ତୁଟିଲା ୪୦ ବର୍ଷ ପୁରୁଣା ଗାଁ ବିବାଦ : ଭାଇଚାରା ଡୋରିରେ ବାନ୍ଧିହେଲେ ଅମ୍ବାଦଳାବାସୀ, ଏକାଠି ହୋଇ କଲେ ରକ୍ତଦାନ

ରାୟଗଡ଼ା : ୪୦ ବର୍ଷ ଧରି ଗାଁରେ ଲାଗି ରହିଥିଲା ବିବାଦ। ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ ଗ୍ରାମବାସୀ। ଯାନି, ଯାତ୍ରାଠୁ ଆରମ୍ଭ କରି ବିବାହ, ଭୋଜିରେ କେହି କାହା ମୁହଁ ଚାହୁଁନଥିଲେ। ଯାହାର କୁପରିମାଣ ବି ଗ୍ରାମବାସୀ ଭୋଗୁଥିଲେ। ଏପରିକି ଗାଁରେ ବିକାଶ ହୋଇଥିଲା ବାଧାପ୍ରାପ୍ତ। ଶେଷରେ ଯୁବଗୋଷ୍ଠୀଙ୍କ ଉଦ୍ୟମକ୍ରମେ ଭାଇଚାରାର ଡୋରିରେ ପୁଣି ବନ୍ଧା ହୋଇଛନ୍ତି ପୁରୁଣା ଆମ୍ବାଦଳାବାସୀ। ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଏକାଠି ହୋଇ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହ ବ୍ୟୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କରିଛନ୍ତି ସମ୍ବର୍ଧିତ। ଏଥିସହିତ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରି ସମୂହ ଭାବେ ରକ୍ତଦାନ ମଧ୍ୟ କରିଛନ୍ତି। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

ମୁନିଗୁଡା ବ୍ଲକ୍ ଅମ୍ବାଦଳା ପଞ୍ଚାୟତର ପୁରୁଣା ଅମ୍ବାଦଳା ଗ୍ରାମ। ଜୟପୁର, କାଶୀପୁର, ରାୟଗଡ଼ା, ବିଷମକଟକ, ମୁନିଗୁଡ଼ା ରାଜାଙ୍କ ଅଧୀନରେ ଜମିଦାର ଭାବେ କାମ କରୁଥିଲେ ଏହି ଗ୍ରାମବାସୀ। ଜମିଦାରଙ୍କ ଗାଁ ଭାବେ ପରିଚିତ ପୁରୁଣା ଆମ୍ବାଦଳାରେ ପାଇକ, ଗୌଡ଼, ବ୍ରାହ୍ମଣ, ମାଳି, କୁମ୍ଭାର, ଦୋରା, ଲୋହାର, କାମ୍ପ, ଭଣ୍ଡାରି, ଧୋବା, ମଗଦା ଗୌଡ଼, ସୁନାରି ଭଳି ୨୦ ବର୍ଗର ଲୋକ ବସବାସ କରନ୍ତି। ରାଜାରାଜୁଡ଼ା ଅମଳରୁ ଗ୍ରାମବାସୀ ଏକାଠି ଚଳି ଆସୁଥିବା ବେଳେ ରାଜନୈତିକ ବିବାଦକୁ ନେଇ ୪୦ବର୍ଷ ତଳେ ଅଲଗା ହୋଇଥିଲେ। ଗ୍ରାମବାସୀ ଦୁଇ ଗୋଷ୍ଠୀରେ ବିଭକ୍ତ ହେବାପରେ ବାପା, ଜେଜେ ଅମଳର ସବୁ ସଂପର୍କ ତୁଟାଇ ଦେଇଥିଲେ। ପାରମ୍ପରିକ ପର୍ବ ପର୍ବାଣି ଗ୍ରାମରେ ଦୁଇ ଗୋଷ୍ଠୀ ଭିନ୍ନ ଭିନ୍ନ ଭାବେ ପାଳି ଆସୁଥିଲେ। ଶେଷରେ ଗ୍ରାମବାସୀଙ୍କୁ ଏକାଠି କରିବାକୁ ଅଣ୍ଟା ଭିଡ଼ିଥିଲେ ନୂତନ ପିଢ଼ି। ୫/୬ ମାସ ତଳେ ଯୁବଗୋଷ୍ଠୀଙ୍କ ଆହ୍ବାନକ୍ରମେ ଗ୍ରାମବାସୀ ଏକାଠି ହେବାକୁ ନିଷ୍ପତ୍ତି ନେଇଥିଲେ। ଯୁବଗୋଷ୍ଠୀଙ୍କ ଅକ୍ଳାନ୍ତ ଉଦ୍ୟମ ସାଙ୍ଗକୁ ବ୍ୟୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରାମର୍ଶରେ ଗ୍ରାମବାସୀ ଶେଷରେ ଏକାଠି ହୋଇଥିଲେ। ୪୦ ବର୍ଷର ବ୍ୟବଧାନ ପରେ ଗ୍ରାମରେ ପୃଥକ ବାଲିଯାତ୍ରା ବଦଳରେ ଗୋଟିଏ ବାଲିଯାତ୍ରାରେ ସମସ୍ତେ ସାମିଲ୍ ହୋଇଥିଲେ। ସେହିପରି ପ୍ରଥମ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ବରୂପ ଆଜି ଗାଁ ପଡ଼ିଆରେ ଆୟୋଜନ ହୋଇଥିଲା ଭୋଜିଭାତ। ସମସ୍ତ ଗ୍ରାମବାସୀ ବନ୍ଧୁମିଳନ ଉତ୍ସବରେ ସାମିଲ୍ ହେବା ସହ ୪୦ବର୍ଷ ଧରି ଚାଲିଥିବା ବିବାଦରେ ଟାଣିଛନ୍ତି ପୂର୍ଣ୍ଣଚ୍ଛେଦ।

ସମ୍ବନ୍ଧିତ ଖବର