ଜୟପୁର: ଏକ ଗଣ୍ଡଗୋଳ ମାମଲାରେ ସହଯୋଗ କରିବା ପାଇଁ ଜୟପୁର ସଦରଥାନା ଅର୍ନ୍ତଗତ ଆମ୍ବାଗୁଡା ଫାଣ୍ଡି ଅଧିକାରୀ ସବଇନିସପେକ୍ଟର ପ୍ରଶାନ୍ତ ମହାନ୍ତି ଜଣେ ବ୍ୟକ୍ତିଙ୍କ ଠାରୁ ୫ହଜାର ଟଙ୍କା ଲାଂଚ ନେଇ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏବେ ଏସଆଇ ମହାନ୍ତି ରହୁଥିବା ସଦରଥାନା ପଛ କ୍ବାଟର୍ସରୁ ଲକ୍ଷାଧିକ ଟଙ୍କା ମିଳିଛି। ସେଭଳି ଆଉ ତିନୋଟି ଦଳ ଆମ୍ବାଗୁଡା ପାଣ୍ଡି କାର୍ଯ୍ୟାଳୟ, କୋରାପୁଟ ଓଦାମନଯୋଡିସ୍ଥିତ ବାସଭବନ ଉପରେ ଚଢ଼ାଉ କରି ଯାଞ୍ଚ କରୁଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, ଜୟପୁର ବ୍ଲକର ଛାତଡିପୁଟ ଗାଁର କୃଷ୍ଣ ଗାଧବାଙ୍କ ସହ ସେହି ଗାଁର ଜଣେ ବ୍ୟକ୍ତିଙ୍କ ସହ କୌଣସି ମାମଲାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳର ଆପୋଷ ସମାଧାନ କରି ମାମଲା ରୁଜୁ ନ କରିବା ପାଇଁ ସେ କୃଷ୍ଣଙ୍କୁ ୨୦ହଜାର ଟଙ୍କା ଲାଂଚ ମାଗିଥିଲେ। କୃଷ୍ଣ ଗରିବ ଲୋକ ସେ ଏତେ ଟଙ୍କା ଦେଇ ପାରିବ ନାହିଁ ବୋଲି କହିଥିଲେ। ଏହା ପରେ ୮ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ କୃଷ୍ଣ। ପୂର୍ବରୁ ୨ହଜାର ଟଙ୍କା ନେଇଯାଇଥିଲେ ସବଇନିସପେକ୍ଟର ମହାନ୍ତି। ଆଜି ବଳକା ଟଙ୍କା ନେବା ପାଇଁ ରଣ୍ଡାପାଲ୍ଲୀ ଛକ ନିକଟରେ ମହାନ୍ତି ଜଗିଥିଲେ। କୃଷ୍ଣ ଠାରୁ ଭିଜିଲାନସ ଦେଇଥିବା ରଂଗବୋଳା ୫ହଜାର ଟଙ୍କା ନେଇଥିଲେ ଏସଆଇ ମହାନ୍ତି। ଭିଜିଲାନସ୍ ତାଙ୍କୁ ଧରିବା ପୂର୍ବରୁ ବାଇକରେ ଦ୍ରୁତଗତିରେ ସେ ଜୟପୁର ପଟକୁ ପଳାଇ ଆସିଥିଲେ। ଭିଜିଲାନସ୍ ଟିମ ମଧ୍ୟ ଗାଡ଼ିରେ ଧରିବା ପାଇଁ ପିଛା କରିଥିଲା। ଉଭୟଙ୍କ ମଧ୍ୟରେ ଛକାପଂଜା ଚାଳିଥିଲା। ଦ୍ରୁତଗତିରେ ବାଇକରେ ଆସି ଏସଆଇ ମହାନ୍ତି ଉମୁରୀ ଗାଁର ମା’ଆ ବ୍ରାହ୍ମଣଦେଇ ମନ୍ଦିର ସମ୍ମୁଖ ଗଳି ମଧ୍ୟରେ ପଶି ଯାଇଥିଲେ।
ତେବେ ଅଳ୍ପ କିଛି ବାଟ ଯିବା ପରେ ରାସ୍ତାରେ ଥିବା କାଦୁଅରେ ବାଇକ ଖସି ଯିବାରୁ ସେ ତଳେ ପଡ଼ିଯାଇଥିଲେ। ତଳରୁ ଉଠି ସାହି ମଧ୍ୟରେ ଜଣକ ଘର ମଧ୍ୟରେ ଯାଇ ଲୁଛିବାକୁ ପ୍ରୟାସ କରୁଥିବା ବେଳେ ଭିଜିଲାନସ୍ ଟିମ୍ ହାତରେ ଧରାପଡ଼ିଥିଲେ ଏସଆଇ ମହାନ୍ତି। ଭିଜିଲାନସ୍ ଏସଆଇ ମହାନ୍ତିଙ୍କ ନିକଟରୁ ରଂଗବୋଳା ୫ହଜାର ଟଙ୍କା ଭିଜିଲାନସ୍ ଜବତ କରିଥିଲେ। ଜୟପୁର ସଦରଥାନା ପରିସରରେ ଥିବା କ୍ବାଟର୍ସ ଯାଂଚ କରିବାରେ ସେଠାରେ ଲକ୍ଷାଧିକ ଟଙ୍କା ମିଳିଛି। ରିପୋର୍ଟ ଲେଖାହେବା ଯାଏଁ ଭିଜିଲାନସ୍ ଟିମ୍ ଟଙ୍କା ଗଣତିରେ ଲାଗିଥିବା ଦେଖିବାକୁ ମିଳିଥିଲା। ସେଭଳି ଆମ୍ବାଗୁଡା ପାଣ୍ଡି, କୋରାପୁଟ ଓ ଦାମନଯୋଡିରେ ଥିବା ବାସଭବନରେ ଆଉ ତିନୋଟି ଟିମ୍ ଚଢ଼ାଉ କରି ଯାଂଚ ଆରମ୍ଭ କରିଥିବା ସୂଚନା ମିଳିଛି। ସବୁ ଚଢ଼ାଉ ସରିବା ପରେ ହିଁ କେତେ ଟଙ୍କା ମିଳିଛି ତାହା ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।