ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳରେ ଏକ ଉଦ୍ବେଗଜନକ ଘଟଣା ଘଟିଛି। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି। ଫଳରେ, ପ୍ରସୂତି ଜଣଙ୍କ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ନପାରି ଜଙ୍ଗଲ ରାସ୍ତାରେ ଏକ ଶିଶୁପତ୍ରକୁ ଜନ୍ମଦେଲେ। ହେଲେ, ତତ୍କ୍ଷଣାତ୍ ଚିକିତ୍ସା ସେବା ନ ପାଇବାରୁ ମାଆ ସମ୍ମୁଖରେ ନବଜାତକର ଜୀବନ ଚାଲିଗଲା। ମୃତ ଶିଶୁପୁତ୍ର ସହ ହସ୍ପିଟାଲ ପହଞ୍ଚାଇବା ପରେ ମାଆ ଏବେ ଚିକିତ୍ସିତ ଥିବା ଜଣାପଡ଼ିଛି।
ଏହି ମହିଳା ହେଲେ, ବିଶୋଇ ବ୍ଳକ୍ ବୁରୁଡ଼ିହି ଗ୍ରାମର ଦୁର୍ଗା ହେମ୍ବ୍ରମଙ୍କ ସ୍ତ୍ରୀ ପାର୍ବତୀ। ପାର୍ବତୀ ଆଜି ମଧ୍ୟାହ୍ନ ସମୟରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ସଙ୍ଗେସଙ୍ଗେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ବୁରୁଡ଼ିହି ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗ୍ରାମରୁ ୪ କିମି ଦୂର କେଶରଗାଡ଼ିଆ ପାହାଡ଼ ଉପରେ ଅଟକିଥିଲା। ପରିବାର ଲୋକେ ପାର୍ବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ତେବେ, ବିଳମ୍ବ କାରଣରୁ ପ୍ରସବ ଯନ୍ତ୍ରଣାରେ ଅସହ୍ୟ ହୋଇ ସେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ପାହାଡ଼ଘେରା ଜଙ୍ଗଲ ରାସ୍ତାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଦୁର୍ଭାଗ୍ୟଜନକ ବିଷୟ ହେଉଛି, ଜନ୍ମ ହେବାର କିଛିକ୍ଷଣ ଭିତରେ ନବଜାତକର ମୃତ୍ୟୁ ହୋଇଯାଇଥିଲା। ଉଭୟ ପ୍ରସୂତି ଓ ନବଜାତକୁ ଆମ୍ବୁଲାନ୍ସ ଯୋଗେ ବିଶୋଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ନବଜାତକକୁ ମୃତ ଘୋଷଣା କରିଥିଲେ। ପ୍ରସୂତି ପାର୍ବତୀ ବର୍ତ୍ତମାନ ବିଶୋଇ ମେଡ଼ିକାଲରେ ଚିକିତ୍ସିତ ଅଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା କଥା, ବୁରୁଡ଼ିହି ଅଞ୍ଚଳରେ ଏହା ପ୍ରଥମ ଘଟଣା ନୁହେଁ। ଗାଁକୁ ରାସ୍ତା ସଂଯୋଗ ନଥିବାରୁ ସମସ୍ତ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନିଆଯାଇଥାଏ। ବ୍ଲକ୍ ଠାରୁ ମାତ୍ର ୮ କିମି ଦୂରରେ ଥିବା ଏହି ଗ୍ରାମରେ ୧୦୦ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରୁଥିଲେ ବି ଏପର୍ଯ୍ୟନ୍ତ ରାସ୍ତା ସଂଯୋଗ ହୋଇନାହିଁ। ଯେଉଁଥିପାଇଁ ଏହିଭଳି ଘଟଣା ଘଟିଛି।