ପ୍ରଭୁଙ୍କୁ ଲାଗି ହୁଏ, ଆମ୍ବୁଲ ରାଇ

କେନ୍ଦୁଝର: ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ କରିବା ପରେ ଜ୍ବରରେ କମ୍ପୁଛନ୍ତି କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀବଳଦେବଜିଉ। ଶ୍ରୀଜିଉମାନେ ଏବେ ଅଣସର ଘରେ ରହିଛନ୍ତି। ମହାପ୍ରଭୁଙ୍କୁ ଜ୍ବରରୁ ଭଲ କରିବାପାଇଁ ଚାଲିଛି ଗୁପ୍ତନୀତି। ଏହିସମୟରେ ଦଶମୂଳ, ଆମ୍ବ, ପଣସ ସହ ପ୍ରଭୁଙ୍କ ଅରୁଚି ଦୂର କରିବାକୁ ଆମ୍ବୁଲ ରାଇ ଲାଗି ହେଉଛି। କେନ୍ଦୁଝରର ରାଷ୍ଟ୍ର ଦେବତା ହେଉଛନ୍ତି ପ୍ରଭୁ ବଳଦେବ। ସହରର ପୁରୁଣାବଜାରରେ ଥିବା ବଳଦେବଜିଉଙ୍କ ମନ୍ଦିରରେ ବଳଦେବଙ୍କ ସମେତ ପ୍ରଭୁ ଜଗନ୍ନାଥ ଓ ଭଉଣୀ ସୁଭଦ୍ରା ପୂଜା ପାଉଛନ୍ତି। ଶ୍ରୀକ୍ଷେତ୍ର ଭଳି ଏଠାରେ ମଧ୍ୟ ସମସ୍ତ ନୀତିକାନ୍ତି ହୋଇଥାଏ। ଗ୍ରୀଷ୍ମକଷ୍ଟରୁ ରକ୍ଷା ପାଇବାକୁ ପ୍ରଥମେ ଚାପ ଖେଳିଥିଲେ ତିନିଦିଅଁ।

ଏହାପରେ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରିବା ପରେ ପ୍ରବଳ ଜ୍ୱରରେ କମ୍ପୁଛନ୍ତି ସର୍ବନିୟନ୍ତା। ସାଧାରଣ ମଣିଷଙ୍କ ଭଳି ବି ତାଙ୍କର ମଧ୍ୟ ସେବା ଚାଲିଛି। ଅଣସର ସମୟରେ ଚିତ୍ରକର ସେବାୟତମାନେ ପ୍ରଭୁଙ୍କ ଦଇତା ସେବକ ମାନ୍ୟତା ପାଇ ଶ୍ରୀଜିଉମାନଙ୍କ ଅଙ୍ଗସ୍ପର୍ଶ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ପରଦିନ ଅର୍ଥାତ ପ୍ରତିପଦାଠାରୁ ଶ୍ରୀଜିଉମାନଙ୍କୁ ଗଜାମୁଗ, ଚୁଡ଼ାଚକଟା ଓ ଫଳ ଆଦି ଅର୍ପଣ କରାଯାଉଛି। ଶ୍ରୀଜିଉମାନେ ଯେପରି ଜ୍ୱରରୁ ଶୀଘ୍ର ମୁକ୍ତିପାଇବେ ସେଥିପାଇଁ ଦଶମୂଳ, ଆମ୍ବ, ପଣସ ଓ ସନ୍ଧ୍ୟାରେ ପାଚକ ଲାଗି କରାଯାଉଛି। ସେହିପରି ଅରୁଚି ଦୂର କରିବାକୁ ଆମ୍ବୁଲ ରାଇ ମଧ୍ୟ ଶ୍ରୀଜିଉମାନଙ୍କୁ ଲାଗି ହେଉଛି।

ସମ୍ବନ୍ଧିତ ଖବର