ବାଲେଶ୍ବର, (ଦିବ୍ୟଜ୍ୟୋତି ବେହେରା): ୧୯୪୫ ମସିହା ଦ୍ବିତୀୟ ବିଶ୍ବଯୁଦ୍ଧ ବିଭୀଷିକାରେ ଥରହର ହେଉଥିଲା ସାରାବିଶ୍ବ। ୩୦ରୁ ଅଧିକ ଦେଶ ପ୍ରତ୍ୟକ୍ଷ ଭାବେ ଏହି ଯୁଦ୍ଧ ଲଢ଼ୁଥିବା ବେଳେ ଜର୍ମାନୀ-ଜାପାନ ମେଣ୍ଟକୁ ହରାଇବାକୁ ହାତ ମିଳାଇଥିଲେ ମିତ୍ରପକ୍ଷ ଆମେରିକା, ବ୍ରିଟେନ୍ ସହ ଅନ୍ୟାନ୍ୟ ଦେଶ। ଏହି ଯୁଦ୍ଧରେ ଆଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ବ୍ୟାପକ ମାତ୍ରାରେ ହୋଇଥିଲା। ଯୁଦ୍ଧର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଂଶ ଥିଲା ବାୟୁସେନା। ଯାହାର ବାୟୁସେନା ଅଧିକ ସଶକ୍ତ ଥିଲା ତାର ଶକ୍ତି ସେତେ ଅଧିକ ଥିଲା। ଆଉ ଏହି ଯୁଦ୍ଧରେ ବ୍ରିଟେନର ଏକ ପ୍ରମୁଖ ବାୟୁସେନା ଘାଟିଥିଲା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ର ଅମର୍ଦ୍ଦା ବିମାନଘାଟି। ଆୟତନ ଦୃଷ୍ଟିରୁ ଏହା ସେତେବେଳେ ସାରା ବିଶ୍ବରେ ବୃହତ୍ତମ ଥିଲା ବୋଲି ଐତିହାସିକଙ୍କ ମତ। ସାଢ଼େ ୩ କିମି କଂକ୍ରିଟ୍ ରନ୍ୱେ ଉପରେ ଗଡ଼ୁଥିଲା ବ୍ରିଟେନ୍ ଓ ଆମେରିକାର ଯୁଦ୍ଧ ବିମାନ। ପୂର୍ବ ପଟୁ ଜାପାନର ଗତିରୋଧ ପାଇଁ ଏହି ଘାଟି ଦେଇ ଚୀନ୍କୁ ବିମାନ ଯୋଗେ ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ଯୋଗାଣ ହେଉଥିଲା। ସେତେବେଳେ ଏହି ଘାଟିରେ ଏକାସଙ୍ଗେ ୧୫ରୁ ଅଧିକ ବିମାନ ରହିବାର କ୍ଷମତା ଥିବାରୁ ଏହାକୁ ଟ୍ରେନିଂ ଏୟାର ଫିଲ୍ଡ ଭାବେ ବ୍ୟବହାର କରୁଥିଲେ ତତ୍କାଳୀନ ବ୍ରିଟିସ୍ ସରକାର।
ପ୍ରାଣ ହରାଇଥିଲେ ବିଭିନ୍ନ ଦେଶର ୧୪ ନାଗରିକ
ସ୍ମୃତିରକ୍ଷା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେଉନାହିଁ
/sambad/media/post_attachments/wp-content/uploads/2022/07/arm3-750x430.jpg)
