ଉଠା ଜଳସେଚନ ବିଭାଗର ଚାଷୀମରଣ ନୀତି ! ଗଭୀର ନଳକୂପ ଖୋଳି ଛାଡ଼ିଦେଲେ

ମଟର ପମ୍ପ ପାଇଁ ୫ ବର୍ଷ ଦୌଡ଼ିଲେଣି ଚାଷୀ

ସୁନ୍ଦରଗଡ଼: ଟାଙ୍ଗରପାଲି ବ୍ଲକ ଯୋଗୀମାଲ ଗାଁର ଛନ୍ଦାଚରଣ ପଟେଲଙ୍କ ଚାଷଜମିକୁ ଜଳସେଚନର କୌଣସି ବ୍ୟବସ୍ଥା ପହଞ୍ଚି ନଥିଲା। ବର୍ଷା ଜଳ ଉପରେ ହିଁ ଭରସା କରୁଥିଲେ ସେ। କିନ୍ତୁ ପ୍ରତି ବର୍ଷ ଦାଉ ସାଧୁଥିଲା ବର୍ଷା। ଠିକ ସମୟରେ ବର୍ଷା ନହେବା ବା ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡ଼ିର ଦୁଃଖ ଭୋଗୁଥିଲେ ସେ। ଠିକ୍ ଏହି ସମୟରେ ଉଠା ଜଳସେଚନ ବିଭାଗ ତାଙ୍କ ଜମିରେ ଗଭୀର ନଳକୂପ ଖୋଳି ପାଣି ଯୋଗାଇବାର ସ୍ବପ୍ନ ଦେଖାଇଥିଲା। ଛନ୍ଦାଚରଣ ଖୁସି ଖୁସିରେ ରାଜି ହୋଇଥିଲେ। ଯୋଜନାର ସର୍ତ୍ତାନୁସାରେ ଅଂଶଧନ ୨୦ ହଜାର ଟଙ୍କା  ଜମା କଲେ। ଏହା ପରେ ୨୦୧୭ରେ ଜୁନରେ ତାଙ୍କ ଜମିରେ ଗଭୀର ନଳକୂପ ଖୋଳାଗଲା।

ଦିନେ ଦୁଇ ଦିନ ମଧ୍ୟରେ ମଟରପମ୍ପ ଲଗାଯିବ ବୋଲି କୁହାଗଲା। କିନ୍ତୁ ବର୍ଷ ବର୍ଷ ବିତିଯିବା ପରେ ବି ମଟରପମ୍ପ ଲାଗିଲା ନାହିଁ।   ଆଜି କାଲି କହି ଦିନ ଗଡ଼ାଇ ନେଲେ ବିଭାଗୀୟ ଅଧିକାରୀ। ତେବେ ଏତିକିରେ ଛନ୍ଦାଚରଣଙ୍କ ଦୁର୍ଦ୍ଦଶା ସରିଲା ନାହିଁ। ଗତବର୍ଷ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ତାଗିଦ ପରେ ବିଭାଗ ଦୁଇ ଦିନ ମଧ୍ୟରେ ମଟରପମ୍ପ ଲାଗିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପାଣି ମିଳିବା ନିଶ୍ଚିତ ଭାବି ଚାଷୀ ଛନ୍ଦାଚରଣ ଚାଷରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ। କିନ୍ତୁ ମଟରପମ୍ପ ଲଗାଇବା ତ ଦୂରର କଥା ବିଭାଗର ଦେଖାଦର୍ଶନ ମିଳିଲା ନାହିଁ। ଏପଟେ ବର୍ଷା ଅଭାବ ଯୋଗୁଁ ଧାନ ଗଛ ପୋଡ଼ିଗଲା। ଜମିରୁ ମୁଠେ ବି ଧାନ ଅମଳ କରିପାରିଲେ ନାହିଁ ଛନ୍ଦାଚରଣ। ଦୁଃଖରେ ଭାଙ୍ଗି ପଡ଼ିଥିଲେ ସେ। ଏହା ମଧ୍ୟରେ ୫ ବର୍ଷ ବିତିଗଲାଣି। ବିଭାଗ ଆଉ ଧରାଛୁଆଁ ଦେଉ ନାହିଁ।

ତେବେ ଉଠା ଜଳସେଚନ ବିଭାଗର ଏ ଚାଷୀମରଣ ନୀତିରେ ଯୋଗୀମାଲର  ଏକା ଛନ୍ଦାଚରଣ   ଛଟପଟ ହେଉଛନ୍ତି ତାହା ନୁହେଁ, ଗାଁର  ଭରତ ପଟେଲ, ନୀଳାନ୍ଦ୍ରି ପଟେଲ ଓ ଯୋଗୀମାଲ ପଞ୍ଚାୟତ  ଗୁଲଠା ଗାଁର ତେଜରାଜ ଚୌଧୁରୀଙ୍କ ସହ ଛଟେନପାଲିର ୨ ଜଣ ଚାଷୀ ମଧ୍ୟ ସମାନ ଦୁର୍ଦ୍ଦଶା ଭୋଗି ଚାଲିଛନ୍ତି। ସମସ୍ତଙ୍କ ଠାରୁ ୨୦ ହଜାର ଟଙ୍କା ଲେଖାଏଁ ଅଂଶଧନ ନେଇ ଜମିରେ ଗଭୀର ନଳକୂପ ଖୋଳିବା ପରେ ମଟରପମ୍ପ ନଲଗାଇ ସେମିତି ଛାଡ଼ି ଦେଇଛି ବିଭାଗ। ଚାଷୀମାନେ ୫ ବର୍ଷ ମଧ୍ୟରେ ବିଭାଗୀୟ କାର୍ଯ୍ୟାଳୟକୁ ବହୁବାର ଯାଇଛନ୍ତି, ମଟରପମ୍ପ ଲଗାଇବାକୁ ନେହୁରା ହୋଇଛନ୍ତି। ହେଲେ ବିଭାଗୀୟ ଅଧିକାରୀ ସେମାନଙ୍କ କଥାକୁ ଆଉ କାନ ଦେଉ ନାହାନ୍ତି। ଏହା ମଧ୍ୟରେ  ଜଳସେଚନ ଯୋଜନାକୁ ବିଦ୍ରୁପ କରି  ଜମିରେ ଖୋଲା ପଡ଼ିଥିବା ଗଭୀର ନଳକୂପ, ମେଘଶୂନ୍ୟ ଆକାଶ ଓ ପାଣି ଅଭାବରୁ ଉଧେଇ ପାରୁ ନଥିବା ଧାନ ଗଛକୁ ଦେଖି ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି।

ସମ୍ବନ୍ଧିତ ଖବର