ନାକଟିଦେଉଳ: ଆସିପାରିଲାନି ଆମ୍ବୁଲାନ୍‌ସ। ଚାଲିଗଲା ୫ ବର୍ଷ ଝିଅର ଜୀବନ। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ସୋମବାର ରାତିରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଘୋଷରାମାଳ ପଞ୍ଚାୟତ କମଳାନାଳୀ ଗ୍ରାମରେ। କମଳାନାଳୀ ଗ୍ରାମର ଅର୍ଜୁନ ଦେହୁରୀ ଓ ବାସନ୍ତୀ ଦେହୁରୀଙ୍କ ୫ ବର୍ଷର ଝିଅ ମିତା ଗାଁ ଦାଣ୍ତରେ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ପାଖରେ ଥିବା ଏକ କୂଅରେ ପଡ଼ିଯାଇଥିଲା। ବାପା ଓ ମା ଝିଅକୁ ନ ପାଇ ବହୁତ ଖୋଜାଖୋଜି କରିଥିଲେ। ପାଖରେ ଥିବା କୂଅ ପାଖକୁ ଯାଇ ଦେଖିବାରୁ ଝିଅ ସେଥିରେ ଖସି ପଡ଼ିଥିବା ଦେଖିଥିଲେ। ଗ୍ରାମବାସୀଙ୍କ ସହାୟତାରେ ସଙ୍ଗେ ସଙ୍ଗେ ଝିଅକୁ ଉଦ୍ଧାର କରାଯାଇଥିଲା। ରେଢ଼ାଖୋଲରୁ ଆମ୍ବୁଲାନସ୍‌ ଡକାଯାଇଥିଲା।

Advertisment

ହେଲେ ଗାଁ ଠାରୁ ୨ କିମି ଦୂରରେ ଥିବା ନାଳ ଯୋଗୁଁ ଆମ୍ବୁଲାନସ୍‌ ଯାଇ ନ ପାରିବାରୁ ଝିଅଟିକୁ ବାପା ରାତିରେ କାନ୍ଧରେ ଧରି ୨ କିମି ଚାଲିଚାଲି ଯାଇ ନାଳ ପାର ହୋଇ ଆମ୍ବୁଲାନସ ନିକଟରେ ପହଞ୍ଚିଥିଲେ। ସେଠାରୁ ତାକୁ ରେଢ଼ାଖୋଲ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ମିତାକୁ ମୃତ ବୋଲି ଘୋଷଣା କରିଥିଲେ। ରେଢ଼ାଖୋଲ ପୁଲିସ୍ ଡାକ୍ତରଖାନାରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଗାଁ ନାଳରେ ପୋଲ କାମ ସରି ନଥିବାରୁ ଆମ୍ବୁଲାନସ୍‌ ଠିକ୍‌ ସମୟରେ ପହଂଚି ନପାରିବାରୁ କୁନି ଝିଅର ଜୀବନ ଚାଲିଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସରକାର ଝିଅକୁ ହରାଇଥିବା ପିତାମାତାଙ୍କୁ ସହଯୋଗ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ପୂର୍ବରୁ ରେଢ଼ାଖୋଲ ଥାନା ଘୋଷରାମାଳ ଗ୍ରାମରେ ୨ ଜଣ ଶିଶୁ ମଧ୍ୟ ଏକ ପରିତ୍ୟକ୍ତ କୂଅରେ ପଡ଼ି ପ୍ରାଣ ହରାଇଥିଲେ।