୧୯୪୫ ମସିହା ଜୁଲାଇ ୨୬ ତାରିଖ ଗୁରୁବାର ଦିନ ଏହି ଘାଟିରେ ଛିଡ଼ା ହୋଇଥିଲା ବ୍ରିଟିସ୍ ରୟାଲ ଏୟାରଫୋର୍ସର ୬ଟି ଲଢ଼ୁଆ ବିମାନ। ଆକାଶ ମେଘାଚ୍ଛନ ଥିଲେ ବି ଘାଟିରୁ ଉଡ଼ାଣ ଭରିଥିଲା ଇଡବ୍ଲୁ-୨୨୫ ଓ ଇଡବ୍ଲୁ-୨୪୭ ଯୁଦ୍ଧ ବିମାନ। ପାଇଲଟ୍ ଓ କର୍ମଚାରୀଙ୍କୁ ମିଶାଇ ଏହି ଦୁଇଟି ବିମାନରେ ମୋଟ୍ ୧୪ଜଣ ଥିଲେ। ଉଡ଼ାଣର ମାତ୍ର ୧୫ ମିନିଟ୍ ପରେ ବିମାନ ଦୁଇଟି ଭୂପୃଷ୍ଠରୁ ୨୦୦୦ ଫୁଟ୍ ଉପରେ ପରସ୍ପର ସହ ଧକ୍କା ଖାଇ ମଝି ଆକାଶରେ ଜଳି ଯାଇଥିଲେ ଓ ସମସ୍ତ ୧୪ ଜଣ ପ୍ରାଣ ହରାଇଥିଲେ। ମୃତକମାନଙ୍କ ମଧ୍ୟରେ ଥିଲେ ଫ୍ଲାଇଂ ଅଫିସର୍ ଆଲଫ୍ରେଡ୍ ହେବର୍ଟ (୨୯), ୱୟାରଲେସ୍ ଅପରେଟର୍ ୱିଲିୟମ ଯୋଶେଫ ସ୍ମାଟ୍ (୨୬), ଫ୍ଲାଇଟ୍ ଲେଫଟ୍ନାଣ୍ଟ ସିଡ୍ନି ୱିଲଫ୍ରେଡ୍ ୱେଲ୍ସ (୨୭), ରୟାଲ ନ୍ୟୁଜିଲାଣ୍ଡ ଏୟାରଫୋର୍ସର ପାଇଲଟ୍ ଅଫିସର ରେମଣ୍ଡ ବୁଲେନ (୨୭), ସ୍କ୍ବାଡନ୍ ଲିଡର ହେର୍ନେଟ ଡିଏଫ୍ସି ପ୍ରମୁଖ। ଏହି ବିମାନଦ୍ବୟର ଭଗ୍ନାଂଶ ପଡ଼ିଥିଲା ଜଳେଶ୍ବରଠାରୁ ଅଳ୍ପ ଦୂର ବେଲଦା ନିକଟରେ, ଯାହାକି ଏବେ ପଶ୍ଚିମବଙ୍ଗ ସୀମାରେ ଯାଉଛି। ଦୁର୍ଘଟଣା ଘଟିବା ଦିନ ପାଗ ବହୁତ ଖରାପ ଥିଲା। ସେହି ସମୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେଣୁ ବିମାନ ଖସି ପଡ଼ିଥିବା ସ୍ଥାନରେ ଉଦ୍ଧାରକାରୀ ଦଳ ପହଞ୍ଚିବାକୁ ପ୍ରାୟ ଦେଢ଼ ମାସ ଲାଗି ଯାଇଥିଲା। ସେପ୍ଟେମ୍ବର ମାସରେ ସ୍କ୍ବାଡନ୍ ଲିଡର ଷ୍ଟାନ୍ଲି ବେନେଟ୍ଙ୍କ ନେତୃତ୍ବରେ ଏକ ୧୨ ଜଣିଆ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରୁ ବିମାନଦ୍ବୟର ଭଗ୍ନାଂଶ ମିଳିଥିବା ବେଳେ ୧୪ ଜଣ ମୃତକଙ୍କ ଦେହାବଶେଷ ନଷ୍ଟ ହୋଇଯାଇଥିଲା। ତେଣୁ ସେଇଠାରେ ହିଁ ସମସ୍ତ ମୃତକଙ୍କ ଦେହାବଶେଷକୁ ଏକାଠି ପୋତି ଦିଆଯାଇଥିଲା। ଯେହେତୁ ମୃତଦେହ ତୁରନ୍ତ ଉଦ୍ଧାର ହୋଇନଥିଲା କି ପରେ ଚିହ୍ନଟ ହୋଇ ପାରିନଥିଲା, ତେଣୁ ମୃତକଙ୍କ ପରିବାରକୁ କେବଳ ସେମାନଙ୍କ ନିଖୋଜ ସମ୍ପର୍କରେ ଖବର ଦିଆଯାଇଥିଲା।
/sambad/media/post_attachments/wp-content/uploads/2022/07/ad-1.jpg)
