ମ.ରାମପୁର: ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକର ବହୁ ଗାଁକୁ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସ୍ବାଧୀନତାର ୭୫ ବର୍ଷ ପରେ ବି ଏଠାକାର ଅଧିବାସୀଙ୍କୁ ଏଯାଏ ମିଳିନି ମୌଳିକ ସୁବିଧା। ନିର୍ବାଚନ ଆସିଲେ ବହୁ ସୁନେଲି ସ୍ବପ୍ନ ଦେଖାଇ ନେତାମାନେ ଭୋଟ୍ ହାତେଇ ନେଲା ପରେ ସବୁ ପ୍ରତିଶ୍ରୁତି ପାଣିରଗାର ପାଲଟୁଥିବା ଅଭିଯୋଗ ହେଉଛି। ରାସ୍ତା ନଥିବାରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ବାଧ୍ୟ ହୋଇ ଲୋକେ ଖଟିଆରେ ବୋହି ରୋଗୀଙ୍କୁ ନେଉଥିବା ଦେଖାଦେଉଛି। ଏଭଳି ଏକ ଦୃଶ୍ୟ ଆଜି ଦେଖିବାକୁ ମଳିଛି। ବ୍ଲକ୍ର ଦେଢ଼ଶୁଲି ପଞ୍ଚାୟତ ଦାମାଣି ଗାଁର ଜଣେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭାରରେ ୭ କିଲୋମିଟର ପର୍ଯ୍ୟନ୍ତ ବୋହିକି ନେବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଜି ପୁଣି ଅସନ୍ତୋଷ ଦେଖାଦେଇଛି।
ଦାମାଣି ଗାଁର କୁଟାମି ମାଝୀ (୨୫)ଙ୍କ ଦେହ ଆଜି ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲା। ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ହେଁ ରାସ୍ତା ନଥିବାରୁ ଗାଁକୁ ଆସିପାରି ନଥିଲା। ପରେ ସାତ କିମି ଦୂର ଗଣ୍ଡାପଦର ଗ୍ରାମ ପର୍ଯ୍ୟନ୍ତ ବଡ଼ ଚାଙ୍ଗୁଡ଼ି(ଭୁଗୁଲି)ରେ ଶାଢ଼ି ସାହାଯ୍ୟରେ ଦୋଳା ବାନ୍ଧି ଅଣାଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ମାତ୍ର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏଭଳି ସମସ୍ୟା ପ୍ରାୟତଃ ଦେଖିବାକୁ ମିଳୁଥିବାରୁ ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।