ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ଦୁର୍ଗମ ଅଞ୍ଚଳ ସମାଡ଼ପଦର ଗାଁର ମୁକେଶ ମାଝୀଙ୍କ ପତ୍ନୀ ପ୍ରମିଳାଙ୍କ ସୋମବାର ରାତିରେ ପ୍ରସବ ବେଦନା ହେବାରୁ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ଆସିଥିଲା କିନ୍ତୁ ରାସ୍ତା ଖରାପ ଯୋଗୁଁ ଗାଁକୁ ଭିତରୁକୁ ଆସି ନ ପାରି ୪ କିମି ଦୂରରେ ଅଟକି ରହିଥିଲା। ଶେଷରେ ପରିବାର ଲୋକ ଝିପିଝିପି ବର୍ଷାରେ ମହିଳାଙ୍କୁ ଖଟରେ ବୋହି ଆମ୍ବୁଲାନ୍ସକୁ ଆଣୁଥିବା ସମୟରେ ବାଟରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଏହା ପରେ ପୁଣି ସେମାନେ ଖଟରେ ମା’ ଓ ଶିଶୁକୁ ନେଇ ଗାଁ ଫେରି ଯାଇଥିଲେ। ମା’ ଓ ଶିଶୁ ସୁସ୍ଥ ଥିବା ଜଣାଯାଇଛି।
ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଏମପିଭି-୫୫ ଗାଁର ସୁବାସ ବୈଦ ୩୦ ତାରିଖ ସଂଧ୍ୟାରେ ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ହୋଇ ନ ପାରିବାରୁ ଗାଡ଼ି ପାର୍କିଂ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ପ୍ରାୟ ୧୨ ଘଣ୍ଟା ଧରି ପଡ଼ି ରହିଥିଲା ଶବ। ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଶେଷରେ ପରିବାର ଲୋକେ ମଙ୍ଗଳବାର ବାଇକ୍ରେ ଶବକୁ ଗାଁକୁ ନେଇଥିଲେ।
ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଭାରରେ ବୁହା ହେଲା ଶବ
ଫୁଲବାଣୀ: ସାରଙ୍ଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ କେ.ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ଗାଁର ଦିଲ୍ଲୀପ ଦଳବେହେରା (୫୦) ଆଜି ଅପରାହ୍ନ ୨ଟାରେ ମୃତ୍ୟୁ ହୋଇଥିଲା। ଗାଁକୁ ଶବ ନେବା ପାଇଁ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିବାକୁ ଡାକ୍ତରଙ୍କୁ ନିବେଦନ କରିଥିଲେ। ହେଲେ ଡାକ୍ତରଙ୍କ କହିବା ମୁତାବକ ପାଖରେ ଟଙ୍କା ନଥିବାରୁ ଗାଡ଼ି ବ୍ୟବସ୍ଥା କରିବା ସେମାନଙ୍କ ପକ୍ଷେ ସମ୍ଭବପର ହୋଇପାରି ନଥିଲା। ଶେଷରେ ନିଜେ ଭାର କରି ପରିବାର ଲୋକେ ଦିଲ୍ଲୀପଙ୍କ ଶବକୁ ୩ କିଲୋମିଟର ଦୂର ଗାଁ ପର୍ଯ୍ୟନ୍ତ ବୋହି ନେଇଥିଲେ। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସମୀର କୁମାର ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।