ପଦ୍ମପୁର: ପଦ୍ମପୁର ଉପଖଣ୍ତ ଝାରବନ୍ଧ ଥାନା ଅଧୀନସ୍ଥ ଅମଠିଠାରେ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ହତ୍ୟା ଘଟଣାର ପୁଲିସ୍‌ ପର୍ଦ୍ଦାପାସ କରିଛି। ଏନେଇ ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତ ମାର୍ଚ୍ଚ ୨୪ ତାରିଖରେ ଭାରତ ଫାଇନାନ୍ସ କମ୍ପାନି ପାଇକମାଳ ଶାଖାର କର୍ମଚାରୀ ବିଶ୍ବଜିତ ରାଜହଂସ ବଣ୍ତାମୁଣ୍ତା, ଠାକୁରଦିଆ, ତୁର୍ଲା ଗ୍ରାମର ବିଭିନ୍ନ ମହିଳା ଗ୍ରୁପ୍‌ରୁ ଟଙ୍କା ଅସୁଲି କରି ଫେରୁଥିଲେ। ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ। ଭୟରେ ସେ ଅମଠି ଗ୍ରାମ ଭିତରକୁ ପଶି ଆତ୍ମରକ୍ଷା ପାଇଁ  ବିନୋଦ ରଣା ଘର କବାଟକୁ ବାଡେଇ ଥିଲେ। କବାଟ ବନ୍ଦ ଥିବାରୁ ଖୋଲିବାରେ ବିଳମ୍ବ ହୋଇଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ବିଶ୍ବଜିତ ଘଟଣାସ୍ଥଳରେ ଟଳି ପଡିଥିଲେ।

Advertisment

ଗ୍ରାମବାସୀ ପିଛା କରିବା ସତ୍ତ୍ବେ ଆକ୍ରମଣକାରୀଙ୍କ ଟେର୍‌ ପାଇ ନଥିଲେ। କମ୍ପାନୀର ଶାଖା ପରିଚାଳକ ବିଘ୍ନେଶ୍ବର ସା’ଙ୍କ ଅଭିଯୋଗ କ୍ରମେ ପୁଲିସ ନଂ ୩୩/୨୧ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପାଇକମାଳ ଗ୍ରାମର ରମାକାନ୍ତ ମିଶ୍ର ଓ ଅକ୍ରମ ଅଲିଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କଲା ପରେ ସେମାନେ ହତ୍ୟା କରିଥିବା ମାନି ଯାଇଥିଲେ। ତାଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ବେସବଲ ବ୍ୟାଟ୍‌, ଏକ ବାଇକ୍‌ (ଓଡି୧୭ ଏଫ୍‌- ୭୯୪୪)କୁ ପୁଲିସ୍‌ ଜବତ କରିଛି। ଝାରବନ୍ଧ ଥାନାଧିକାରୀ ଅନିଲ ପ୍ରଧାନ, ପାଇକମାଳ ଥାନାଧିକାରୀ ବିଶ୍ବଜିତ ମନବୋଧ, ସବ୍‌ ଇନ୍ସପେକ୍ଟର ସୁମିତ ଦୋରା, ଏଏସ୍‌ଆଇ ସତ୍ୟାନନ୍ଦ ଭୋଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।