଥାନ୍ତି। କୋଭିଡ୍-୧୯ର ପ୍ରତିକାର ବା ପ୍ରତିଷେଧକ ବ୍ୟବସ୍ଥା ପାଇଁ ବୈଜ୍ଞାନିକମାନଙ୍କ ଉଦ୍ୟମ ଜାରି ରହିଛି। ଗବେଷଣାରତ ବିଜ୍ଞାନୀମାନଙ୍କୁ ଟିକା ଆବିଷ୍କାର ପାଇଁ ଆଜି ମାନବ ସମାଜ ଚାତକ ଭଳି ଚାହିଁ ବସିଛି। ଏଭଳି ସମୟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଚିକିତ୍ସା ବିଜ୍ଞାନୀମାନଙ୍କଠାରୁ ଆରମ୍ଭ କରି ରାଜନେତା, ପ୍ରଶାସକମାନଙ୍କର ମାର୍ଗଦର୍ଶିକାରେ ‘ସାମାଜିକ ଦୂରତ୍ବ’ ଶବ୍ଦ ବାରମ୍ବାର ସ୍ଥାନ ପାଉଥିବାରୁ ଏହା ସମାଜ ମଧ୍ୟରେ ବିଭେଦର କାରଣ ହୋଇଛି। କରୋନା ସଂକ୍ରମିତ ବ୍ୟକ୍ତିମାନଙ୍କୁ ଅପରାଧୀ ଭାବରେ ବିବେଚନା କରାଯାଉଛି। ଏପରିକି ସମାଜ ମଧ୍ୟରେ ଏହା ଘୃଣା ଓ ଭେଦଭାବର ବିଷ ମଞ୍ଜି ବୁଣି ଦେଉଛି। କୋଭିଡ୍ ସଂକ୍ରମିତମାନଙ୍କୁ ଏଭଳି ଶାବ୍ଦିକ ପରାମର୍ଶ ତାଙ୍କ ମାନସିକ ବିଷାଦର କାରଣ ହେଉଛି ଏବଂ ଶରୀରରେ ଥିବା ଅନ୍ୟ ବ୍ୟାଧିଗୁଡ଼ିକୁ ଅଧିକ ସକ୍ରିୟ କରି ମୃତ୍ୟୁର କାରଣ ହେଉଛି। ସ୍ଥଳବିଶେଷରେ ମାନସିକ ଅବସାଦ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଶ୍ରୀ ଶତପଥୀ ଆହୁରି କହିଛନ୍ତି ଯେ ପ୍ରାକ୍ ସ୍ବାଧୀନତା କାଳରେ ମହାତ୍ମା ଗାନ୍ଧୀଙ୍କ ସ୍ବାଧୀନତା ଆନ୍ଦୋଳନରେ ଅସ୍ପୃଶ୍ୟତା ନିବାରଣ ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ ଥିଲା। ଆଜି ପୁନର୍ବାର ଆମ ମନରୁ ଅପସରି ଯାଇଥିବା ଛୁଆଁ ଅଛୁଆଁ ଭେଦଭାବ ନୂତନ ରୂପରେ ଦୃଶ୍ୟମାନ ହେଉଛି। ଭୟ ଆଶଙ୍କାରେ ଗ୍ରାମ ଶ୍ମଶାନରେ ଶବ ସତ୍କାର ହୋଇ ପାରୁନାହିଁ। ପୁଲିସ ଓ ପ୍ରଶାସନର ସହାୟତା ଲୋଡ଼ାଯାଉଛି। କରୋନା ସଂକ୍ରମଣ ଅପେକ୍ଷା ଘୃଣା, ବିଭେଦ, ବିଦ୍ବେଷ ବଳୟରେ ମନକୁ ଅଧିକ ସଂକ୍ରମିତ କରି ପ୍ରୀତିବନ୍ଧନରେ ବାନ୍ଧି ହୋଇଥିବା ସମାଜକୁ ଭାଙ୍ଗିବା ପାଇଁ ଏହା ଉପାଦାନ ଯୋଗାଉଛି। ଏହି ବ୍ୟାଧିର ନିରାକରଣର ଆବଶ୍ୟକତା ଅଛି। ସାମାଜିକ ସଦ୍ଭାବନା, ସଂହତି, ସୌହାର୍ଦ୍ଦ୍ୟ, ସଂସ୍କୃତିସଂପନ୍ନ ଉନ୍ନତର ସମାଜର ଆଭୂଷଣ ଅଟେ। ତେଣୁ ଏହି ସମସ୍ତ ବିଷୟକୁ ଗଭୀର ଅନୁଶୀଳନ କରି କୋଭିଡ୍ ମାର୍ଗଦର୍ଶିକାରେ ସାମାଜିକ ଦୂରତ୍ବ ଶବ୍ଦ ବଦଳରେ ବିକଳ୍ପ ଭାବରେ ‘ଶାରୀରିକ ଦୂରତ୍ବ’ ଶବ୍ଦର ବ୍ୟବହାର କରାଯାଉ ବୋଲି ସେ ଦାବି କରିଛନ୍ତି। ଏହା ସାମାଜିକ ବନ୍ଧନକୁ ସୁଦୃଢ଼ କରିବା ସହ ସମ୍ବେଦନଶୀଳ ସମାଜ ଗଠନରେ ସହାୟକ ହେବ ଦର୍ଶାଇ ଚେତନଶୀଳ ବ୍ୟକ୍ତିମାନେ ଏ ସମ୍ବନ୍ଧରେ ସ୍ବର ଉତ୍ତୋଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି।