ଅମର୍ଦ୍ଦା ରୋଡ୍ ଏୟାରଷ୍ଟ୍ରିପ୍‌କୁ ଏନ୍ଓସି ମିଳୁ, ପ୍ରତିରକ୍ଷା ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ସଚିବ

ଭୁବନେଶ୍ବର/ବାଲେଶ୍ବର : ବ୍ୟବସାୟିକ ବିମାନ ଚଳାଚଳ ପାଇଁ ମୟୂରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ରୋଡ୍ ଏୟାରଷ୍ଟ୍ରିପ୍‌କୁ ବ୍ୟବହାର ନିମନ୍ତେ ଡିଆର୍ଡିଓର ଏନ୍ଓସି ଆବଶ୍ୟକ। ରାଜ୍ୟ ସରକାରଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ଡିଆର୍‌ଡିଓରୁ କୌଣସି ଉତ୍ତର ମିଳୁ ନାହିଁ। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହପାତ୍ର କେନ୍ଦ୍ର ପ୍ରତିରକ୍ଷା ସଚିବଙ୍କୁ ଚିଠି ଲେଖି ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ଶ୍ରୀ ମହାପାତ୍ର ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଉଡାନ୍ ୪.୧ରେ ଭୁବନେଶ୍ବର-ଅମର୍ଦ୍ଦା ରୋଡ୍‌କୁ ସ୍ବତନ୍ତ୍ର ଆଞ୍ଚଳିକ ସଂଯୋଗୀକରଣ ଯୋଜନା(ଆର୍‌ସିଏସ୍) ରୁଟ୍ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଜିଏସ୍ଇସି ମୋନାର୍କ ଏହି ରୁଟ୍ ପାଇଁ ଏୟାର୍‌ଲାଇନ୍ ଅପରେଟର୍ ଭାବେ ମନୋନୀତ ହୋଇଛି। ଓଡ଼ିଶାର ଉତ୍ତରାଞ୍ଚଳରେ କୌଣସି ପ୍ରକାର ବିମାନ ସଂଯୋଗର ବ୍ୟବସ୍ଥା ନାହିଁ। ମୟୂରଭଞ୍ଜ ଜିଲ୍ଲରେ ରାସଗୋବିନ୍ଦପୁର ନିକଟରେ ଅମର୍ଦ୍ଦା ରୋଡ୍ ଏୟାରଷ୍ଟ୍ରିପ୍‌ର ଅବସ୍ଥିତି ନିକଟସ୍ଥ ଅଞ୍ଚଳ ପାଇଁ ବେଶ୍ ଗୁରୁତ୍ବ ବହନ କରୁଛି। ଏହା ଦ୍ବାରା ଶିମିଳିପାଳ ଜାତୀୟ ଉଦ୍ୟାନ, କୁଳଡ଼ିହା ଅଭୟାରଣ୍ୟ, ଚାନ୍ଦିପୁର ଓ ତଳସାରି ବେଳାଭୂମି ପରି ପର୍ଯ୍ୟଟନ ସ୍ଥଳୀକୁ ବିମାନ ସଂଯୋଗ ହୋଇପାରିବ। ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସମ୍ପର୍କ ବୃଦ୍ଧି ପାଇବା ସହ ବାଣିଜ୍ୟ, ଚାକିରି, ରାଜସ୍ବ ବୃଦ୍ଧି ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ବିକାଶରେ ଏହା ସହାୟକ ହେବ। ଆର୍‌ସିଏସ୍-ଉଡାନ୍ ଯୋଜନା ଅଧୀନରେ ବ୍ୟବସାୟିକ ବିମାନ ଚଳାଚଳ ପାଇଁ ଏୟାର୍‌ଷ୍ଟ୍ରିପ୍‌କୁ ବ୍ୟବହାର କରିବା ନିମନ୍ତେ ଏନ୍ଓସି ଦେବାକୁ ରାଜ୍ୟ ସରକାର ଡିଆର୍‌ଡିଓକୁ ଅନେକ ଥର ଅନୁରୋଧ କରିଛନ୍ତି। କିନ୍ତୁ ଏ ଯାଏ କୌଣସି ଉତ୍ତର ମିଳୁ ନାହିଁ। ଫଳରେ ବିମାନ ଚଳାଚଳ ପ୍ରକ୍ରିୟା ଆଗେଇ ପାରୁ ନାହିଁ। ତେଣୁ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ଅମର୍ଦ୍ଦା ରୋଡ୍ ଏୟାରଷ୍ଟ୍ରିପ୍‌କୁ ବ୍ୟବାହାର ନିମନ୍ତେ ଡିଆର୍‌ଡିଓକୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ଲୋକଙ୍କ ବୃହତର ସ୍ବାର୍ଥ ଦୃଷ୍ଟିରୁ ଡିଆର୍‌ଡିଓ ଏନ୍ଓସି ଦେବ ବୋଲି ଶ୍ରୀ ମହାପାତ୍ର ଆଶା ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ ଯେ ଉତ୍ତର ଓଡ଼ିଶାକୁ ବିମାନସେବା ସହ ଯୋଡ଼ିବା ଲାଗି କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବ୍ରିଟିସ୍‌ ଅମଳର ଅମର୍ଦ୍ଦା ରୋଡ୍‌ ଏୟାରଷ୍ଟ୍ରିପ୍‌କୁ ‘ଉଡାନ୍‌’ ଯୋଜନାରେ ସାମିଲ କରିଛନ୍ତି। ତତ୍‌କାଳୀନ ଇଂରେଜ ସରକାର ୧୯୪୦ ମସିହାରେ ୩ କୋଟି ଟଙ୍କା ଖର୍ଚ୍ଚ କରି ୬ ଶହ ଏକର ଜାଗାରେ ଉକ୍ତ ବିମାନଘାଟି ନିର୍ମାଣ କରିଥିଲେ। ୨.୫ କିଲୋମିଟର ପର୍ଯ୍ୟନ୍ତ ରନୱେ ଲମ୍ବିଥିବା ଏହି ବିମାନଘାଟିକୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ୟବହାର କରାଯାଇଥିଲା।

ସମ୍ବନ୍ଧିତ ଖବର