ଏହି ଦୁର୍ଘଟଣାର ୧୦ ଦିନ ପରେ ଅର୍ଥାତ ଅଗଷ୍ଟ ୭ ତାରିଖରେ ଜାପାନର ହିରୋସୀମା ଓ ୯ ତାରିଖରେ ନାଗାସାକି ସହର ଉପରେ ପରମାଣୁ ବୋମା ନିକ୍ଷେପ କରିଥିଲା ଆମେରିକା। ଏହି ଘଟଣା ପରେ ସାରା ବିଶ୍ବ ଖାଲି ସ୍ତବ୍ଧ ହୋଇନଥିଲା, ଯୁଦ୍ଧରେ ବିରାମ ମଧ୍ୟ ଲାଗିଥିଲା। ଏହାପରେ ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଛାଡ଼ି ପଳାଇଥିଲେ ସେନାବାହିନୀ। ଏଥିସହ ଏହି ଘାଟି, ଏହାର ଇତିହାସ ଓ ୧୪ ଜଣ ମୃତକଙ୍କୁ ସମସ୍ତେ ଭୁଲିଗଲେ। ମିଲିଟାରୀ ରେକର୍ଡରେ ବି ଏହି ବିମାନ ଘାଟି ସଂପର୍କରେ କିଛି ଉଲ୍ଲେଖ ନାହିଁ। ତେବେ, ୧୯୫୩ ମସିହାରେ କମନୱେଲ୍ଥ ୱାର୍ ଗ୍ରେଭ୍ସ କମିସନ୍ (ସିଡବ୍ଲୁଜିସି) ତଦନ୍ତ ରିପୋର୍ଟ ଆଧାରରେ ବ୍ରିଟେନ୍ ସେନାର ଏକ ଦଳ ଭାରତ ସରକାରଙ୍କ ଅନୁମତିକ୍ରମେ ମାଡ୍ରାସ ୱାର୍ ସିମେଟ୍ରି (ସେନା କବରସ୍ଥଳ/ଶ୍ମଶାନ)ରେ ମୃତକଙ୍କ ଦେହାବଶେଷ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଯାହାର ସ୍ମୃତି ବହନ କରୁଛି ୧୪ଟି କଫିନ୍ ଉପରେ ଥିବା ସଙ୍କେତ। ଏହି ମୃତକମାନଙ୍କ ମଧ୍ୟ ୧୩ ଜଣ ବ୍ରିଟେନ୍ ଓ ଅନ୍ୟ ଦେଶର ନାଗରିକ ଥିବା ବେଳେ ଜଣେ ଭାରତୀୟ ନାଗରିକ ମଧ୍ୟ ଥିଲେ। ତାଙ୍କ ଘର କେରଳ ପ୍ରଦେଶରେ ଓ ସେ ଏହି ଟ୍ରେନିଂ ବେସ୍ରେ ବିମାନ ମେକାନିକ୍ ଥିଲେ। ବିଶିଷ୍ଟ ଇତିହାସ ଗବେଷକ ଅନୀଲ ଧୀରଙ୍କ କହିବା ଅନୁଯାୟୀ, ବିଦେଶୀ ନାଗରିକମାନଙ୍କ ପରିବାରବର୍ଗ ସେମାନଙ୍କ ମୃତ୍ୟୁ ବାବଦରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ତେବେ ଶ୍ରୀ ଧୀର ନିଜସ୍ବ ଉଦ୍ୟମରେ ପ୍ରାୟ ୭୦ ବର୍ଷ ପରେ ସମସ୍ତ ମୃତକଙ୍କ ପରିବାର ଲୋକଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିଥିଲେ। ତାଙ୍କ କହିବା କଥା ହେଲା, ଏତେ ବଡ଼ ଘଟଣାକୁ ଇତିହାସରେ ସ୍ଥାନ ମିଳିଲାନି। ଦ୍ବିତୀୟ ବିଶ୍ବଯୁଦ୍ଧର ସ୍ମୃତି ବହନ କରୁଥିବା ଅମର୍ଦ୍ଦା ବିମାନଘାଟି ଓ ଏହାର ଇତିହାସ ସମ୍ପର୍କରେ ପରପିଢ଼ିକୁ ଜଣାଇବାକୁ ହେଲେ ଏଠାରେ ଏକ ସଂଗ୍ରହାଳୟ ତିଆରି ହେବା ଜରୁରୀ। ଏଥିପାଇଁ ସେ ବହୁ ବର୍ଷରୁ ଉଦ୍ୟମ ଚଳାଇଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କୁ ଏଥିପାଇଁ ଅନେକ ଥର ଚିଠି ଲେଖିଛନ୍ତି। ହେଲେ ରାଜ୍ୟ ସରକାରଙ୍କୁ ଏଥିପାଇଁ ତର ହେଉନି ବୋଲି ଶ୍ରୀ ଧୀର କ୍ଷୋଭ ପ୍ରକାଶ କରିଛନ୍ତି।