ବିଶ୍ରା: କାଦୁଅଭର୍ତ୍ତି ରାସ୍ତା ଯୋଗୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଅନ୍ୟ କିଛି ଉପାୟ ନ ପାଇ ରୋଗୀଙ୍କୁ ଖଟରେ ବୋହି ଆଣୁଥିଲେ। ହେଲେ ବାଟରେ ଚାଲିଗଲା ଜୀବନ। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍ ରହମତନଗର ଅଞ୍ଚଳର ଏହି ଅଭାବନୀୟ ଘଟଣା ଆଦିବାସୀବହୁଳ ଅଞ୍ଚଳରେ ବିକାଶର ନଗ୍ନଚିତ୍ରକୁ ପଦାରେ ପକାଇଛି। ପ୍ରଶାସନିକ ଅବହେଳାରୁ ରୋଗୀର ମୃତ୍ୟୁ ହୋଇଥିବା ନେଇ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି।
ବିଶ୍ରା ବ୍ଲକ୍ କାର୍ଯ୍ୟାଳୟରୁ ମାତ୍ର ୨୦୦ ମିଟର ଦୂରରେ ରହିଛି ରହମତନଗର ବସ୍ତି। ବୁଧବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ବସ୍ତିର ମହମ୍ମଦ ସମିମ (୪୫) ହଠାତ୍ ଅସୁସ୍ଥ ହୋଇଥିଲେ। ପରିବାରଲୋକ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ମାତ୍ର ରହମତନଗରକୁ ଯାଇଥିବା କଚ୍ଚା ରାସ୍ତା କାଦୁଅ ପଙ୍କଭର୍ତ୍ତି ହୋଇଥିବାରୁ ସେହି ରାସ୍ତାରେ ଆମ୍ବୁଲାନ୍ସ ପଶି ନ ପାରି ମୁଖ୍ୟ ରାସ୍ତାରେ ରହିଥିଲା। ଫଳରେ ପରିବାର ଓ ପଡ଼ୋଶୀ ରୋଗୀଙ୍କୁ ତାଙ୍କ ଘରୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣୁଥିଲେ। ହେଲେ ଆମ୍ବୁଲାନ୍ସ ଯାଏଁ ପହଞ୍ଚିବା ନୋହିଲା। ବାଟରେ ସମିମଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପରେ ରୋଗୀକୁ ବିଶ୍ରା ସରକାରୀ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରକାଶଥାଉକି, ଏହି ରାସ୍ତାର ମରାମତି ସହ ପକ୍କା ରାସ୍ତା ନିର୍ମାଣ ପାଇଁ ପୂର୍ବରୁ ଗ୍ରାମବାସୀ ବାରମ୍ବାର ବ୍ଲକ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି।