ଭୁବନେଶ୍ୱର : ଖାସ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ପାଇଁ ଅଟକି ଗଲା ଆମ୍ବୁଲାନ୍ସ। ପାଖାପାଖି ୫ ମିନିଟ୍ । ଆମ୍ବୁଲାନ୍ସ ଭିତରେ ଛଟପଟ ହେଉଥିଲେ ୬ ବର୍ଷର ନାବାଳିକା। ମୁହଁରେ ଲାଗିଥିଲା ଅକ୍ସିଜେନ୍। ଏଭଳି ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଥିଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ସମ୍ମୁଖରେ।
ସମୟ ପ୍ରାୟ ସାଢ଼େ ୧୧ଟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁଭବନ ଛକକୁ ସ୍ମାର୍ଟସିଟି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଘାଟନ ସାରି କ୍ୟାପିଟାଲ ହସ୍ପିଟାଲ ଛକ-ଏଜି ଛକ ହୋଇ ସଚିବାଳୟ ଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କମିସନରେଟ୍ ପୁଲିସର ଟ୍ରାଫିକ୍ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଶିଶୁଭବନ ଛକରୁ ଆସିବାର ଯଥେଷ୍ଟ ସମୟ ପୂର୍ବରୁ ବିଜୁ ଜନତା ଦଳ କାର୍ଯ୍ୟାଳୟ ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ସୁର କମ୍ପାନି ଛକ, ବିମାନବନ୍ଦର ଛକ ପ୍ରମୁଖ ରାସ୍ତାକୁ ସିଲ୍ କରି ଗାଡି ମୋଟର ଯିବା ଆସିବା ବନ୍ଦ କରି ଦେଇଥିଲେ। ଫଳରେ ଏହି ଛକଗୁଡିକରେ ଗାଡି ମୋଟର ଦୀର୍ଘ ସମୟ ପର୍ଯ୍ୟନ୍ତ ଫସି ରହିଥିଲା।
ଏହି ଭିଡ଼ ଭିତରେ ଅଟକିଯାଇଥିଲା ଆମ୍ବୁଲାନ୍ସ(୧୦୮)। କ୍ୟାପିଟାଲ ହସ୍ପିଟାଲ ଛକରେ ବାରମ୍ବାର ସାଇରନ ମାରିଥିଲେ ମଧ୍ୟ ଟ୍ରାଫିକ୍ ପୁଲିସ ଓ ସୁରକ୍ଷାରେ ନିୟୋଜିତ ପୁଲିସ ଆମ୍ବୁଲାନ୍ସକୁ ଛାଡି ନ ଥିଲେ। ପୁଲିସର ଏଭଳି ଅମାନବୀୟ କାଣ୍ଡକୁ ସେଠାରେ ଉପସ୍ଥିତ ଥିବା ଲୋକେ ନାପସନ୍ଦ କରିଥିଲେ।
ଏ ସମ୍ପର୍କରେ ଟ୍ରାଫିକ୍ ଏସିପି ଅନୁପ କାନୁନଗୋ କହିଛନ୍ତି, ଭିଡ ଭିତରେ ଆମ୍ବୁଲାନ୍ସ ବହୁ ପଛରେ ଥିଲା। ଆମ୍ବୁଲାନ୍ସର ସାଇରନ୍ ଶବ୍ଦ ଟ୍ରାଫିକ୍ ପୁଲିସକୁ ଶୁଭି ନ ଥିଲା। ଯେତେବେବେଳେ ଶୁଭିଥିଲା ତୁରନ୍ତ ଭିଡ ଖାଲି କରି ଆମ୍ବୁଲାନ୍ସକୁ ଛଡ଼ା ଯାଇଥିଲା। ଯେଉଁ ଅଭିଯୋଗ ହେଉଛି ୫ ମିନିଟ ଗାଡି ମୋଟର ଅଟକି ଥିଲା ତାହା ସତ ନୁହେଁ ମାତ୍ର ୨ ମିନିଟ ଅଟକି ଥିଲା ଆମ୍ବୁଲାନ୍ସ।
ଏହି ଘଟଣାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କହିଛନ୍ତି, ଭିଭିଆଇପି ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପ଼ଡିବା ଦରକାର। ମଣିଷ ଜୀବନ ଠାରୁ ଆଉ କିଛି ଅଧିକ ମୂଲ୍ୟବାନ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ଜଣେ ରୋଗୀର ଜୀବନ ସହିତ ଯେଭଳି ଖେଳ ଖେଳାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ। ସେହିପରି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ରାଜ୍ୟ ସରକାର ତୁରନ୍ତ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର।
ଉଲ୍ଲେଖଥାଉକି, ୨୦୧୫ ମସିହାରେ ନିଜେ ମୁଖ୍ୟମନ୍ତ୍ରୀ ଭିଆଇପିଙ୍କ ଗସ୍ତ ବେଳେ ଆମ୍ବୁଲାନ୍ସ ନ ଅଟକାଇବା ଲାଗି ନିର୍ଦେଶ ଦେଇଥିଲେ। ସ୍ୱତନ୍ତ୍ର କରିଡର ପାଇଁ ବି କୁହାଯାଇଥିଲା। କରିଡର ତ ହେଲା ନାହିଁ, କେଉଁ ପରିସ୍ଥିତିରେ ଟ୍ରାଫିକ ଓ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ଅବମାନନା କରି ଆମ୍ବୁଲାନ୍ସକୁ ଅଟକାଇଲେ, ତାହା ଏବେ ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/ambulance.jpg-f.jpg)
