ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ

ସମ୍ବଲପୁର : ଆଜିର ତାରିଖରେ ବି ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ସେବା କେତେ ଅପହଞ୍ଚ ତା’ର ପୁଣି ‌ଏକ ନମୁନା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ରେ। ବାଟରେ ପଡ଼ୁଥିବା ନଈ ଓ ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍‌ସ ପହଞ୍ଚି ପାରିଲାନି ଗର୍ଭ ଯନ୍ତ୍ରଣାରେ ଛଟପଟ ପ୍ରସୂତିଙ୍କ ନିକଟରେ। ଆମ୍ବୁଲାନ୍‌ସ କର୍ମଚାରୀ ନାଳ ଏପାଖରେ ଗାଡ଼ି ରଖି ଷ୍ଟ୍ରେଚର ଧରି ୨ କିଲୋମିଟର ବାଟ ଚାଲିଚାଲି ଯାଇ ପ୍ରସୂତିଙ୍କ ନିକଟରେ ପହଞ୍ଚିବା ବେଳକୁ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇ ସାରିଥିଲେ। ଏଭଳି ଘଟଣା ଘଟିଛି ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତ ବ୍ରାହ୍ମଣୀପାଲି ଗାଁରେ।

ଉକ୍ତ ଗାଁର ସବିତା ନାୟକ (୨୪)ଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ଶୁକ୍ରବାର ଦିନ ୨ଟା ବେଳେ ପରିବାର ଲୋକେ ଆମ୍ବୁଲାନ୍‌ସକୁ ଡାକିଥିଲେ। ତୁରନ୍ତ କିସିଣ୍ଡା ଅଞ୍ଚଳରେ ଥିବା ଏକ ୧୦୮ ଆମ୍ବୁଲାନ୍‌ସକୁ ଉକ୍ତ ଗାଁକୁ ପଠା ଯାଇଥିଲା। କିନ୍ତୁ ସବିତାଙ୍କ ଘରର ୨ କିଲୋମିଟର୍ ପୂର୍ବରୁ ବହି ଯାଇଥିବା ନଈ ନିକଟରେ ଆମ୍ବୁଲାନ୍‌ସ ଅଟକି ଯାଇଥିଲା। ଆମ୍ବୁଲାନ୍‌ସରେ ଥିବା ଫାର୍ମାସିଷ୍ଟ କେଶବ ପ୍ରଧାନ, ଡ୍ରାଇଭର ଆର୍ତ ବେହେରା ଏବଂ ହେଲପର ନିଶାନ୍ତ ସାହୁ ଷ୍ଟ୍ରେଚର ନେଇ ନାଳ ପାରି ହେଇ ଚାଲିଚାଲି ଯାଇ ସବିତାଙ୍କ ଘରେ ପହଞ୍ଚିଥିଲେ। ସେତେବେ‌ଳକୁ ସବିତାଙ୍କ ପ୍ରସବ ହୋଇ ସାରିଥିଲା। ତେବେ କର୍ମଚାରୀ ମାନେ ପରିବାର ଲୋକଙ୍କ ସହାୟତାରେ ସବିତାଙ୍କୁ ବୋହି ଆଣି ନାଳ ପାରି ହୋଇ ଆମ୍ବୁଲାନ୍‌ସ‌ ନିକଟରେ ପହଞ୍ଚିଥିଲେ। ସେଠାରୁ ଆମ୍ବୁଲାନ୍‌ସରେ ଆସି ସଂଧ୍ୟା ୪ଟାରେ ସବିତାଙ୍କୁ ନାକଟିଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଆମ୍ବୁଲାନ୍‌ସ କର୍ମଚାରୀଙ୍କ ନିଷ୍ଠାକୁ ସମସ୍ତେ ପ୍ରଶଂସା କରୁଥିଲାବେଳେ ଏଭଳି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସେବା ପହଞ୍ଚାଇବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର