ସମ୍ବଲପୁର: ଡେବ୍ରିଗଡ଼ ଅଭୟାରଣ୍ୟ ଓ ହୀରାକୁଦ ଜଳଭଣ୍ଡାରକୁ ଯୋଡ଼ୁଥିବା ବିସ୍ତୃତ ଆର୍ଦ୍ରଭୂମିରେ ବ୍ୟାପିଥିବା ଅମରି ବଣକୁ ସଫା କରିବା ପାଇଁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ୭୪୩ ବର୍ଗ କିଲୋମିଟର୍ରେ ବ୍ୟାପିଥିବା ଏସିଆର ସର୍ବବୃହତ କୃତ୍ରିମ ହ୍ରଦଭାବେ ପରିଚିତ ହୀରାକୁଦ ଜଳଭଣ୍ଡାରର ୧୦୦ କିଲୋମିଟର୍ ଦୀର୍ଘ ତଟ ଡେବ୍ରିଗଡ଼ ଅଭୟାରଣ୍ୟ ସହ ସଂଲଗ୍ନ ହୋଇ ରହିଛି। ଏହା ଅନ୍ତର୍ଜାତୀୟ ଗୁରୁତ୍ବ ରଖୁଥିବା ଏକ ବିଶାଳ ଆର୍ଦ୍ରଭୂମି ହୋଇଥିବାବେଳେ ‘ରାମ୍ସାର୍ ସାଇଟ୍’ ମାନ୍ୟତା ପାଇଁ ପ୍ରସ୍ତାବ ରହିଛି। ଡେବ୍ରିଗଡ଼ରେ ବାସ କରୁଥିବା ହଜାରହଜାର ବନ୍ୟପ୍ରାଣୀ ନିଜ ଜୀବନ ଧାରଣ ପାଇଁ ମୁଖ୍ୟତଃ ଏହି ଆର୍ଦ୍ରଭୂମି ଉପରେ ନିର୍ଭରଶୀଳ ଥିବାବେଳେ ବିଷାକ୍ତ ଅମରି ବୁଦା ଏହି ପ୍ରାକୃତିକ ଆବାସ ସ୍ଥଳର ସନ୍ତୁଳନ ବିଗାଡ଼ୁ ଥିଲା।
ଆମେରିକୀୟ ଉଷ୍ମମଣ୍ଡଳରୁ ଜନ୍ମିତ ଏହି ବିଷାକ୍ତ ଅଦରକାରୀ ତୃଣ କ୍ରମେ ଏସିଆ ସମେତ ବିଭିନ୍ନ ମହାଦେଶରେ କାୟା ବିସ୍ତାର କରିଥିଲା। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ଏହା ବ୍ୟାପକ ମାତ୍ରାରେ ଦେଖିବାକୁ ମିଳୁଛି। ଗତ ଏକ ଦଶନ୍ଧି ମଧ୍ୟରେ ଏହା ଡେବ୍ରିଗଡ଼ ଅଭୟାରଣ୍ୟକୁ ଲାଗି ଥିବା ହୀରାକୁଦ ଆର୍ଦ୍ରଭୂମିକୁ ଏକପ୍ରକାର କବଳିତ କରି ନେଇଛି। ପ୍ରାଣୀମାନେ ଖାଦ୍ୟ ପାଇଁ ନିର୍ଭର କରୁଥିବା ସବୁଜ ତୃଣଭୂମି ବା ଘାସ ପଡ଼ିଆକୁ କବ୍ଜା କରି ଏହା ସବୁଆଡ଼େ ମାଡ଼ି ଯାଇଥିଲା। ଏହା ବିଷାକ୍ତ ଗୁଣ ଥିବାରୁ ବନ୍ୟପ୍ରାଣୀଙ୍କୁ ଶାରୀରିକ ଭାବେ ମଧ୍ୟ ପ୍ରଭାବିତ କରୁଥିଲା।
ଡେବ୍ରିଗଡ଼ ଅଭୟାରଣ୍ୟର ବନ୍ୟପ୍ରାଣୀ ତଥା ପ୍ରାକୃତିକ ତୃଣ ମଣ୍ଡଳର ସୁରକ୍ଷା ପାଇଁ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ଅମରି ବୁଦା ସଫେଇ ଅଭିଯାନ ଆରମ୍ଭ ହୋଇଛି। ବୁର୍ଲା ନିକଟ ଜିରୋ ପଏଣ୍ଟରୁ ଆରମ୍ଭ କରି ଛତିଶଗଡ଼ ସୀମାରେ ଥିବା ଡେବ୍ରିଗଡ଼ର ଶେଷ ବିନ୍ଦୁ ତାମଡାଇ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଉପକୂଳ ଓ ଆର୍ଦ୍ରଭୂମିରେ ଏହି ସଫେଇ ଅଭିଯାନ ଚାଲିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ଏହି ସଫେଇ ପାଇଁ ମେସିନ୍ ବ୍ୟବହାର କରାଯାଉଛି। ଅମରିକୁ ମୂଳରୁ ଉପାଡ଼ିବା ଓ ତାହା ପୁଣି ଯେମିତି କେଉଁଠି ପଡ଼ି ନ ବ୍ୟାପିବ ସେ ଦିଗରେ ସତର୍କତା ଅବଲମ୍ବନ କରାଯାଉଛି। ଅମରି ଏକ ବିଦେଶୀ ତୃଣ ହୋଇଥିବାବେଳେ ବଂଶବିସ୍ତାରରେ ଏହା ସ୍ଥାନୀୟ ତୃଣମାନଙ୍କୁ ପଛରେ ପକାଇ ଦେଇଥିଲା। ଏହା ମଧ୍ୟ ଡେବ୍ରିଗଡ଼ର ଜୈବ ବିବିଧତାକୁ ନଷ୍ଟ କରୁଥିଲା। ତେଣୁ ସଏଲ୍ ସୋଲାରାଇଜେସନ୍ ଜ୍ଞାନକୌଶଳ ଜରିଆରେ ଏହାକୁ ସମୂଳେ ନଷ୍ଟ କରିବା ଉଦ୍ୟମ କରାଯାଉଛି ବୋଲି ଶ୍ରୀମତୀ ଦାସ କହିଛନ୍ତି।
/sambad/media/post_attachments/wp-content/uploads/2022/05/୨୭.jpg)
ହୀରାକୁଦ ଜଳଭଣ୍ଡାର କୂଳେକୂଳେ ଯେଉଁ ଅଞ୍ଚଳରୁ ଅମରି ସଫା ହୋଇ ସାରିଛି, ସେଠାରେ ଏବେ ଡେବ୍ରିଗଡ଼ର ବନ୍ୟପ୍ରାଣୀ, ବିଶେଷ କରି ତୃଣଭୋଜି ମାନେ ମନ ଆନନ୍ଦରେ ବହୁ ସଂଖ୍ୟାରେ ବିଚରଣ କରୁଥିବା ଦେଖିବାକୁ ମିଳୁଛି। ବହୁ ସଂଖ୍ୟାରେ ଗୟଳ, ସମ୍ବର, ହରିଣ, ଜଙ୍ଗଲି ବାର୍ହା ପ୍ରମୁଖ ଏବେ ପର୍ଯ୍ୟଟକଙ୍କ ଦୃଷ୍ଟି ଗୋଚର ହେଉଛନ୍ତି। ଅମରି ସଫା ହେବା ପରେ ପ୍ରାଣୀଙ୍କ ଚରିବା ଓ ଭ୍ରମଣ ପାଇଁ ବିସ୍ତୃତ ତୃଣ ଭୂମି ଉପଲବ୍ଧ ହୋଇଛି। ଡେବ୍ରିଗଡ଼ କର୍ତ୍ତୃପକ୍ଷ ବସା ବାନ୍ଧୁଥିବା ପକ୍ଷୀ ଓ ଠେକୁଆ ଜାତୀୟ ଅନ୍ୟ କ୍ଷୁଦ୍ର ପ୍ରାଣୀ ମାନଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଚିହ୍ନଟ କରିଛନ୍ତି। ଏହି ସ୍ଥାନ ଗୁଡ଼ିକ ଉପରେ ନିୟମିତ ଦୃଷ୍ଟି ରଖାଯିବା ସହ ଜିଆଇଏସ୍ ମ୍ୟାପିଂ କରାଯିବ ବୋଲି କହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/୨୬.jpg)