ଅନୁଗୋଳ : ଅନୁଗୋଳ ନାଲକୋନଗରରେ ଭାରତରତ୍ନ ଡକ୍ଟର ବି.ଆର ଆମ୍ବେଦକରଙ୍କ ନବିକୃତ ଧାତୁ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହାକୁ ଉନ୍ମୋଚନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହା ସମସ୍ତଙ୍କୁ ଆମ୍ବେଦକରଙ୍କ ଆଦର୍ଶରେ ଲମ୍ବା ସମୟ ଧରି ପଥ ପ୍ରଦର୍ଶିତ କରିବ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଦିନରେ ଏକ ବିଶେଷ ମହତ୍ତ୍ବ ଅଛି । ଡକ୍ଟର ଆମ୍ବେଦକର ୧୯୫୦ ମସିହାରେ ଯେଉଁ ସମ୍ବିଧାନ ପ୍ରଣୟନ କରିଥିଲେ, ତାହାକୁ ୧୯୭୫ ମସିହାରେ ଆଜିର ଦିନରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ ସରକାର ଭାରତୀୟ ସମ୍ବିଧାନ ଉପରେ ଅଂଙ୍କୁଶ ଲଗାଇ ନାଗରିକଙ୍କ ମୌଳିକ ଅଧିକାରକୁ ହନନ କରିବାର ଅପଚେଷ୍ଟା କରିଥିଲେ। ଇମର୍ଜେନ୍ସି, ଭାରତୀୟ ଗଣତନ୍ତ୍ରରେ କଳାଫର୍ଦ୍ଦ । ଏହି ଜରୁରୀକାଳୀନ ପରିସ୍ଥିତିକୁ ନେଇ ପରେ ବ୍ୟାପକ ଜନଜାଗରଣ ହେବ ପରେ ୧୯୭୭ରେ ଇମର୍ଜେନ୍ସି ହଟାଗଲା ଓ ଦେଶରେ ଲୋକଶାସନ ପ୍ରତିଷ୍ଠା ହେଲା। ଲୋକତନ୍ତ୍ରରେ ଲୋକମାନଙ୍କ ନିଷ୍ପତି ଓ ସମ୍ବିଧାନର ବ୍ୟବସ୍ଥା ଠାରୁ କେହି ଉର୍ଦ୍ଧ୍ୱରେ ନୁହନ୍ତି। ଆଜିଭଳି ଦିନରେ ନାଲକୋ ନଗରରେ ସେହି ଡକ୍ଟର ବି.ଆର.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସୌଭାଗ୍ୟର ବିଷୟ ବୋଲି ସେ କହିଛନ୍ତି।