ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ଆମ୍ବୁଲାନ୍ସ ଡ୍ରାଇଭର ମୃତ, ହେଲପର ସହ ଅନ୍ୟଜଣେ ଗୁରୁତର

ବାଲେଶ୍ୱର: ୧୬ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଦାଣ୍ଡକାଳୀ ମନ୍ଦିର ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।
ମିଳିଥିବା ସୂଚନା ମୁତାବକ ଆଜି ସକାଳ ପ୍ରାୟ ୮ଟା ସମୟରେ ପଶ୍ଚିମବଙ୍ଗର ଏକ ଘରୋଇ ଆମ୍ବୁଲାନ୍ସ(ଡବ୍ଲୁବି-୨୯ଏ-୮୮୬୭) ବାଲେଶ୍ୱର ଅଭିମୁଖେ ଆସୁଥିଲା। ରାସ୍ତାର ଆରପଟେ ସୋର ଅଭିମୁଖେ ଏକ ଟ୍ରଲର(ଏନଏଲ-୦୨କେ-୫୪୩୭) ଯାଉଥିଲା। କୌଣସି କାରଣରୁ ଆମ୍ବୁଲାନ୍ସଟି ଡିଭାଇଡର ଡେଇଁ ଟ୍ରଲରକୁ ଧକ୍କା ଦେଇଥିବା ବେଳେ ଟ୍ରଲରଟି ଭାରସାମ୍ୟ ହରାଇ ରାସ୍ତାର ବାମପାର୍ଶ୍ଵରେ ଥିବା ଏକ ସିମେଣ୍ଟ ଗୋଦାମଘରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସର ହେଲପର ଓ ଟ୍ରଲରର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ତୁରନ୍ତ ଖନ୍ତାପଡ଼ା ଥାନା ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ୧୦୮ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ କାହାରି ପରିଚୟ ମିଳିପାରିନାହିଁ। ଦୁର୍ଘଟଣାରେ ସିମେଣ୍ଟ ଗୋଦାମଘରଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଖବରପାଇ ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଂଜିତ ଦଳବେହେରା ସେଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର