ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଜାଉ ଖାଇ ମୃତକଙ୍କ ସଂଖ୍ୟା ୩ ରେ ପହଞ୍ଚିଛି। ଆଜି କଟକ ବଡ଼ଡାକ୍ତରଖାନାରେ ଜିତା ମାଝୀଙ୍କ ମୃତ୍ୟୁ ଘଟିଛି। ଭୋକ ବିକଳରେ ମଣିଷ ଆମ୍ବଟାକୁଆ ଜାଉ ଭଳି ଅଖାଦ୍ୟ ଖାଇବା ଘଟଣା ରାଜ୍ୟର ଛବିକୁ ମଳିନ କରିଦେଇଛି। ତେବେ କେବଳ ମାଣ୍ଡିପଙ୍କା ନୁହେଁ; କନ୍ଧମାଳ ଜିଲ୍ଲାର ଅନେକ ଦୁର୍ଗମ ଗାଁରେ ଭୋକ ମେଣ୍ଟାଉଛି ଟାକୁଆ ଜାଉ। କୋଟଗଡ଼ ବ୍ଲକ୍ ଦୁର୍ଗାପାଙ୍ଗା ପଞ୍ଚାୟତ ଅନ୍ତର୍ଗତ କାଣିବାରୁ ଘାଟିରେ କୁଟିଆକନ୍ଧ ଆଦିମ ଜନଜାତିର (ପିଭିଟିଜି) ୫୦ ପରିବାର ବାସ କରନ୍ତି। ଗାଁର ଜନସଂଖ୍ୟା ୨୧୦। ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବ୍ଲକର ନିୟମଗିରି ପାହାଡ଼କୁ ଲାଗିଛି କାଣିବାରୁ ଗାଁ। କୋଟଗଡ଼ ବ୍ଲକର ବଣ୍ଡାପିପିଲି ପର୍ଯ୍ୟନ୍ତ ଯାଇ ଏହାପରେ ଜଙ୍ଗଲିଆ ପାଦଚଲା ରାସ୍ତାରେ ୧୩ କିଲୋମିଟର ଗଲେ ପଡ଼ିବ ଏହି ଗାଁ। ‘ସମ୍ବାଦ’ ଟିମ୍ ଏହି ଗାଁରେ ପହଞ୍ଚି ଜାଣିବାକୁ ପାଇଲା ଯେ, ଅଗଷ୍ଟରୁ ଅକ୍ଟୋବର ୩ ମାସ ଏମାନଙ୍କୁ ରାସନ୍ ଚାଉଳ ମିଳି ନଥିଲା। ଲୋକେ ବାଧ୍ୟହୋଇ ଆମ୍ବଟାକୁଆ ଜାଉ ଖାଉଥିଲେ। ତେବେ ମାଣ୍ଡିପଙ୍କା ଘଟଣା ପରେ ନଭେମ୍ବର ୨ ତାରିଖରେ ଚାଉଳ ମିଳିଛି।
‘ସମ୍ବାଦ’ ଟିମ୍ କାଣିବାରୁ ଉପରସାହିରେ ପହଞ୍ଚିଲା ବେଳକୁ ଦିସ୍କ ମାଝୀ ଓ ତାଙ୍କ ପତ୍ନୀ ଶିବନ୍ତୀ ମାଝୀ ଘର ଆଗରେ ଆମ୍ବଟାକୁଆ ଶୁଖାଉଥିଲେ। କୋଇଲି ଚୂନାରେ ଜାଉ କିମ୍ବା ପିଠା କରି ଖାଇବେ। ଏହା ସେମାନଙ୍କର ନିତି ଦିନିଆ ଖାଦ୍ୟ ବୋଲି ଏହି ଦମ୍ପତି କହିଥିଲେ। ସରକାରଙ୍କ ପକ୍ଷରୁ ମାସିକ ମୁଣ୍ଡପିଛା ମାତ୍ର ୫ କିଲୋ ଚାଉଳ ମିଳୁଛି; ଏହା ଯଥେଷ୍ଟ ନୁହେଁ ବୋଲି ଗ୍ରାମର ବାରୁସା ମାଝୀ, ମହେନ୍ଦ୍ର ମାଝୀ, ଲିଟୁ ମାଝୀ, ଅଫିସ ଜାନି, ବସିଙ୍ଗା ଜାନି, ପାଲ ଜାନି, ସିରୁଙ୍ଗା ଜାନି, ବାବୁଲା ମାଝୀ, ଚିନି ମାଝୀ କହିଥିଲେ। ଦୁର୍ଗାପାଙ୍ଗା ପଞ୍ଚାୟତ ଅଫିସରୁ ରାସନ୍ ଚାଉଳ ଆଣିବାକୁ ହେଲେ ଗାଁରୁ ସକାଳୁ ବାହାରିଲେ ପଥୁରିଆ ରାସ୍ତାରେ ଚାଲିଚାଲି ରାତି ଅଧରେ ଫେରନ୍ତି।
