ଲକ୍‌ଡାଉନ୍‌‌ରେ ଲୋକେ ପରିପକ୍ବତା ଦେଖାଇଛନ୍ତି: ସମ୍ବିତ ପାତ୍ର

କରୋନା ସଂକ୍ରମଣ ପାଇଁ ମୋଦୀଜୀ ଯଦି ଆଗୁଆ ଲକ୍‌ଡାଉନ୍ ଘୋଷଣା କରିଥା’ନ୍ତେ, ତାହାଲେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଭାଙ୍ଗି ଯାଇଥା’ନ୍ତା। ଆଗୁଆ ଘୋଷଣା‌ ହୋଇଥି‌ଲେ, ଲୋକମାନେ ସାମାଜିକ ଦୂରତ୍ବ ରଖି ପାରିନଥା’ନ୍ତେ। ଲକ୍‌ଡାଉନ୍ ସମୟରେ ଦେଶର ସାଧାରଣ ଜନତା ପରିପକ୍ବତା ଦେଖାଇଛନ୍ତି। ଏହାର ପ୍ରତିଫଳନ ବିହାର ନିର୍ବାଚନରେ ଦେଖିବାକୁ ମିଳିଛି ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର।

ପଞ୍ଚମ ଅଧିବେଶନରେ ‘ସମ୍ବାଦ’ର ଉପ-ମହାପ୍ରବନ୍ଧକ (ବାର୍ତ୍ତା) ଗୌତମବୁଦ୍ଧ ଦାସଙ୍କ ସହ ଆଲୋଚନା ସମୟରେ ଡା. ପାତ୍ର କହିଥିଲେ ଯେ ମୋଦୀଜୀ ମନଇଚ୍ଛା କୌଣସି ନିଷ୍ପତ୍ତି ନେଉ ନଥିଲେ। ଏଥିପାଇଁ ୧୩ଟି ବିଶେଷଜ୍ଞ କମିଟି ରହିଥିଲା। କମିଟି ଯେଉଁ ପ୍ରସ୍ତାବ ଦେଉଥିଲା, ପ୍ରଧାନମନ୍ତ୍ରୀ ତାହା ଉପରେ କାର୍ଯ୍ୟ କରୁଥିଲେ। ୮ମାସ ଧରି ଲୋକଙ୍କୁ ମାଗଣାରେ ରାସନ ଦିଆଯାଇଥିଲା। କୋଭିଡ୍‌ ସମୟରେ ୨୦ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା ହୋଇଥିଲା। ବିଶେଷକରି କୃଷକ ଓ ଏମ୍‌ଏସ୍‌ଏମ୍‌ଇ ଶିଳ୍ପକୁ ଗୁରୁତ୍ବ ଦିଆଯାଇଥିଲା। କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ସେ କହିଥିଲେ ଯେ ଦେଶରେ ୬୦ କୋଟି କୃଷକ ରହିଛନ୍ତି। ମାତ୍ର ଦିଲ୍ଲୀରେ ୪/୫ଲକ୍ଷ କୃଷକ ଆନ୍ଦୋଳନ କରୁଛନ୍ତି। ତେଣୁ ଏହାକୁ ଦେଶବ୍ୟାପୀ କୃଷକଙ୍କ ଆନ୍ଦୋଳନ ବୋଲି କୁହାଯାଇ ପାରିବ ନାହିଁ। ୟୁପିଏ ସମୟରେ ଯେତେବେଳେ ଶରତ ପାୱାର କୃଷି ମନ୍ତ୍ରୀ ଥିଲେ, ସେ ସମୟରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏପିଏମ୍‌ସି ଉପରେ ଚିଠି ଲେଖିଥିଲେ। ଗତବର୍ଷ ନିର୍ବାଚନରେ କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଏ ସଂପର୍କରେ ଉଲ୍ଲେଖ ରହିଥିଲା। କୃଷକଙ୍କ ଆନ୍ଦୋଳନ ଭିତରେ କିଛି ଅନୁପ୍ରବେଶକାରୀ ପଶି ଯାଇଛନ୍ତି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର