ନୂଆଗାଁ : ଆଜି ସକାଳ ୭ଟା ସମୟରେ କଟକ ବଡ଼ ମେଡିକାଲ୍‌ରୁ ଜଣେ ବ୍ୟକ୍ତିର ମୃତଦେହ ଧରି ଫେରୁଥିବା ବେଳେ ଆମ୍ବୁଲାନ୍ସ ନୂଆଗାଁ ଥାନା ପଞ୍ଚୁପାଣ୍ଡବ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆମ୍ବୁଲାନ୍ସରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସ ଭିତରେ ମୃତଦେହ ଦୀର୍ଘ ସମୟ ଧରି ରାସ୍ତାକଡ଼ରେ ରହିଥିବା ବେଳେ ପୋଲିସ ପହଞ୍ଚି ଅନ୍ୟ ଏକ ଆମ୍ବୁଲାନ୍ସରେ ମୃତଦେହ ପଠାଇବାର ବନ୍ଦୋବସ୍ତ କରିଥିଲା।

Advertisment

ଖବରରୁ ପ୍ରକାଶ, ଦଶପଲ୍ଲା ତୁମାଣ୍ଡି ବେହେରାସାହି ଗ୍ରାମର ଦଣ୍ଡୁଧର ଯାନୀ (୬୦) କିଛିଦିନ ଧରି ଜ୍ବରରେ ପଡ଼ିଥିଲେ। ତାଙ୍କୁ ପ୍ରଥମେ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ନୟାଗଡ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। କଟକରୁ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ଆସୁଥିବା ସମୟରେ ଗାଡ଼ିଟି ନୂଆଗାଁ ପଞ୍ଚୁପାଣ୍ଡବ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।