ଅମରେନ୍ଦ୍ରଙ୍କୁ ବାଣପୁର ଓ  ଜ୍ୟୋତ୍ସ୍ନାଙ୍କୁ ମିଳିଲା ଚିଲିକା ବ୍ଲକ  

ବାଣପୁର: ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ଏବଂ ଚିଲିକା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶନିବାର ହୋଇଛି। ତେବେ ଉଭୟ ବ୍ଲକକୁ ବିଜେପି ଅକ୍ତିଆର କରିଛି। ବାଣପୁରରେ ଅମରେନ୍ଦ୍ର ରଣସିଂହ ଅଧ୍ୟକ୍ଷ ଓ ଚିଲିକା ବ୍ଲକରେ ଜ୍ୟୋତ୍ସ୍ନା ବେହେରା ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି  ।

ପୂର୍ବାହ୍ନ ୧୦ଟାରେ ବିଜେପି ସମର୍ଥିତ ସମିତି ସଭ୍ୟମାନେ ଶୋଭାଯାତ୍ରାରେ ନିଜ କର୍ମୀଙ୍କ ସହ ବ୍ଲକରେ ପହଞ୍ଚିଥିଲେ। ସେହି ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ କାରରେ ଆସି ଶୋଭାଯାତ୍ରା ମଧ୍ୟ ଦେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବାକୁ ଉଦ୍ୟମ କରିଥିଲେ।  ତେବେ ଗାଡି ଧକ୍କାରେ ବାଣପୁର ଥାନାଧିକାରୀଙ୍କ ସମେତ ୬ ପୁଲିସ ଏବଂ ୧୫ କର୍ମୀ ଆହତ ହୋଇଥିଲେ। ତେବେ ବିଜେପି କର୍ମୀଙ୍କ ପାଲଟା ଆକ୍ରମଣରେ ବିଧାୟକ ଜଗଦ୍ଦେବ ମଧ୍ୟ ଆହତ ହୋଇଥିଲେ  । ଏନେଇ ନିର୍ବାଚନରେ ବିଳମ୍ବ ହୋଇଥିଲା। ଶେଷରେ ବିଜେପି ସମର୍ଥିତ ପ୍ରାର୍ଥୀ ଅମରେନ୍ଦ୍ର ରଣସିଂହ ଏବଂ ବିଜେଡି ସମର୍ଥିତ କୁମାର ଜଗତ ବଲ୍ଲଭ ମହାରଥାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ତେବେ ବିଜେପି ସମର୍ଥିତ ସମିତି ସଭ୍ୟ କନ୍ଦର୍ପ ଜେନା ଅନୁପସ୍ଥିତ ଥିବାରୁ ଅମରେନ୍ଦ୍ର ରଣସିଂହ ୧୧ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।

ସେହିପରି ଚିଲିକା ବ୍ଳକ ପରିସରରେ ନିର୍ବାଚନ ଅଧିକାରୀ ତଥା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ନିର୍ବାଚନରେ ଅମରୀତା ବେହେରାଙ୍କୁ ଗୋଟିଏ ମାତ୍ର ଭୋଟରେ ପରାଜିତ କରି ଜ୍ୟୋତ୍ସ୍ନା ବେହେରା ଅଧ୍ୟକକ୍ଷା ନିର୍ବାଚିତ ହୋଇଛନ୍ତି  । ୧୭ ପଞ୍ଚାୟତ ବିଶିଷ୍ଟ ଚିଲିକା ବ୍ଲକରେ ଜ୍ୟୋତ୍ସ୍ନାଙ୍କୁ ୯ ଭୋଟ ଓ ଅମରୀତାଙ୍କୁ ୮ ଭୋଟ ମିଳିଛି।

ସମ୍ବନ୍ଧିତ ଖବର