ଅକ୍ଟୋବରରେ ଅଖାଦ୍ୟ ଓ ଦୂଷିତ ପାଣି ନେଇଛି ୨୫ ଜୀବନ
ମୁଣ୍ଡପିଛା ୫ କିଲୋ ଚାଉଳ ଯଥେଷ୍ଟ ନୁହେଁ
‘ଆମ୍ବଟାକୁଆ, ବଣକନ୍ଦା ନ ଖାଇଲେ ଆଉ କ’ଣ ଖାଇବୁ’
ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଏହି ଗାଁରେ ୫ ଜଣ କୁଟିଆକନ୍ଧ ଅଖାଦ୍ୟ ଖାଇ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିଲେ। ଗାଁରେ ଗୋଟିଏ ହେଲେ ନଳକୂପ କିମ୍ବା କୂଅ ନାହିଁ। ଝରଣା ପାଣି ଉପରେ ଏମାନେ ନିର୍ଭର କରିଥାନ୍ତି। ବିଦ୍ୟୁତ୍ ଏଠି ସାତସପନ। ଗାଁରେ ଏକ ସ୍କୁଲ୍ ଅଛି, କିନ୍ତୁ ସ୍କୁଲ୍ ଘର ନାହିଁ। ଗାଁର ଗୋଟିଏ ବି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିନାହିଁ। କାଣିବାରୁ ଗାଁରୁ ବଣ୍ଡାପିପିଲି ମଧ୍ୟରେ ବଡ଼ନଈ ପ୍ରବାହିତ ହେଉଛି। ଏହି ନଈଟି ସାତ ବାଙ୍କ ହୋଇ ଅତିକ୍ରମ କରିଥିବାରୁ ଗାଁକୁ ଯିବାକୁ ହେଲେ ସାତ ଥର ନଦୀ ଭିତରେ ପଶି ଯିବାକୁ ପଡ଼ିଥାଏ। ଗତ ଅକ୍ଟୋବର ମାସରେ ଅଖାଦ୍ୟ ଓ ଦୂଷିତ ପାଣି ପାଇଁ ଏହି ଗାଁ ଓ ଆଖପାଖ ଗାଁର ୨୫ଜଣଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିଲା। ସେତେବେଳେ ଡାକ୍ତରୀ ଦଳ ପହଞ୍ଚି ଗାଁ ଲୋକଙ୍କୁ ଝରଣା ପାଣି ଓ ବଣକନ୍ଦା, ଆମ୍ବ ଟାକୁଆ ନ ଖାଇବାକୁ ପରାମର୍ଶ ଦେଇଥିଲେ। ତେବେ ଝରଣା ପାଣି, ଆମ୍ବଟାକୁଆ, ବଣକନ୍ଦା ନ ଖାଇଲେ ଆଉ କ’ଣ ଖାଇ ବଞ୍ଚିବୁ ବୋଲି ମହେନ୍ଦ୍ର ମାଝୀ ଓ ଚିନି ମାଝୀ ପ୍ରଶ୍ନ କରିଛନ୍ତି। କୁଟିଆକନ୍ଧଙ୍କ ବିକାଶ ପାଇଁ କନ୍ଧମାଳ ଜିଲ୍ଲାର ବେଲଘରଠାରେ ୧୯୭୮ ମସିହାରୁ ‘କୁଟିଆକନ୍ଧ ଉନ୍ନୟନ ସଂସ୍ଥା’କାର୍ଯ୍ୟ କରୁଛି। କାଣିବାରୁ ଗାଁର ଅବସ୍ଥାକୁ ଦେଖିଲେ ଏହି ସଂସ୍ଥା କିଭଳି କାର୍ଯ୍ୟ କରୁଛି ସହଜରେ ଜାଣି ହେଉଛି।