ଧମା: ଗାଁ’କୁ ଆମ୍ବୁଲାନ୍‌ସ ପହଞ୍ଚି ନ ପାରିବାରୁ ଟ୍ରାକ୍ଟର୍‌ରେ ରୋଗୀଙ୍କୁ ୧ କିଲୋମିଟର୍ ବାଟ ବୋହି ଆଣିବାକୁ ପଡ଼ିଲା। ଏଭଳି ଘଟଣା ଘଟିଛି ମାନେଶ୍ବର ବ୍ଲକ୍‌ ଡକରା ପଞ୍ଚାୟତର ଯାଦୁଲୋଇସିଂ ନିକଟ ରାସଖାଇ ଗାଁରେ। ଉକ୍ତ ଗାଁର ନୀରବତୀ ବେହେରା (୬୮) ରବିବାର ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍‌ସ ଡାକିଥିଲେ। କିନ୍ତୁ ବଣପାହାଡ଼ ଘେରା ଏହି ଜଙ୍ଗଲିଆ ଗାଁକୁ ଯାଇଥିବା ମାଟି ରାସ୍ତାଟି ବର୍ଷା ଯୋଗୁଁ‌ ଧୋଇ ଯାଇ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲା।

Advertisment

ତେଣୁ ଆମ୍ବୁଲାନ୍‌ସଟି ଗାଁ’ଠୁ ୧ କିଲୋମିଟର୍ ଦୂର ଜାମମୁଡ଼ା ଛକ ପର୍ଯ୍ୟନ୍ତ ଯାଇ  ଆଉ ଆଗକୁ ବଢ଼ି ପାରି ନଥିଲା। ଏହା ପରେ ଆମ୍ବୁଲାନ୍‌ସ କର୍ମଚାରୀ ଷ୍ଟ୍ରେଚର ଧରି ଗାଁକୁ ଯାଇଥିଲେ ଓ ଗ୍ରାମବାସୀଙ୍କ ସହାୟତାରେ ଏକ ଟ୍ରାକ୍ଟର୍‌ରେ ଗୁରୁତର ରୋଗୀ ଜଣଙ୍କୁ ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ଆଣିଥିଲେ। ଆମ୍ବୁଲାନ୍‌ସରେ ସଂପୃକ୍ତ ରୋଗୀଙ୍କୁ ଆଣି ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି।