୧୦୮ ଆମ୍ବୁଲାନସ୍ କର୍ମଚାରୀଙ୍କ ବଦାନ୍ୟତା; ଫେରାଇଲେ ୬୨ ହଜାର ଟଙ୍କା ଓ କାଗଜପତ୍ର

ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଜରୁରିକାଳୀନ ସେବା ଯୋଗାଇ ପ୍ରଶଂସା ସାଉଁଟିଥିବା ୧୦୮ ଆମ୍ବୁଲାନସ୍ କର୍ମଚାରୀ ପୁଣି ଏକ ଭଲ କାମ କରି ଚର୍ଚ୍ଚାକୁ ଆସିଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିକୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିବା ସହ ହଜିଥିବା ୬୨ ହଜାର ଟଙ୍କା ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ଫେରାଇ ବଦାନ୍ୟତାର ପରିଚୟ ଦେଇଛନ୍ତି। ଜେକେପୁର ମେଡ଼ିକାଲ୍ ୧୦୮ ଆମ୍ବୁଲାନସ୍ କର୍ମଚାରୀଙ୍କ ଏପରି ଉଦ୍ୟମକୁ ବିଭାଗୀୟ ଅଧିକାରୀଙ୍କ ସମେତ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ହଜିଥିବା ୬୨ ହଜାର ଟଙ୍କା ଓ ଆବଶ୍ୟକ କାଗଜପତ୍ର ପାଇବା ପରେ ବିଷମକଟକ ବ୍ଲକ୍ ହଜାରିଡାଙ୍ଗ ପଞ୍ଚାୟତ କାକରମାସ୍କା ଗ୍ରାମର ଡମ୍ବୁରୁ କୁଟ୍ରୁକା ଖୁସି ପ୍ରକାଶ କରିବା ସହିତ ଆମ୍ବୁଲାନସ୍ କର୍ମଚାରୀଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି।

ଶନିବାର ବିଳମ୍ବିତ ରାତିରେ କାକରମାସ୍କା ଗ୍ରାମର ଡମ୍ବୁରୁ କୁଟ୍ରୁକା ବିଷମକଟକ ଥାନାର ଭାତପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ରାତିରେ ଡମ୍ବୁରୁ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ କୌଣସି ଅଜଣା ଗାଡ଼ି ବାଇକ୍ ଧକ୍କା ଦେଇ ଚାଲି ଯାଇଥିଲା। ଅଜଣା ଗାଡ଼ି ଧକ୍କାରେ ଡମ୍ବୁରୁ ରାସ୍ତା ତଳକୁ ଛିଟିକି ପଡିବା ସହିତ ସଜ୍ଞା ହରାଇଥିଲେ। ରାସ୍ତା ଉପରେ ବାଇକ୍ ପଡିଥିବା ବେଳେ କିଛି ଦୂରରେ ଡମ୍ବୁରୁ ମୁର୍ମୂଷ ଅବସ୍ଥାରେ ପଡି ରହିଥିଲେ। କିଛି ଲୋକ ଦୁର୍ଘଟଣା ସଂପର୍କରେ ଜାଣି ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ। ରାତି ସାଢ଼େ ୧ଟାରେ ଆମ୍ବୁଲାନସ୍ କର୍ମଚାରୀ ଫୋନ୍ କଲ୍ ପାଇବା ପରେ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଜେକେପୁର ୧୦୮ ଆମ୍ବୁଲାନସ୍ ଟିମର ଫାର୍ମାସିଷ୍ଟ୍ ଗିରି ଗୋବର୍ଧନ ସାହୁକାର, ଡ୍ରାଇଭର ସନ୍ତୋଷ କୁମାର ରୁଗୁଡା, ଏସ୍. କେ. ସାହିଦ୍ ଅଲ୍ଲୀ ଗୁରୁତର ଅବସ୍ଥାରେ ପଡିଥିବା ଡମ୍ବୁରୁଙ୍କୁ ଉଦ୍ଧାର କରିବା ସହିତ ଦୁର୍ଘଟଣାସ୍ଥଳରୁ ୪୨ ହଜାର ଟଙ୍କା, ବ୍ୟାଗ ଓ ଅନ୍ୟାନ୍ୟ କାଗଜପତ୍ରକୁ ପାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡମ୍ବୁରୁଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ଟଙ୍କା ଓ କାଗଜପତ୍ର ପାଇଥିବା ନେଇ ଆମ୍ବୁଲାନସ୍ ଟିମ୍ ୧୦୮ ମ୍ୟାନେଜର ଶୁଭ୍ରାଂଶୁ ସେନାପତିଙ୍କୁ ଅବଗତ କରିଥିଲେ। ବ୍ୟାଗ୍ ଯାଞ୍ଚ ପରେ ବ୍ୟାଗରୁ ଆଉ ୨୦ ହଜାର ଟଙ୍କା ସହ ଏଟିଏମ୍ କାର୍ଡ, ଆଧାର କାର୍ଡ, ପାନ କାର୍ଡ, ଇଲେକ୍ଟ୍ରି ବିଲ୍, ବ୍ୟାଙ୍କ ପାସ୍ ବୁକ୍ ଭଳି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ବାହାରିଥିଲା। ଟଙ୍କା ଓ କାଗଜପତ୍ର ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କର ସ୍ପଷ୍ଟ ହେବା ପରେ ସକାଳେ ମେଡ଼ିକାଲରେ ପହଞ୍ଚି ୧୦୮ ମ୍ୟାନେଜର ଶ୍ରୀ ସେନାପତିଙ୍କ ଉପସ୍ଥିତିରେ ଫାର୍ମାସିଷ୍ଟ୍ ଶ୍ରୀ ସାହୁକାର, ଡ୍ରାଇଭର ସନ୍ତୋଷ ଓ ସାହିଦ୍ ଆହତ ଡମ୍ବୁରୁଙ୍କ ପରିବାର ଲୋକଙ୍କୁ ଫେରାଇଥିଲେ। ଆମ୍ବୁଲାନସ୍ କର୍ମଚାରୀଙ୍କ ଏପରି ବଦାନ୍ୟତା ପାଇଁ ସିଡିଏମ୍ଓ ଡା. ଆର୍ତ୍ତବନ୍ଧୁ ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଜିଲ୍ଲା ପ୍ରକଳ୍ପ ପରିଚାଳକ ରାଜେଶ୍ବର ରାଓ ପଟ୍ଟନାୟକ ପ୍ରମୁଖ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର